ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ମହଲାକୁ ନେଇ ଜୋର୍‌ ଧରିଛି ରାଜନୀତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ ତୃତୀୟ ମହଲା ଅଫିସରଙ୍କ ଉପରେ ଟିପ୍ପଣୀ ଦେଇ ରାଜ୍ୟ ରାଜନୀତିକୁ ସର୍‌ଗରମ୍ କରିଛନ୍ତି।

ଓଡ଼ିଶା ସଚିବାଳୟର ତୃତୀୟ ମହଲାକୁ ନେଇ ରାଜନୀତି ଜୋର୍ ଧରିଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ତୃତୀୟ ମହଲାକୁ ଟାର୍ଗେଟ୍ କରି ଆସୁଥିବା ବେଳେ ଏବେ ଶାସକ ଦଳର ନେତା ତୃତୀୟ ମହଲା ଉପରେ ଆଙ୍ଗୁଳି ଉଠାଇଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେଡିରୁ ଇସ୍ତଫା ଦେଇଥିବା ରମାରଞ୍ଜନ ବଳିୟାର ସିଂ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କ କାର୍ଯ୍ୟକଳାପ ଉପରେ ସିଧାସଳଖ ଆଙ୍ଗୁଳି ଉଠାଇ ବିବାଦ ସୃଷ୍ଟି କରିଛନ୍ତି।

ବୈଜୟନ୍ତଙ୍କ ଟାର୍ଗେଟ୍‌ରେ ଅଫିସର୍‌

ଅଫିସରମାନେ ଟପୁଛନ୍ତି ଲକ୍ଷ୍ମଣରେଖା। ନିଜ ସର୍ଭିସ ନିୟମକୁ ଭୁଲିଯାଇ ଦଳୀୟ କାର୍ଯ୍ୟକ୍ରମରେ ହାତ ମାରୁଛନ୍ତି। ଯେଉଁମାନେ ଜନବିରୋଧୀ କାମ କରନ୍ତି ସେମାନଙ୍କୁ ଏହି ଅଫିସରମାନେ ଆଶ୍ରୟ ଦିଅନ୍ତି। ସେଭଳି ଅଫିସରଙ୍କୁ ସମ୍ମାନ ଦେବା କିଛି ଆବଶ୍ୟକ ନାହିଁ ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେଭଳି ଅଫିସରଙ୍କୁ କିଭଳି ବ୍ୟବହାର କରାଯିବା ଦରକାର ତାହା ନିଜେ ବିଜୁବାବୁ ଜନସାଧାରଣଙ୍କୁ କହିଥିଲେ।

ବୈଜୟନ୍ତ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ତାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ମଧ୍ୟ ଗତ ଦୁଇ ଦିନ ତଳେ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ, କିଛି ଅଣଓଡ଼ିଆ ଅଫିସରଙ୍କ ପ୍ରରୋଚନାରେ ପାଣିଟାଙ୍କି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ଚକ୍ରାନ୍ତ ଚାଲିଛି।

ବୈଜୟନ୍ତଙ୍କ ଏହି ସ୍ୱରରେ ସ୍ୱର ମିଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମଧ୍ୟ ତୃତୀୟ ମହଲାର ଅଫିସରଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “ଓଡ଼ିଶା ଏବେ ସାମ୍ବିଧାନିକ ସଙ୍କଟ ଆଡ଼କୁ ଯାଉଛି। ଏଠାରେ ମୁଖ୍ୟ ଶାସନ ସଚିବ କେବଳ ନାଁକୁ ଅଛନ୍ତି। ତୃତୀୟ ମହଲା ଓଡ଼ିଶାର ୫୫୦ ଥାନାକୁ ନିୟନ୍ତ୍ରଣ କରୁଛି।”

ଏହାର ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ଉଭୟ ବୈଜୟନ୍ତ ଏବଂ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି।

“ଉଭୟଙ୍କ ଉକ୍ତି ସମାନ ଭଳି ଲାଗୁଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯେଉଁ କଥା କହି ଆସୁଛନ୍ତି ସେକଥା ଆଜି ସାଂସଦ ଶ୍ରୀ ପଣ୍ଡା କହିଛନ୍ତି। ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ। ଏଣୁ ଏହା ପୂର୍ବରୁ ଅନେକ ଲୋକ ଏପଟ ସେପଟ ହେବାର ସମ୍ଭାବନା ରହିଛି”, କହିଛନ୍ତି ପ୍ରତାପ ଦେବ।

