ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୬ ବର୍ଷ ପରେ ଓଡ଼ିଶାରେ ତୃତୀୟ ଥର ପାଇଁ ଆୟୋଜନ ହେଉଛି ସମ୍ମିଳନୀ
  • ସମ୍ମିଳନୀରେ ଯୋଗଦେବେ ୮ ହଜାରରୁ ଅଧିକ ବିଶେଷଜ୍ଞ
  • ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ୩୧ ତାରିଖ ଯାଏଁ ଚାଲିବ ସମ୍ମିଳନୀ

ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ। ଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଫ୍ଓଜିଏସ୍ଆଇ) ଆନୁକୂଲ୍ୟରେ  ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ଏହି ସମ୍ମିଳନୀ ଆୟୋଜନ କରୁଛି। ଜାନୁଆରୀ ୧୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ ବୋଲି ଏଓଜିଓ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

୮ ହଜାରରୁ ଅଧିକ ବିଶେଷଜ୍ଞ ଏହି ସମ୍ମିଳନୀରେ ଯୋଗ ଦେବେ। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ୟୁରୋପ ତଥା ଦକ୍ଷିଣ ଏସିଆ ରାଷ୍ଟ୍ରର ୫୫ ଜଣ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଏହି ସମ୍ମିଳନୀରେ ଯୋଗଦେବେ।  ଦୀର୍ଘ ୧୬ ବର୍ଷ ପରେ ଓଡ଼ିଶାରେ ତୃତୀୟ ଥର ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ସମ୍ମିଳନୀ ପାଇଁ ଜନତା ମଇଦାନରେ ଅସ୍ଥାୟୀ ୯ଟି ସମ୍ମିଳନୀ କକ୍ଷ, ୨୦୦ଟି ପ୍ରଦର୍ଶନୀ କକ୍ଷ ସମେତ ପଞ୍ଜିକରଣ ଓ ଅତିଥି ସତ୍କାର କକ୍ଷ ତିଆରି କରାଯାଉଛି। ୧୭ ତାରିଖରେ ପ୍ରଥମେ ରାଜଧାନୀର ତିନୋଟି ମେଡିକାଲ୍ କଲେଜ କିମ୍‌ସ୍, ହାଇଟେକ୍ ଓ ସମ୍ ହସ୍ପିଟାଲରେ ୧୧ଟି କର୍ମଶାଳା ଅନୁଷ୍ଠିତ ହେବ। ୧୮ ତାରିଖରେ ସମ୍ମିଳନୀ ଉଦ୍‌ଘାଟନ କରାଯିବ।

୧୮ ତାରିଖ ସନ୍ଧ୍ୟା ୬ଟାରେ ଜନତା ମଇଦାନରେ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବିଶିଷ୍ଟ ଅତିଥି ରୂପେ ଏହି ସଭାରେ ଯୋଗଦେବେ। ଭାରତୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ସଂଘର ସଭାପତି  ଡାକ୍ତର ରେସମା ପାଇକ୍ ଅଧ୍ୟକ୍ଷତା କରିବେ।  ଏହି ସମ୍ମିଳନୀରେ ଭାରତ ଓ ରାଜ୍ୟ ସରକାରଙ୍କର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ୧୯, ୨୦ ଏବଂ ୨୧ ତାରିଖରେ ୧୦୦୦ ବିଶେଷଜ୍ଞମାନେ ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରିବେ।

ଏଓଜେଓର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାଲାଇଭକୁ କହିଛନ୍ତି ଯେ,  “ଏହି ସମ୍ମିଳନୀ ଓଡ଼ିଶାରେ ତୃତୀୟ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଦେଶ ତଥା ଦେଶ ବାହାରର ଅନେକ ବିଶେଷଜ୍ଞମାନେ ଯୋଗଦେବେ। ଏହା ଏକ ଏକାଡେମିକ ସେସନ୍। ବିଭିନ୍ନ ଦିଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଗର୍ଭାବସ୍ଥାରେ ନାରୀର ସୁରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।”

ଓଡ଼ିଶୀ ନୃତ୍ୟ ଗୁରୁ ମୀରା ଦାସଙ୍କ ଟିମ୍ ଓଡ଼ିଶୀ ପ୍ରଦର୍ଶନ କରିବେ। ଏହା ସହିତ ଛଉ, ଘୁମୁରା ଓ ବିଭିନ୍ନ ପାରମ୍ପରିକ ନୃତ୍ୟ ଉଦ୍‌ଘାଟନୀ ଉତ୍ସବରେ ପ୍ରଦର୍ଶନ କରାଯିବ।

Comment