ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛକାପଞ୍ଝା ଭିତରେ ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତକୁ ଆସିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ପାଣ୍ଠିରେ ନିର୍ମିତ ପାଣିଟାଙ୍କିକୁ ଉଦ୍‌ଘାଟନ କରିବା ସହ ବିରୋଧୀଙ୍କୁ ଦେଇଛନ୍ତି ଜବାବ।

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଛକାପଞ୍ଝା ଓ ବାଦବିବାଦ ସତ୍ତ୍ୱେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲିର ବୁହାଳୋ ପଞ୍ଚାୟତରେ ପହଞ୍ଚିଛନ୍ତି। ସାଂସଦ ପାଣ୍ଠିରେ ନିର୍ମିତ ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କିକୁ ଉଦଘାଟନ କରିଛନ୍ତି। ସାଂସଦଙ୍କ ସୁରକ୍ଷା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକରେ ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ପକ୍ଷରୁ ବିରୋଧ କରାଯିବା ସତ୍ତ୍ବେ ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ପହଞ୍ଚିଥିଲେ ନିଶ୍ଚିନ୍ତକୋଇଲି ବ୍ଲକରେ। ପୂର୍ବାହ୍ନ ୧୧ଟାରେ ସାଂସଦ ପହଞ୍ଚିବା ପରେ ବୁହାଳୋ ସରପଞ୍ଚ ଏବଂ ଗ୍ରାମବାସୀ ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ନେଇ ପ୍ରକଳ୍ପସ୍ଥଳକୁ ପାଛୋଟି ନେଇଥିଲେ। ତେବେ ସାଂସଦଙ୍କ ନିମନ୍ତ୍ରଣକ୍ରମେ ୧୧ ବର୍ଷିୟା ଝିଅ ନିରୂପମା ଓଝା ଏହାକୁ ଲୋକାର୍ପଣ କରିଥିଲେ।

ଉଦଘାଟନ କରିବା ପରେ ବୈଜୟନ୍ତ ପଣ୍ଡା କହିଛନ୍ତି, “ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କିକୁ ଉଦଘାଟନ କରି ମୁଁ ବହୁତ ଖୁସି। ଗତବର୍ଷ ମାହାଙ୍ଗାରେ ପାଣିଟାଙ୍କି ଉଦଘାଟନ କରିବା ବେଳେ କିଛି ଲୋକ ମୋତେ ଅଣ୍ଡା ଏବଂ ଢେଲା ମାରି ସ୍ବାଗତ କରିଥିଲେ। ସେତେବେଳେ କହିଥିଲି, ଗୁଳି ମାଡ଼ ହେଲେ ବି ମୋ ନିର୍ବାଚନମଣ୍ଡଳୀକୁ ମୁଁ ଯିବି। ଏହାସହ ବୁହାଳୋ ସରପଞ୍ଚ ଏବଂ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।”

୩ ଦିନ ଧରି ଉଷ୍ମ ଥିଲା ନିଶ୍ଚିନ୍ତକୋଇଲି

୧୧ ତାରିଖରେ ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଉଦ୍‌ଘାଟନ କରାଯିବ। ଏ ସମ୍ପର୍କରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଫିସରୁ ନିମନ୍ତ୍ରଣପତ୍ର ବଣ୍ଟାଯିବା ପରେ ନିଶ୍ଚିନ୍ତକୋଇଲି ରାଜନୀତି ଉଷ୍ମ ହୋଇଯାଇଥିଲା। ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ସାଂସଦଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ଆଇନ୍ ଶଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ କାର୍ଯ୍ୟକ୍ରମ ବାତିଲ କରିବାକୁ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।

ଏହାପରେ ଆରମ୍ଭ ହୋଇଯାଇଥିଲା ଅସଲ ରାଜନୀତି। ଗୋଟିଏପଟେ ବ୍ଲକ ବିଜେଡି ସଭାପତି ଏବଂ କିଛି ସମର୍ଥକ ସାଂସଦ ପଣ୍ଡାଙ୍କୁ ବିରୋଧ କରିଥିବା ବେଳେ ଅନ୍ୟପକ୍ଷେ ବୁହାଳୋ ସରପଞ୍ଚ ଏବଂ ତାଙ୍କ ସମର୍ଥକ ସାଂସଦଙ୍କୁ ସମର୍ଥନ କରିଥିଲେ।