ଏପଟେ ପ୍ରତପ ଦେବଙ୍କ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୁଇ ଜଣ ଲୋକ ସତ କହିଲେ, ତୃତୀୟ ଲୋକ ଏହାକୁ ଭୁଲ୍‌ ବୋଲି କହିଦେଲେ କ’ଣ ତାହା ଭୁଲ୍‌ ହୋଇଯିବ? ଆଜି ପ୍ରତାପ ଦେବଙ୍କୁ ମିଛ ଲାଗୁ ଥାଇପାରେ। କିଛିଦିନ ପରେ ଏହା ତାଙ୍କୁ ବି ସତ ଲାଗିବ।

ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ବି ଆଜି ପୁଣି ଅଫିସର ମନ୍ତବ୍ୟକୁ ଦୋହରାଇଛନ୍ତି। ଓଡ଼ିଶାରେ କ’ଣ ଚାଲିଛି ତାହା କାହାକୁ ଅଛପା ନାହିଁ। ଲୋକମାନେ ସବୁକଥା ଜାଣିଛନ୍ତି। ତୃତୀୟ ମହଲା ଅଫିସରଙ୍କ ରାଜନୈତିକ ସଂପୃକ୍ତି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବୋଲି ଶ୍ରୀ ଘୋଷ କହିଛନ୍ତି।

ଅଣଓଡ଼ିଆ ଅଫିସରଙ୍କ ଉପରେ ବର୍ଷିଲେ ରମା

ସାଂସଦ ବୈଜୟନ୍ତ ପଣ୍ଡା ଅଫିସରଙ୍କ ଉପରେ ବର୍ଷିବା ପରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ ମଧ୍ୟ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କକୁ ସମାଲୋଚନା କରିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ରମା ତାଙ୍କ ଅସନ୍ତୋଷକୁ ଜାହିର୍‌ କରିଛନ୍ତି। ନାଁ ନନେଇ ତାମିଲବାବୁଙ୍କ ଉପରେ ବର୍ଷିଛନ୍ତି ରମା।

ରମା କହିଛନ୍ତି, “ନବୀନ ପଟ୍ଟନାୟକ ଭଲ ଲୋକ ହୋଇଥାଇ ପାରନ୍ତି। କିନ୍ତୁ କ୍ଷମତାଗାଦିରେ ବସିବା ପାଇଁ ସେ ସେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କ କଥାରେ ଚାଲିଥିଲେ। ଆଉ ଏବେ ତାମିଲ୍‌ ଅଫିସରଙ୍କ କଥାରେ ଚାଲିଛନ୍ତି। ବୀରାପ୍ପାନ୍ ତାମିଲନାଡୁରେ ଅରାଜକତା ସୃଷ୍ଟି କରିଥିଲା। ଏବେ ତାମିଲ ଅଫିସରଙ୍କ କଥାରେ ବିଜେଡି ସଭାପତି ପରିଚାଳିତ ହେଉଥିବାରୁ ରାଜନେତାମାନଙ୍କ ସ୍ଥିତି ବିପନ୍ନ ହେବାକୁ ଯାଉଛି।”

ଖାଲି ସେତିକି ନୁହେଁ, ବିଗତ ଦିନରେ ଅଶୋକ ପାଣିଗ୍ରାହୀ ଏବଂ ଅଲେଖ ଜେନା ଦଳ ଛାଡ଼ିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ନେତା ବିଜେଡି ଛାଡ଼ି ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କହିଛନ୍ତି ରମା।

ରମାଙ୍କ ଅଭିଯୋଗକୁ ଅମୂଳକ ଓ ଭିତ୍ତିହୀନ କହିଛି ବିଜେଡି। ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି, “ଦଳରେ ଯାହା ଘଟେ ତାହା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୋଇଥାଏ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲା କହିବାରେ କୌଣସି ଯଥାର୍ଥତା ନାହିଁ।”

Comment