ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଘଟଣାରେ ଚୁରମାର୍ ହୋଇଯାଇଥିବା ବିଏମଡବ୍ଲ୍ୟୁ କାର୍
  • ରାତି ଅନ୍ଧାରରେ ସାହା ହେଲା ଦମକଳର ହେଡ୍‌ଲାଇଟ୍‌
  • ଶାବଳରେ ତାଡ଼ି ଗାଡ଼ିରୁ ଆହତଙ୍କୁ କରାଗଲା ଉଦ୍ଧାର
  • ଚାଳକଙ୍କୁ ଉଦ୍ଧାର ପାଇଁ ଦରକାର ପଡ଼ିଲା ଗ୍ୟାସ୍‌ କଟର
  • ଚମ୍ପାହାର ଦମକଳ କେନ୍ଦ୍ର କର୍ମଚାରୀ କଲେ ଉଦ୍ଧାର
  • ଘଟଣାସ୍ଥଳରେ ପହଞ୍ଚିଥିଲେ ରାମଚଣ୍ଡି ଓ କୋଣାର୍କ ଥାନା ପୋଲିସ୍
  • ୧ ଘଣ୍ଟା ଧରି ଚାଲିଥିଲା ଜଟିଳ ଅପରେସନ୍‌
  • କାମ କଲାନି ବିଏମଡବ୍ଲ୍ୟୁର ଏୟାର ବ୍ୟାଗ୍‌

ରବିବାର ରାତି ପ୍ରାୟ ୨ଟା ୩୦ ମିନିଟ୍‌। ଜାନୁଆରୀ ମାସର କୁହୁଡ଼ି ଘେରା ରାତି। ଶୁନ୍‌ଶାନ୍‌ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଶୁଭୁଥିଲା ବିଶାଳ ସମୁଦ୍ରର ଗର୍ଜନ। ହେଲେ ଏତିକି ବେଳେ ମେରାଇନ୍‌ ଡ୍ରାଇଭ୍‌ର ନିଆଖିଆ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଅନ୍ଧାର ରାତିରେ ଝାଉଁ ଗଛରେ ପିଟି ହୋଇଯାଇଥିଲା ବିଏମଡବ୍ଲ୍ୟୁ କାର୍‌। ଗାଡ଼ି ଭିତରେ ଅଚେତ ଅବସ୍ଥାରେ ରହିଥିଲେ ୪ ଜଣ।

ହେଲେ ଏହି ଦୁର୍ଘଟଣା ଯେତିକି ଲୋମଟାଙ୍କୁରା ଥିଲା ତାଠୁ ଅଧିକ ଜଟିଳ ଥିଲା ଉଦ୍ଧାର କାର୍ଯ୍ୟ। ରାମଚଣ୍ଡି ଥାନାର ପୋଲିସ ଏବଂ ଚମ୍ପାହାର ଦମକଳ ବାହିନୀ କର୍ମଚାରୀ ଆହତ ୪ ଜଣଙ୍କୁ ଯେପରି ଗାଡ଼ି ଭିତରୁ ଉଦ୍ଧାର କଲେ ତାହା ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶି। ଦମକଳର ହେଡ୍‌ ଲାଇଟ୍‌, ଶାବଳ ଏବଂ ଗ୍ୟାସ୍‌ କଟର ମାଧ୍ୟମରେ ଆହତମାନଙ୍କୁ କରାଯାଇଥିଲା ଉଦ୍ଧାର।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ନନ୍ଦକିଶୋର ମହାପାତ୍ର

ଦୁର୍ଘଟଣା ସମ୍ପର୍କରେ ପ୍ରଥମେ ଖବର ପାଇଥିଲା ରାମଚଣ୍ଡି ପୋଲିସ। ରାମଚଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ କାର୍‌ ଡୋର୍ ନଖୋଲିବାରୁ କୋଣାର୍କ ଥାନାକୁ ଦିଆଯାଇଥିଲା ଖବର। କୋଣାର୍କ ଏବଂ ରାମଚଣ୍ଡି ପୋଲିସ କାର୍‌ ଡୋର୍‌ ଖୋଲିବାରେ ବିଫଳ ହେବାରୁ ଚମ୍ପାହାର ଦମକଳ କେନ୍ଦ୍ରକୁ ଦିଆଯାଇଥିଲା ଖବର।

ଦମକଳ ବାହିନୀ କର୍ମଚାରୀ ଖବରପାଇ ନିଆଖିଆ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହି ଉଦ୍ଧାର କାର୍ଯ୍ୟ ସହଜ ନଥିଲା। ଏଥିପାଇଁ ଦମକଳ ବାହିନୀକୁ କସରତ୍ କରିବାକୁ ପଡ଼ିଥିଲା।

କାର୍‌ଟି ଝାଉଁଗଛରେ ଜୋରରେ ପିଟି ହୋଇଥିବାରୁ ଗଛଟି ଭାଙ୍ଗିଯାଇ ଗାଡ଼ି ଉପରେ ପଡ଼ି ଯାଇଥିଲା। ଫଳରେ କାର୍‌ ଡୋର କାମ କରି ନଥିଲା। ଏଥିପାଇଁ ଦମକଳ ବାହିନୀ ଶାବଳ ବ୍ୟବହାର କରିଥିଲେ। ଶାବଳରେ କାର୍ ଡୋରକୁ ତାଡି ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲେ।

