ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁନେଠାରେ ମିଳିଲା ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର
  • ଏମ୍‌ଆଇଟି ଏବଂ ୱାର୍ଲଡ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଗଲା ଏହି ସମ୍ବର୍ଦ୍ଧନା
  • ପଗଡ଼ି ପିନ୍ଧାଇଲେ ବରିଷ୍ଠ ବିଜେପି ନେତା ମୂରଲି ମନୋହର ଯୋଶୀ
  • ଉପସ୍ଥିତ ଥିଲେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ

ନବୀନ ପଟ୍ଟନାୟକ ପିନ୍ଧିଛନ୍ତି ଆଦର୍ଶ ମୁଖ୍ୟମନ୍ତ୍ରୀ ମୁକୁଟ। ପୁନେଠାରେ ଏମ୍‌ଆଇଟି ଏବଂ ୱାର୍ଲଡ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରବିବାର ଅପରାହ୍ଣରେ ଏହି ପୁରସ୍କାର ଦିଆଯାଇଛି।

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ୍ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୂରଲି ମନୋହର ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦର୍ଶକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୂରଲି ମନୋହର ପାରମ୍ପରିକ ‘ପୁନେରି ପଗଡ଼ି’ ପିନ୍ଧାଇଥିଲେ।

ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାବାସୀ ୧୭ ବର୍ଷ ଧରି ଆମ ଉପରେ ଅତୁଟ ଭରସା ରଖିଛନ୍ତି। ଓଡ଼ିଶାବାସୀ ଆମକୁ କ୍ରମାଗତ ଭାବେ ଆଶୀର୍ବାଦ ଦେଇ ଆସୁଥିବାରୁ ଏହି ପୁରସ୍କାର ମୁଁ ଓଡ଼ିଶାର ସାଢେ଼ ଚାରି କୋଟି ଲୋକଙ୍କୁ ଉତ୍ସର୍ଗ କରୁଛି।”

ବିଶ୍ୱର ମହାନ୍ ଦାର୍ଶନିକ ମାର୍ଟିନ୍ ଲୁଥର କିଙ୍ଗ୍‌ଙ୍କୁ ମନେ ପକାଇଥିଲେ ନବୀନ କହିଛନ୍ତି, ନେତୃତ୍ୱ ନେବାକୁ ହେଲେ ଲୋକଙ୍କୁ ଭଲ ପାଇବା ଦରକାର। ଯଦି ଲୋକଙ୍କୁ ଭଲ ନ ପାଇବ ତାହେଲେ ସେମାନଙ୍କର ନେତୃତ୍ୱ ନେଇ ପାରିବ ନାହିଁ।ନବୀନ ପଟ୍ଟନାୟକ ଜାତିର ପିତା ମହାତ୍ମା ଗାନ୍ଧି ଏବଂ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ମଧ୍ୟ ଏହି ଅବସରରେ ମନେ ପକାଇଥିଲେ।

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ତାଙ୍କୁ ଦିଆଯାଇଛି ଏକ ସ୍ୱତନ୍ତ୍ର ଫଳକ ଏବଂ ମାନପତ୍ର। ପାରମ୍ପରିକ ଉତରୀୟ ଦେଇ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅତିଥି ଏବଂ ଦର୍ଶକ ଠିଆ ହୋଇ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଷ୍ଟାଣ୍ଡିଂ ଓଭେସନ୍।

“ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବାରୁ ମୁଁ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଉଛି। ନବୀନ ପଟ୍ଟନାୟକ ୧୮ ବର୍ଷ ଧରି ନିଷ୍ଠାର ସହ ଓଡ଼ିଶାବାସୀଙ୍କର ସେବା କରି ଆସୁଛନ୍ତି। ଦୀର୍ଘ ବର୍ଷ ଧରି ଯେଉଁ କିଛି ମୁଖ୍ୟମନ୍ତ୍ରୀ ଭାରତବର୍ଷରେ ଶାସନ କରିଛନ୍ତି ସେମାନଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ଅନ୍ୟତମ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଜୁବାବୁଙ୍କ ସହ ଏକାଠି କାମ କରିବାର ସୁଯୋଗ ମିଳିଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିବା ବେଳରୁ ମୁଁ ତାଙ୍କୁ ଜାଣିଛି। ଏକ ବିଶେଷ  କାର୍ଯ୍ୟକ୍ରମରେ ପୁଣିଥରେ ନବୀନଙ୍କ ସହ ମିଶିବାର ସୁଯୋଗ ମିଳିଥିବାରୁ ମୁଁ ଖୁସି ଅନୁଭବ କରୁଛି”, କହିଛନ୍ତି ମୁରଲି ମନୋହର ଯୋଶୀ।

ପ୍ରତିଭା ପାଟିଲ୍ କହିଛନ୍ତି, “ନବୀନ ପଟ୍ଟନାୟକ ଜଣେ ‘କ୍ଲିନ୍ ପଲିଟିସିଆନ୍’ ଭାବେ ସାରା ଦେଶରେ ପରିଚିତ। ତାଙ୍କର ଗଭୀର ନିଷ୍ଠା, ଦୂରଦୃଷ୍ଟି ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ଦୀର୍ଘଦିନ ଧରି ଲୋକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଶ୍ରେଷ୍ଠ  ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଉଛି।”

ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରସ୍କାର ପ୍ରଦାନ କରିବା ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଡ଼ିଓ ଭିଜୁଆଲ୍ ପ୍ରଦର୍ଶନ କରାଯାଇଥିଲା। ୧୮ ବର୍ଷ ମଧ୍ୟରେ  ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ଯେଉଁ ଆଖିଦୃଶିଆ ବିକାଶ ହୋଇଛି ଏବଂ ସାଧାରଣ ଜୀବନ ଉପରେ ଯେଉଁ ପ୍ରଭାବ ପଡ଼ିଛି ତା’ର ଚିତ୍ର ଉପସ୍ଥାପନ କରାଯାଇଥିଲା।

Comment