ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମର ନାଁ ବଦଳିଲା। ସେନ୍‌ସର୍‌ ବୋର୍ଡର ଆଦେଶ ଅନୁଯାୟୀ ‘ପଦ୍ମାପତୀ’ରୁ ‘ପଦ୍ମାବତ୍‌’ ହେଲା। ତଥାପି ଏହି ଫିଲ୍ମକୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ବଦଳରେ ମିଳୁଛି ରେଡ୍‌ ସିଗ୍‌ନାଲ୍‌। ୩ଟି ରାଜ୍ୟରେ ଏହି ଫିଲ୍ମ ବ୍ୟାନ୍‌ ହେବା ପରେ ମଙ୍ଗଳବାର ହରିୟାଣା ସରକାର ବି ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ନେଇଛନ୍ତି ନିଷ୍ପତ୍ତି।

୩ଟି ରାଜ୍ୟରେ ଫିଲ୍ମ ‘ପଦ୍ମାବତ୍’ ବ୍ୟାନ୍‌ ହେବା ପରେ ହରିୟାଣାରେ ବି ଏହି ଫିଲ୍ମକୁ ରେଡ୍ ସିଗନାଲ ମିଳିଛି। ଏହି ଫିଲ୍ମ ହରିୟାଣାରେ ରିଲିଜ୍‌ ହୋଇପାରିବ ନାହିଁ ବୋଲି ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହା ସ୍ଥିର କରାଯାଇଛି।

ରଣବୀର, ଦୀପିକା, ସହିଦ କପୁରଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ପଦ୍ମାବତ୍’କୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି। ରାଜପୁତମାନେ ଏହି ଫିଲ୍ମକୁ ବିରୋଧ କରିବା ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ଫିଲ୍ମକୁ ନିଷିଦ୍ଧ କରାଯାଉଛି।

ସେନ୍‌ସର ବୋର୍ଡରୁ ଅନୁମତି ମିଳିବା ପରେ ଜାନୁଆରୀ ୨୫ ତାରିଖରେ ଏହି ଫିଲ୍ମ ଭାରତରେ ରିଲିଜ କରିବା ପାଇଁ ପ୍ରଯୋଜନା ସଂସ୍ଥା ଅଣ୍ଟା ଭିଡ଼ିଥିଲା। ହେଲେ ରାଜସ୍ଥାନରେ ଏହି ଫିଲ୍ମ ରିଲିଜ ହେବନାହିଁ ବୋଲି ସେଠାକାର ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସରକାର ମଧ୍ୟ ଏହି ନିଷ୍ପତ୍ତି ନେଇଛନ୍ତି।

ହରିୟାଣା ସରକାରଙ୍କ ମନ୍ତ୍ରୀ ଅନିଲ ବେଜ୍ କହିଛନ୍ତି, “ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣାରେ ଏହି ଫିଲ୍ମ ବ୍ୟାନ୍ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କ୍ୟାବିନେଟ୍‌ରେ ଆଗତ ହୋଇଥିବା ଏହି ପ୍ରସ୍ତାବ ଉପରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି।”

ଗୁଜରାଟରେ ବିଜୟ ରୂପାଣୀଙ୍କ ସରକାର, ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ସରକାର ଏବଂ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନଙ୍କ ସରକାର ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିଛନ୍ତି।

ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏହି ଫିଲ୍ମ ୩ଟି ଭାଷାରେ ତିଆରି କରାଯାଇଛି। ତାମିଲ୍‌, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଏହି ଫିଲ୍ମ ରିଲିଜ୍ ହେବ। ସେନ୍‌ସର୍‌ ବୋର୍ଡ ୫ଟି ନିୟମ ଆଧାରରରେ ଏହି ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରିଛି। କରଣୀ ସେନା ମଧ୍ୟ ଏହି ଫିଲ୍ମ ରିଲିଜ ହେଲେ ସିନେମା ହଲ୍‌ ଜଳିବ ବୋଲି ଧମକ ଦେଇଛି।

Comment