ଏ ସମ୍ପର୍କରେ ଚମ୍ପାହାର ଫାୟାରଷ୍ଟେସନର ଇନଚାର୍ଜ ଜ୍ୟୋତିପ୍ରକାଶ ରଥ ଓଡ଼ିଶାଲାଇଭ୍‌କୁ କହିଛନ୍ତି, “ଦୁର୍ଘଟଣାରେ ବିଏମଡବ୍ଲ୍ୟୁ ଗାଡ଼ିଟି ଚୁର୍‌ମାର୍‌ ହୋଇଯାଇଥିଲା। ଯେଉଁ ଗଛରେ ଗାଡ଼ିଟି ପିଟି ହୋଇଥିଲା ସେ ଗଛଟି ଭାଙ୍ଗି ଗାଡ଼ି ଉପରେ ପଡ଼ିଥିଲା। ପ୍ରଥମେ ଶାବଳ ମାଧ୍ୟମରେ କାର୍‌ର ଡୋରକୁ ତାଡ଼ି ଦୁଇ ଯୁବକ ଏବଂ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଇଥିଲେ। ରାତିର ଅନ୍ଧାରରେ ସବୁକିଛି ଦେଖିବା ସମ୍ଭବ ହୋଇନଥିଲା। ତେଣୁ ଆମ କର୍ମଚାରୀ ଦମକଳ ଗାଡ଼ିର ହେଡ୍‌ଲାଇଟ୍‌ରେ ଉଦ୍ଧାର କାର୍ଯ୍ୟ କରିଥିଲେ।”

“ଯେଉଁ ଯୁବକ ଜଣକ କାର୍ ଚଲାଉଥିଲେ ତାଙ୍କୁ ଉଦ୍ଧାର କରିବା ସହଜ ହୋଇନଥିଲା। ତେଣୁ ଆମେ ଡିଏସ୍ପି ହେଡ୍‌କ୍ୱାର୍ଟର ପୁରୀକୁ ଜଣାଇବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମେ ଗ୍ୟାସକଟର ମାଧ୍ୟମରେ ଡୋରକୁ କାଟି ଗାଡ଼ି ଚଳାଉଥିବ ଯୁବକଙ୍କୁ ଊଦ୍ଧାର କରିଥିଲୁ। ପାଖାପାଖି ଏକ ଘଣ୍ଟା ଧରି ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା ଉଦ୍ଧାର ହୋଇଥିବା ଯୁବକ ଯୁବତୀ ଅଚେତ ହୋଇଯାଇଥିଲେ”, କହିଛନ୍ତି ଜ୍ୟୋତିପ୍ରକାଶ ରଥ।

ଉଦ୍ଧାର ପରେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲ ଯିବା ରାସ୍ତାରେ ନନ୍ଦ କିଶୋର ମହାପାତ୍ର ଓରଫ୍ ନନ୍ଦୁଙ୍କ ଜୀବନ ଚାଲି ଯାଇଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି।

ରବିବାର ବିଳମ୍ବିତ ରାତିରେ ଗୋଟିଏ ଅଡି ଏବଂ ଗୋଟିଏ ବିଏମଡବ୍ଲ୍ୟୁ ଦ୍ରୁତ ବେଗରେ ଯାଉଥିଲେ। ଭୁବନେଶ୍ବରରୁ ଏହି ଦଉଇଟି ଗାଡ଼ି ପୁରୀ ଅଭିମୁଖେ ଯାଉଥିଲା। ପୁରୀ-କୋଣାର୍କ ମେରାଇନ୍‌ଡ୍ରାଇଭ୍‌ ଦେଇ ଏହି ଦୁଇଟି ଗାଡ଼ି ଆଗ ପଛ ହୋଇ ଯାଉଥିଲା। କିନ୍ତୁ ପୁରୀରେ ପହଞ୍ଚିବା ପୂର୍ବରୁ ବିଏମଡବ୍ଲ୍ୟୁ ଗାଡ଼ିଟି ନିଆଖିଆ ଓଭରବ୍ରିଜ ନିକଟରେ ଏକ ଝାଉଁଗଛରେ ପିଟି ହୋଇଯାଇଥିଲା। ଗଛକୁ ଧକ୍କା ଦେବା ପରେ ଗାଡ଼ିଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ବିଏମଡବ୍ଲ୍ୟୁଟି ଏତେ ଜୋର୍‌ରେ ଗଛରେ ପିଟି ହୋଇଥିଲା ଯେ ଗାଡ଼ିର ସୁରକ୍ଷା ଏୟାର ବ୍ୟାଗ୍‌ ଖରାପ ହୋଇଯାଇଥିଲା। ଫଳରେ ଦୁର୍ଘଟଣାରୁ ଗାଡ଼ିକୁ ସୁରକ୍ଷା ମିଳିପାରି ନଥିଲା। ଫଳରେ କାର୍‌ର ଆଗଚକା ପଛ ଚକାରେ ମିଶି ଯାଇଥିଲା। ଗାଡ଼ି ଆଗରେ ବସିଥିବା ନନ୍ଦୁଙ୍କ ଜୀବନ ଚାଲି ଯାଇଥିଲା।

Comment