ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି

ସହରରେ ସଂଗୀତକୁ ନେଇ ଯେ କୌଣସି କାର୍ଯ୍ୟକ୍ରମ ହେଲେ ଆୟୋଜକମାନେ ଖୋଜିଥାନ୍ତି ଅମୃତାଂଶୁଙ୍କୁ। ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ ସାଙ୍ଗକୁ ଆଲବମ୍, ସିନେମା ଓ ଯାତ୍ରାଜଗତରେ ଅମୃତାଂଶୁଙ୍କର ଚର୍ଚ୍ଚା ଚାଲେ। ସହରର ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଇ ସଙ୍ଗୀତକୁ ଏକ ପେସା କରିବାର ମାହୋଲ୍ ତିଆରି କରିଛନ୍ତି ଅମୃତାଂଶୁ।

“ସଙ୍ଗୀତ ମୋତେ ଯେତିକି ପରିଚୟ ଦେଇଛି ଆଉ କୌଣସି ବୃତ୍ତିରେ ସେ ପରିଚୟ ମୁଁ ପାଇପାରିନଥାନ୍ତି। ସଙ୍ଗୀତ ନିର୍ଦ୍ଦେଶକ ଭାବରେ ମୋର ଏଇ ସ୍ୱତନ୍ତ୍ର ପରିଚୟ ସଙ୍ଗୀତ ହିଁ ଦେଇଛି। ତେଣୁ ମନରେ ଅଧ୍ୟାପକଟିଏ ହେବାର ଆଶା କେବେ ଉଙ୍କି ମାରିଥିଲେ ମଧ୍ୟ ଆଜିର ଦିନରେ ସଙ୍ଗୀତକୁ ନେଇ ସୁଖୀ ମୁଁ”, କହିଛନ୍ତି ଅମୃତାଂଶୁ ପଟ୍ଟନାୟକ।

ସହରରେ ସଂଗୀତକୁ ନେଇ ଯେ କୌଣସି କାର୍ଯ୍ୟକ୍ରମ ହେଲେ ଆୟୋଜକମାନେ ଖୋଜିଥାନ୍ତି ଅମୃତାଂଶୁଙ୍କୁ। ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ ସାଙ୍ଗକୁ ଆଲବମ୍, ସିନେମା ଓ ଯାତ୍ରାଜଗତରେ ଅମୃତାଂଶୁଙ୍କର ଚର୍ଚ୍ଚା ଚାଲେ। ସହରର ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଇ ସଙ୍ଗୀତକୁ ଏକ ପେସା କରିବାର ମାହୋଲ୍ ତିଆରି କରିଛନ୍ତି ଅମୃତାଂଶୁ।

ରାଜନୀଳଗିରି (ବାଲେଶ୍ୱର ଜିଲ୍ଲା)  ସ୍ଥିତ ଅଳସୁଆଁ ଗ୍ରାମରେ ୧୯୬୪ ମସିହା ଜୁନ ୬ ତାରିଖରେ ଜନ୍ମଗ୍ରହଣ କରିଥିବା ଅମୃତାଂଶୁ ଆଜି ୫୩ ବର୍ଷରେ ପହଞ୍ଚିଛନ୍ତି। ହେଲେ ସେ ଖୁସି ମିଜାଜର ମଣିଷ ହୋଇଥିବାରୁ ବର୍ତ୍ତମାନ ସେ ଯୁବକ ଭଳି ଦେଖାଯାଆନ୍ତି।

ଅମୃତାଂଶୁ କହିଛନ୍ତି, “ମୁଁ ସକାଳୁ ୨ ଘଣ୍ଟା  ସଂଗୀତର ରିଆଜ୍ କରେ। ଗୋଟେ ଆତ୍ମିକ କମ୍ପନ ଦେହ ଭିତରଟାକୁ ପରିଷ୍କାର କରିଦିଏ। ତା’ ପରେ  ପ୍ରଶାନ୍ତ ଭାଇଙ୍କ ଖଟିରେ ଲଘୁକଥା କହି ହସେ ଓ ହସାଏ। ବାସ୍, ଏତିକି ମୋର ଜୀବନ ରହସ୍ୟ।”

ସଂଗୀତର ଅସରନ୍ତି ଦୁନିଆ ଭିତରକୁ କେମିତି ପଶିଲେ ଅମୃତାଂଶୁ? କେମିତି ଆଧୁନିକ ଚାକଚକ୍ୟପଣକୁ ପଛ କରି ସେ ସାଧନାର ଏ ମାର୍ଗକୁ  ଆପଣେଇଲେ ତାହା ଜାଣିବା ପାଇଁ ତାଙ୍କ ଜୀବନର ପ୍ରଥମ ସୋପାନକୁ ଯିବାକୁ ପଡ଼ିବ।

ଅମୃତାଂଶୁଙ୍କ ବାପା ସ୍ୱର୍ଗତ ପାର୍ଥସାରଥୀ ପଟ୍ଟନାୟକ ଥିଲେ ସେ ସମୟର ଜଣେ ଖ୍ୟାତନାମା ସଂଗୀତସାଧକ। ମାଆ ସ୍ୱର୍ଗତା ନିର୍ମଳା ପଟ୍ଟନାୟକ। ଘରେ ଗୋଟେ ସଂଗୀତମୟ ପରିବେଶ ଥିଲା। ଘରର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ସଂଗୀତ ଆଡକୁ ଆପେ ଢଳି ପଡ଼ୁଥିଲେ।

