ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଜାନୁଆରୀ ୧୧ ତାରିଖରେ ଦଳ ଛାଡ଼ିଥିଲେ ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ। ସେ ଜାନୁଆରୀ ୨୦ରେ ବିଜେପିରେ ଯୋଗଦେବେ।

ପଦ୍ମ ଧରିବେ ରମା ରଞ୍ଜନ ବଳିୟାର ସିଂ। ଜାନୁଆରୀ ୨୦ ତାରିଖରେ ସେ ବିଜେପିରେ ଯୋଗଦେବେ। ବିଜେପି ପାର୍ଟି ଅଫିସ୍‌ରେ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ଯୋଗଦେବେ ବୋଲି ରମା କହିଛନ୍ତି। ଏହାସହ ତାଙ୍କ ସହ ଶତାଧିକ କର୍ମୀ ମଧ୍ୟ ପାର୍ଟିରେ ସାମିଲ୍‌ ହେବେ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ରମା ଜାନୁଆରୀ ୧୧ରେ ବିଜେଡି ଛାଡ଼ିଥିଲେ। ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ନବୀନଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। ଏହାସହ ତୃତୀୟ ମହଲାକୁ ମଧ୍ୟ ଟାର୍ଗଟ୍ କରିଥିଲେ। ତାମିଲ୍‌ବାବୁଙ୍କ ପରାମର୍ଶରେ ଦଳ ପରିଚାଳିତ ହେଉଛି ବୋଲି ସେ ଅଭିଯୋଗ କରିଥିଲେ।

ରମା ବିଜେଡି ଛାଡ଼ିବା ପରେ ତାଙ୍କ ରାଜନୀତି କ୍ୟାରିଅର୍‌କୁ ନେଇ ପ୍ରଶ୍ନବାଚୀ ଉଠିଥିଲା। ରମା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ରମା ଏ ବିଷୟରେ ସ୍ପଷ୍ଟ କରି ନଥିଲେ।

ଗୁରୁବାର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରମା ବିଜେପି ଆସିବା ସ୍ପଷ୍ଟ ହୋଇଛି। ସମର୍ଥକଙ୍କୁ ନେଇ ରମା ୨୦ ତାରିଖରେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି।

ରମା ରଞ୍ଜନ ବଳିୟାର ସିଂ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ମୋତେ ଆକର୍ଷିତ କରିଛି। ମୋଦିଙ୍କ ବିକାଶଧାରାରେ ସାମିଲ୍‌ ହେବାକୁ ମୁଁ ଚାହୁଁଛି। ମୋ ସମର୍ଥକଙ୍କ ନିଷ୍ପତ୍ତି ଅନୁସାରେ ୨୦ ତାରିଖରେ ମୁଁ ବିଜେପିରେ ଯୋଗଦେବି।”

ନବୀନ ଓଡ଼ିଶା ଚଳାଇବାରେ ଏବଂ ଦଳକୁ ନିୟନ୍ତ୍ରଣ କରିବାରେ ଅସମର୍ଥ କହିବା ସହ ଜଣେ ତାମିଲ୍‌ବାବୁଙ୍କ ଇସାରାରେ ଦଳ ପରିଚାଳିତ ହେଉଥିବା କହି ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି ଏହି ବରିଷ୍ଠ ନେତା।

“ଆପଣଙ୍କ ନିକଟରେ ଆମେ ସୁରକ୍ଷିତ ନୋହୁଁ। ଆପଣଙ୍କ ଅଦୂରଦର୍ଶିତା କାରଣରୁ ଦଳର ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି। ତାମିଲବାବୁ ଏବଂ କିଛି ଆଙ୍ଗୁଠିଗଣତି ନେତାଙ୍କ ପ୍ରରୋଚନାରେ ଯାହା ଚାଲିଛି ତାହା ଆପଣଙ୍କ ପାଇଁ ଆତ୍ମଘାତୀ ହେବ”, ନବୀନ ପଟ୍ଟନାୟକଙ୍କ ନିକଟକୁ ଦିଆଯାଇଥିବା ଇସ୍ତଫାପତ୍ରରେ ରମାରଞ୍ଜନ ଏହା ଉଲ୍ଲେଖ କରିଛନ୍ତି। ତାଙ୍କ ମନରେ ଥିବା ଅସନ୍ତୋଷକୁ ସେ ଏହା ମାଧ୍ୟମରେ ଜାହିର୍‌ କରିଛନ୍ତି।

ରମାରଞ୍ଜନ ବଳିୟାର ସିଂହ ଥିଲେ ବିଜେଡିର ଜଣେ ଆଗଧାଡ଼ିର ନେତା। ୨୦୧୪ରେ ସେ ବିଜେଡି ଟିକେଟରେ ସତ୍ୟବାଦୀରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସ୍ୱାଧୀନ ସଭ୍ୟ ଉମାକାନ୍ତ ସାମନ୍ତସିଂହାରଙ୍କଠାରୁ ସେ ପରାଜିତ ହୋଇଥିଲେ। ୨୦୦୪ରେ ସେ ସ୍ବାଧୀନ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୪ ନିର୍ବାଚନ ପରେ ରମା ବିଜେଡିରେ ଅଲୋଡା ହୋଇଯାଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ବାଧୀନ ସଭ୍ୟ ଉମାକାନ୍ତ ସାମନ୍ତସିଂହାର ବିଜେଡିରେ ମିଶିବା ପରେ ରମାରଞ୍ଜନଙ୍କ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ରମା ଆଜି ଦଳ ଛାଡ଼ିଛନ୍ତି।

ଦଳ ଛାଡ଼ିବା ବେଳେ ରମା ଆହୁରି କହିଥିଲେ, “ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ମୁଁ କାର୍ଯ୍ୟ କରୁଥିଲି। ୨୦୦୮-୦୯ରେ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିଲି। ୨୦୧୪ ନିର୍ବାଚନରେ ମୁଁ ମାତ୍ର ୧୫୦୦ ଭୋଟରେ ପରାଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ମୋ ସହ ଅନ୍ୟାୟ କରାଯାଇଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମକୁ ମୋତେ ଡକାଗଲା ନାହିଁ। ମୋ ଅଜାଣତରେ ସତ୍ୟବାଦୀର ସ୍ୱାଧୀନ ସଭ୍ୟଙ୍କୁ ଦଳରେ ସାମିଲ୍‌ କରାଗଲା। ଏହା ଅତ୍ୟନ୍ତ ଦୁଃଖଦାୟକ।”

Comment