ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୀବନ ଯୁଦ୍ଧରେ ହାରିଯିବା ପରେ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ତେଜିଛି। ରାଜଧାନୀ ଭୁବନେଶ୍ୱରରେ କୁନ୍ଦୁଲି ତାତି ଉଗ୍ରରୂପ ଧାରଣ କରିଛି। ବିଜେପି କର୍ମୀ ଓ ପୋଲିସ ରାଜଧାନୀ ରାଜରାସ୍ତାରେ ଧସ୍ତାଧସ୍ତି ହୋଇଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ କରିଛି ବିଜେପି। ବିଜେପି କର୍ମୀମାନେ ଶୋଭାଯାତ୍ରାରେ ପାର୍ଟି ଅଫିସ୍‌ରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ବିଜେପି କର୍ମୀମାନେ ପୋଲିସ ଉପରକୁ ଢେଲା ମାଡ଼ କରିଥିବା ବେଳେ ପୋଲିସ ପାଲଟା ଲାଠି ଚାଳନା କରିଛି। ଫଳରେ ୮ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।

ମଙ୍ଗଳବାର କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ଏହାକୁ ରାଜନୀତିକ ଅସ୍ତ୍ର କରିଛି ବିଜେପି। ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ବିଜେପି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ ଶିଶୁଭବନ ଛକରେ ବିଜେପି କର୍ମୀଙ୍କ ବାଟ ଓଗାଳିଥିଲା।

ବୁଧବାର ସକାଳେ ବିଜେପି ପକ୍ଷରୁ ପୁଣି ଆନ୍ଦୋଳନ କରାଯାଇଥିଲା। ଶତାଧିକ ବିଜେପି କର୍ମୀ ରାଜରାସ୍ତାକୁ ଓହ୍ଲାଇ କୁନ୍ଦୁଲି ଘଟଣାର ପ୍ରତିବାଦ କରିଥିଲେ। ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତେବେ ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ମାଷ୍ଟରକ୍ୟାଣ୍ଟିନରେ ସେମାନଙ୍କ ବାଟ ଓଗାଳିଥିଲା ପୋଲିସ୍। ଫଳରେ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ଏବଂ ପୋଲିସ।

ପ୍ରାୟ ୧ ଘଣ୍ଟା ଧରି ରାଜରାସ୍ତାରେ ଚାଲିଲା ଲଢ଼େଇ। ବିଜେପି କର୍ମୀଙ୍କ ଢେଲା ମାଡ଼ରେ ୭ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୮ ଜଣ ବିଜେପି କର୍ମୀ ପୋଲିସ ଲାଠିରେ ଗୁରୁତର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here