ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କାର୍ଯ୍ୟକ୍ରମ ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବ୍ଲକ ବିଜେଡି ସଭାପତି
  • ପ୍ରକଳ୍ପ ଉଦଘାଟନ କରିବାକୁ ଦାବି କଲେ ବୁହାଳୋ ସରପଞ୍ଚ
  • ବ୍ଲକ ବିଜେଡିର ଅଭିଯୋଗକୁ ଅମୂଳକ କହିଲେ ବୈଜୟନ୍ତଙ୍କ ରାଜନୈତିକ ସଚିବ

ପ୍ରଳକ୍ପ ଉଦ୍‌ଘାଟନ ପୂର୍ବରୁ ମାହାଙ୍ଗାରେ ମୁହାଁମୁହିଁ ହୋଇଛନ୍ତି ବିଜେଡିର ଦୁଇ ଗୋଷ୍ଠୀ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ମଧ୍ୟରେ ଲାଗିଛି ଛକାପଞ୍ଝା। ପାଣିଟାଙ୍କି ଉଦ୍‌ଘାଟନ କରାଇ ନଦେବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଥିବା ବେଳେ ବୈଜୟନ୍ତଙ୍କ ସମର୍ଥକମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ସହ ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସରଙ୍କ କାର୍ଯ୍ୟକଳାପ ଉପରେ ଆଙ୍ଗୁଳି ଉଠାଇଛନ୍ତି।

ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତରେ ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଛି ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି। ଜାନୁଆରୀ ୧୧ ତାରିଖରେ ଏହାର ଲୋକାର୍ପଣ ହେବ। ଏହାକୁ ଲୋକାର୍ପଣ କରିବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ହେଲେ ଉଦ୍‌ଘାଟନ ହେବା ପୂର୍ବରୁ ଗୋଟିଏ ଗୋଷ୍ଠୀ ଏହାର ବିରୋଧ କରିଛନ୍ତି।

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଉଦଘାଟନକୁ ଅନୁମତି ନଦେବା ପାଇଁ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବୁହାଳୋ ସରପଞ୍ଚ ପାଣିଟାଙ୍କି ଉଦ୍‌ଘାଟନ ହେଉ ବୋଲି ଜିଲ୍ଲାପାଳଙ୍କ ନିକଟକୁ ଆଉ ଏକ ଚିଠି ଲେଖିଛନ୍ତି।

ରମାକାନ୍ତ ମହାନ୍ତି କହିଛନ୍ତି, “ସ୍ଥାନୀୟ ନେତାଙ୍କୁ ଉପେକ୍ଷା କରି ସାଂସଦ ପଣ୍ଡା ଏକପାଖିଆ ଭାବେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଦଳ ଭିତରେ ସାଂସଦଙ୍କୁ ବିରୋଧ କରାଯାଇଛି। ସେ ଦଳୀୟ ଫୋରମ୍‌ରେ ଆସି ଆମ ସହ ଆଲୋଚନା କରି ନଥିବାରୁ ଆମେ ସହଯୋଗ କରିବୁ ନାହିଁ।”

“ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଅମୂଳକ ବୋଲି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ କୁହାଯାଇଛି। ଲୋକାର୍ପଣ ଉତ୍ସବକୁ ଆସିବା ପାଇଁ ସ୍ଥାନୀୟ ନେତାଙ୍କୁ ଲିଖିତ ଭାବେ ନିମନ୍ତ୍ରଣ କରାଯାଇଛି”, କହିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ।

ରାଜନୈତିକ ସଚିବ ଶ୍ରୀ ଘୋଷ ଏକ ବିବାଦୀୟ ବୟାନ୍ ମଧ୍ୟ ଦେଇଛନ୍ତି। ତୃତୀୟ ମହଲାର ଜଣେ ଦୁର୍ନୀତିଗ୍ରସ୍ତ ଅଣଓଡ଼ିଆ ଅଫିସର୍ ଏଭଳି ଅସାମାଜିକ ଲୋକଙ୍କୁ ସମର୍ଥନ ଦେଉଥିବା ସେ କହିଛନ୍ତି।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ମାହାଙ୍ଗା ପ୍ରତି ମୋର ଯେତିକି ଦାୟିତ୍ୱ ଅଛି ସାଂସଦଙ୍କର ମଧ୍ୟ ସେତିକି ଦାୟିତ୍ୱ ରହିଛି। ଆମେ ଯେଉଁମାନେ ରାଜନୀତିରେ ଅଛେ, ଆମେ ଆମର ଦାୟିତ୍ୱ ପ୍ରତି ସଚେତନ ହେବା ଦରକାର।”

୨୦୧୭ ମେ ୩୦ରେ ସାଂସଦ ବୈଜୟନ୍ତ ପଣ୍ଡା ମାହାଙ୍ଗାର ଜାତିପାରିଲୋରେ ଏକ ପାଣିଟାଙ୍କି ଉଦ୍‌ଘାଟନ କରିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ। ଏପରିକି ବିଜେଡିର ଏକ ଗୋଷ୍ଠୀ ସାଂସଦଙ୍କ ଉପରକୁ ଅଣ୍ଡା ଓ ଢେଲା ମାଡ କରିଥିବା ଅଭିଯୋଗ ହୋଇଥିଲା।

Comment