“ମୁଁ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସଂଗୀତ ଶିକ୍ଷା ଆରମ୍ଭ କରି ଦେଇଥିଲି। ବାପାଙ୍କ ପ୍ରଭାବ ମୋ ଉପରେ ବିଶେଷ ଭାବରେ ପଡ଼ିଥିଲା। ମୁଁ ସେତେବେଳେ ଗାଁ ୟୁପି ସ୍କୁଲରେ ପାଠ ପଢ଼ୁଥିଲି, ତା’ ସହ ସଂଗୀତ ମଧ୍ୟ ଶିଖୁଥିଲି। ସୁତରାଂ ସଂଗୀତ ପ୍ରତି ଘରର ପରିବେଶ ମୋତେ ଆକୃଷ୍ଟ କରିଥିଲା”, କହିଛନ୍ତି ଅମୃତାଂଶୁ।

ଅମୃତାଂଶୁଙ୍କ ସଂଗୀତର ଏ ଯାତ୍ରା ଆରମ୍ଭ ହେଲା ସିନା, ସରିଲା ନାହିଁ। ଧୀରେ ଧୀରେ ସେ ସାରେଗାମାର ସୁରରେ ହେଲେ ପାଗଳ। ସାନପୁଟପୁର ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ଡ୍ରାମାଟିକ୍ ସେକ୍ରେଟାରୀ ହେଲେ। ଗାଇବା ଆରମ୍ଭ କଲେ। ସ୍ୱର ମଧ୍ୟ ଦେଲେ। ମାଟ୍ରିକ୍ ପଢ଼ିବା ପର୍ଯ୍ୟନ୍ତ ସେ ଗୀତରେ ସ୍ୱର ଦେବା ସହ କଣ୍ଠଦାନ କରୁଥିଲେ। ୧୯୮୧-୮୨ ବେଳକୁ ନୀଳଗିରି କଲେଜରେ ଆଇ.ଏ. ଏବଂ ୧୯୮୩ ବେଳକୁ ସୋରସ୍ଥିତ ୟୁ.ଏନ୍. କଲେଜରେ ପାଠ ପଢ଼ିବା ସହ ଡ୍ରାମାଟିକ୍ ସେକ୍ରେଟାରୀ ଭାବେ ଜିତିଲା ଫଳରେ ସଂଗୀତ ଶିକ୍ଷା ପ୍ରତି ଆଗ୍ରହ ଆହୁରି ଦୃଢ଼ତର ହେଲା। ସେତେବେଳେ କଲେଜ ଫଙ୍କସନ ଓ ଅନ୍ୟାନ୍ୟ ଉତ୍ସବ ଆଦିରେ ଗୀତ ଗାଇବା ଓ ସ୍ୱର ଦେବା ଯୋଗୁଁ ଲୋକସମ୍ପର୍କ ବଢ଼ିଲା। ପରେ ପରେ ଗ୍ରାଜୁଏସନ୍ ବେଳକୁ ଫକୀର ମୋହନ କଲେଜକୁ ଆସିଲେ ସେ। ଏଠି ମଧ୍ୟ ତାଙ୍କୁ ଡ୍ରାମାଟିକ୍ ସେକ୍ରେଟାରୀ କରି ଦିଆଗଲା।

ବାଲେଶ୍ୱରକୁ ଆସିବା ପରେ ମୋ ଜୀବନର ମୋଡ଼ ବଦଳିଗଲା। ବାଲେଶ୍ୱର ମୋତେ ପ୍ଳାଟ୍‌ଫର୍ମ ଦେଲା। ପରିଚୟ ଦେଲା ବୋଲି କୁହନ୍ତି ଅମୃତାଂଶୁ।

ପ୍ରଥମେ ଆଲବମରେ ମିଳିଲା ସୁଯୋଗ। ତା’ ପରେ ୧୯୯୬ ବେଳକୁ ‘ରୂପାଗାଁର ସୁନାକନିଆ’ ଓ ‘ରୂପାଚଢ଼େଇ’ ନାମକ ଦୁଇଟି ଚଳଚ୍ଚିତ୍ରରେ ସେ କଣ୍ଠଦାନ ସୁଯୋଗ ପାଇଲେ ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତିଦାସଙ୍କ ସହିତ। ପରେ ପରେ ଯାତ୍ରାସଂଗୀତକୁ ପ୍ରବେଶ ଘଟିଲା ଅମୃତାଂଶୁଙ୍କର। ଏ ଦିଗରେ ଭରତଚନ୍ଦ୍ର ବାରିକ ଓ କୁଳମଣି ବାରିକଙ୍କର ସହଯୋଗ କଥା ଅମୃତାଂଶୁ ଭୁଲିନାହାନ୍ତି।

ପତ୍ନୀ ରେଖା, ଝିଅ ରୀତିକାଙ୍କୁ ନେଇ ବାଲେଶ୍ୱର ସହରରେ ରହନ୍ତି ଅମୃତାଂଶୁ। ଜୀବନରେ ଅନେକ ସଂଘର୍ଷ ସହିଥିଲେ ମଧ୍ୟ ଆଜି ନିଜ ପାଇଁ ସଙ୍ଗୀତ ଦୁନିଆରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ସେ। ତାହା ହିଁ ତାଙ୍କ ସଫଳତା।

LEAVE A REPLY

Please enter your comment!
Please enter your name here