ସାଂସଦଙ୍କୁ ସୁରକ୍ଷା ଦେବା ପାଇଁ ବୁହାଳୋ ସରପଞ୍ଚ ସ୍ନେହାଙ୍ଗିନୀ ଦାସ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ସାଂସଦଙ୍କ ଅଫିସ ତରଫରୁ ମଧ୍ୟ ସାଂଘାତିକ ଅଭିଯୋଗ କରାଯାଇଥିଲା। ସିଧାସଳଖ ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କରିଥିଲା ଜୟ ପଣ୍ଡାଙ୍କ ଅଫିସ୍। ଉଦ୍‌ଘାଟନ କାର୍ଯ୍ୟକ୍ରମ ବାତିଲ ହେବ କି ନହେବ ତାକୁନେଇ ଆଶଙ୍କା ବଢ଼ିଥିଲା। ଶେଷରେ ସାଂସଦ ନିର୍ଦ୍ଧାରିତ ସମୟରେ ବୁହାଳୋ ପଞ୍ଚାୟତରେ ପହଞ୍ଚି ପାଣିଟାଙ୍କି ଲୋକାର୍ପଣ କରିଥିଲେ।

୨୦୧୭ ମେ’୩୦ରେ ହୋଇଥିଲା ବିରୋଧ

୭ ମାସ ତଳେ ସେଇ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖିନ ହୋଇଥିଲେ ସାଂସଦ ଶ୍ରୀ ପଣ୍ଡା। ମାହାଙ୍ଗାର ଜାତିପାରିଲୋ ପଞ୍ଚାୟତରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଉଦ୍‌ଘାଟନ କରିବା ବେଳେ ବିଜେଡିର ଏକ ଗୋଷ୍ଠୀ ପ୍ରବଳ ବିରୋଧ କରିଥିଲେ। ଏହାକୁ ଖାତିର୍ ନକରି ସାଂସଦ ଜାତିପାରିଲୋକୁ ଆସିଥିଲେ ଏବଂ ପାଣିଟାଙ୍କି ଲୋକାର୍ପିତ କରିଥିଲେ।

ଏହି ଲୋକାର୍ପଣ ବେଳେ ସାଂସଦଙ୍କ ଉପରକୁ ବିଜେଡିର କିଛି ଗୋଷ୍ଠୀ ଅଣ୍ଡା ଓ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସେତେବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ଭି ସୁଜ୍ଞାନୀ ଦେଓଙ୍କୁ ଦାୟିତ୍ତ୍ୱ ଦେଇଥିଲା। ହେଲେ ଘଟଣାର ସମାଧାନ ହୋଇପାରି ନଥିଲା। ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରପ କରିପାରି ନଥିଲା। ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଉଠିବା ପରେ ଏବଂ ସାଂସଦ ଟୁଇଟରରେ ଉଦ୍‌ବେଗ ପ୍ରକାଶ କରିବା ପରେ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା।

ମହିଳାମାନେ କଲେ ବିରୋଧ

ଜାତିପାରିଲୋ ଭଳି ବୁହାଳୋରେ ମଧ୍ୟ ସାଂସଦ ହଟହଟାର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବୁହାଳୋ ପଞ୍ଚାୟତବାସୀଙ୍କ ସମର୍ଥନ ଯୋଗୁଁ କିଛି ଅଘଟଣ ଘଟି ନଥିଲା। ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ସେପରି କୌଣସି ପ୍ରତିବାଦ କରାଯାଇ ନଥିଲା। କିଛି ମହିଳାମାନେ ନିଶ୍ଚିନ୍ତକୋଇଲିର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଛିଡ଼ା ହୋଇ ସାଂସଦଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଆଉ କିଛି ଅଘଟଣ ଆଜି ଘଟି ନଥିବା ଜଣାପଡ଼ିଛି।

Comment