ଓଡ଼ିଶାଲାଇଭ୍‍ ବ୍ୟୁରୋ

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଶେଷ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ପ୍ରମିଳା ମଲ୍ଲିକ। ଏବେ ନବୀନ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର।

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଶେଷ ହୋଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ତଦନ୍ତ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଏବେ ନିଷ୍ପତ୍ତି ନବୀନଙ୍କ ହାତରେ। ରିପୋର୍ଟ ପାଇବା ପରେ ବିଜେଡି ସଭାପତି ବୈଜୟନ୍ତଙ୍କ ଭାଗ୍ୟ କିପରି ନିର୍ଦ୍ଧାରଣ କରୁଛନ୍ତି ତା’ଉପରେ ଏବେ ସମସ୍ତଙ୍କ ନଜର।

ପ୍ରମିଳା ମଲ୍ଲିକ କହିଛନ୍ତି, “ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଛି। ଗ୍ରାଉଣ୍ଡକୁ ଯାଇ ନିର୍ବାଚିତ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛି। ସାଂସଦଙ୍କ ସହ ମଧ୍ୟ ଫୋନ୍‌ରେ କଥା ହୋଇଛି। ସାଂସଦଙ୍କ ସପକ୍ଷରେ କିଛି ମତ ଆସିଥିବା ବେଳେ ବିପକ୍ଷରେ କିଛି ମତ ଆସିଛି।”

୨୦୧୭ ମେ’୩୦ ତାରିଖରେ ମାହାଙ୍ଗା ଜାତିପାରିଲୋରେ ପାଣିଟାଙ୍କି ଉଦଘାଟନ ବେଳେ ଘଟିଥିଲା ତୁମୁଳକାଣ୍ଡ। ବିଜେଡିର ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରି ସାଂସଦଙ୍କ ଉପରକୁ ଅଣ୍ଡା ଓ ଢେଲା ମାଡ଼ କରିଥିଲେ। ସେତେବେଳେ ଏହି ଘଟଣାର ତଦନ୍ତ ହୋଇଥିଲା।

କଟକ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଉଷା ଦେବୀ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ମଧ୍ୟ ସେ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ। ହେଲେ ସେ ରିପୋର୍ଟରେ କ’ଣ ଉଲ୍ଲେଖ ଥିଲା ତାହା ଜଣାପଡ଼ିଲା ନାହିଁ କି ନବୀନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଏହି ତଦନ୍ତ କେବଳ ଧର୍ମକୁ ଆଖିଠାର ଥିଲା ବୋଲି ରାଜନୀତି ପର୍ଯ୍ୟବେକ୍ଷକ ଚର୍ଚ୍ଚା କଲେ।

ମାହାଙ୍ଗା ଘଟଣାର ୭ ମାସ ପରେ ନିଶ୍ଚିନ୍ତକୋଇଲି ବ୍ଲକରେ ସାଂସଦ ପାଣିଟାଙ୍କି ଉଦଘାଟନ କଲେ। ଏଥିରେ ବ୍ଲକ ବିଜେଡି କର୍ମୀ ସାଂସଦଙ୍କୁ ଅସହଯୋଗ କଲେ। ସାଂସଦ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କଲେ।

ଏହାପରେ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଭିନ୍ନ ବ୍ଲକର ଦଳୀୟ କର୍ମୀ ପାଳି କରି ନବୀନ ନିବାସକୁ ଆସି ସାଂସଦଙ୍କ ବିରୋଧରେ ଫେରାଦ କଲେ। ସାଂସଦ ଦଳୀୟ କର୍ମୀଙ୍କୁ ପଚାରନ୍ତି ନାହିଁ। ଏମ୍‌ପି ଲାଡ ଟଙ୍କା ବିରୋଧୀ ଗୋଷ୍ଠୀଙ୍କ ପାଇଁ ଖର୍ଚ୍ଚ କରନ୍ତି ବୋଲି କର୍ମୀମାନେ ଅଭିଯୋଗ କରିବା ପରେ ତଦନ୍ତ ଆଦେଶ ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ପ୍ରମିଳା ମଲ୍ଲିକ ତଦନ୍ତ ଶେଷ କରି ରିପୋର୍ଟ ଦେଇଛନ୍ତି। ହେଲେ ଏହି ରିପୋର୍ଟରେ କ’ଣ ଅଛି ଏବଂ ରିପୋର୍ଟ ଆଧାରରେ ନବୀନ କି ପଦକ୍ଷେପ ନେଉଛନ୍ତି ତାହା ଏବେ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି। ମାହାଙ୍ଗା ଅଣ୍ଡାମାଡ଼ ରିପୋର୍ଟ ଭଳି ଏହି ରିପୋର୍ଟ ଚାପି ହୋଇଯିବ ନାହିଁ ତ ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment