ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ପାତ ନଗରୀ ରାଉରକେଲାରେ ଲଙ୍କାକାଣ୍ଡ। ମୁହାଁମୁହିଁ ହୋଇଛନ୍ତି ପୋଲିସ ଏବଂ ସାଧାରଣ ଲୋକେ। ପୋଲିସ୍ ଭ୍ୟାନକୁ ଭଙ୍ଗାରୁଜା କରିଛନ୍ତି ଲୋକେ। ଏହାକୁ ନେଇ ରାଉରକେଲା ସହରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ରାଉରକେଲା ରିଂ ରୋଡ଼ର ସ’ମିଲ ଛକ ନିକଟରେ ଶନିବାର ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ କାର ବିପରିତ ଦିଗରୁ ଆସୁଥିବା ଜଣେ ସାଇକେଲ ଆରୋହି ଛାତ୍ର,  ଜଣେ ମହିଳା ସ୍କୁଟି ଆରୋହିଙ୍କ ସମେତ ଜଣେ ସାଧାର ଧକ୍କା ଦେଇଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ  ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଆହତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଛାତ୍ର ଜଣକ ହେଲେ ସେକ୍ଟର ୨୧ ନୟାବଜାର ଅଂଚଳର ଯୁକ୍ତ୨ ପଢ଼ୁଥିବା ମନୀଷ ପ୍ରସାଦ।

ଛାତ୍ରଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାକୁ ଆସି ରବିବାର ସକାଳେ ପ୍ରତିବାଦ କରିଥିଲେ। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୋଲିସର ନିଷ୍କ୍ରିୟତା ବିରୋଧରେ ସ୍ଲୋଗାନ ଦେଇଥିଲେ ସାଧାରଣ ଲୋକେ।

ରାସ୍ତା ଅବରୋଧ ଖବର ଆସିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ପୋଲିସକୁ ଦେଖି ଅବରୋଧକାରୀଙ୍କ ରାଗ ଆହୁରି ବଢ଼ି ଯାଇଥିଲା। ପୋଲିସ ଉପରକୁ ଲୋକେ ଆକ୍ରମଣ କରିବା ସହ ଭ୍ୟାନ୍ ଭଙ୍ଗାରୁଜା କରିଥିଲେ। ପୋଲସ ମଧ୍ୟ ସାଧାରଣ ଲୋକଙ୍କ ଉପରକୁ ଲାଠି ଚାଳନା କରିଥିଲା। ଲୋକଙ୍କ ଢେଲା ମାଡ଼ରେ ଗୋପବନ୍ଧୁପାଲ୍ଲୀ ଫାଣ୍ଡି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।

ରାଉରକେଲାରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏସ୍‌ପି ଡକ୍ଟର ଉମା ଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here