ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଜୀବନ ହାରିଦେଲେ କୁନ୍ଦୁଲି ପୀଡ଼ିତା। ମେଡିକାଲରେ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ବେଳେ ଯେଉଁଭଳି ରାଜନୀତି ଚାଲିଥିଲା ଏବେ ଆରପାରିକୁ ଚାଲିଯିବା ପରେ ବି ରାଜନୀତି ଥମୁନି। ରାଜନୀତି ପଶାପାଲିରେ କୁନ୍ଦୁଲି ପୀଡ଼ିତା ଗୋଟି ପାଲଟି ଯାଇଛନ୍ତି।

ରାଜନୀତି ପଶାପାଲିରେ ଗୋଟି ପାଲଟି ଯାଇଛନ୍ତି କୁନ୍ଦୁଲି ପୀଡ଼ିତା। ନ୍ୟାୟ ପାଇଁ ୧୦୨ ଦିନ ଧରି ଲଢ଼େଇ କରିବା ପରେ ପୀଡ଼ିତା ହାରି ଯାଇଛନ୍ତି।ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଓ ଅଭିଯୁକ୍ତଙ୍କୁ ଗିରଫ କରିବାରେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ବିଫଳ ହୋଇଥିବାରୁ ବିରୋଧୀ ବିଜେପି ଏବଂ କଂଗ୍ରେସ୍ ଏହାକୁ ଅସ୍ତ୍ର କରିଛନ୍ତି।

କୁନ୍ଦୁଲି ଘଟଣାରୁ ରାଜନୈତିକ ଫାଇଦା ହାସଲ ପାଇଁ କଂଗ୍ରେସ ଓଡ଼ିଶାବନ୍ଦ ଏବଂ  ବିଜେପି ହରତାଲ୍‌ର ରାସ୍ତା ଆପଣାଇଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଓ ବିଜେପି ରାଜ୍ୟ ରାଜନୀତିକୁ ସରଗରମ୍ କରିଛନ୍ତି।

“ସରକାରୀ ବ୍ୟବସ୍ଥା କୁନ୍ଦୁଲିର ନାବାଳିକାଙ୍କୁ ମାରି ଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ହେଲେ ଯେଉଁମାନେ ଏହାକୁ ରାଜନୀତି ବୋଲି କହୁଛନ୍ତି ସେମାନେ ପ୍ରଥମେ ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିଛି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି।

ବନ୍ଦକୁ ନେଇ ଛକାପଞ୍ଝା

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ପ୍ରଥମେ କୋରାପୁଟ ବନ୍ଦ ଡାକରା ଦେଇଥିଲା ବିଜେପି। ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ ଭୃଗୁ ବକ୍ସିପାତ୍ର। ୧୨ ଘଣ୍ଟିଆ କୋରାପୁଟ ବନ୍ଦ କରିବା ପାଇଁ କୋରାପୁଟବାସୀଙ୍କ ସମର୍ଥନ ଲୋଡ଼ିଥିଲା ବିଜେପି। ବିଜେପିର ଏହି ବନ୍ଦ ଡାକରାକୁ ଟପିଗଲା କଂଗ୍ରେସ।

କୋରାପୁଟ ଭିତରେ ସୀମିତ ନରହି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଲା। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସକାଳ ୬ରୁ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ଅଖ, ଚକ ବନ୍ଦ ରହିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

କଂଗ୍ରେସ ଓଡ଼ିଶା ବନ୍ଦ ଘୋଷଣା କରିବା ପରେ ବିଜେପି ଆଉ ପାଦେ ଆଗକୁ ବଢ଼ିଛି। କେବଳ କୋରାପୁଟ ନୁହେଁ, ଓଡ଼ିଶାରେ ହରତାଲ୍ କରିବ ବୋଲି ଦଳ କହିଛି।

“କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିଲେ ନାହିଁ ସରକାର। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାରଙ୍କ ସ୍ଥାଣୁତା ପ୍ରତିବାଦରେ ଆମେ ହରତାଲ୍ ଡାକରା ଦେଇଛୁ”, କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

କଂଗ୍ରେସ ପୀଡ଼ିତାଙ୍କ ଶବକୁ ନେଇ ରାଜନୀତି କରିଛି। ପୀଡ଼ିତାଙ୍କ ଶବକୁ ରାସ୍ତାରେ ରଖି ନ୍ୟାୟ ଦାବି କରିଛି। ଫଳରେ ବିଜେଡି ଓ କଂଗ୍ରେସ ମଧ୍ୟ କାଦୁଅଫିଙ୍ଗା ଆରମ୍ଭ ହୋଇଛି।

ଏବେ ପ୍ରଶ୍ନ ଉଠୁଛି କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ରାଜନୀତି ହେଉ ନାହାନ୍ତି ତ? ବିଜେପି-କଂଗ୍ରେସର ଓଡ଼ିଶାବନ୍ଦ ଓ ହରତାଲ୍‌ ଭିତରେ କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇବେ କି ?

ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୋରିଷପଦର ଜଙ୍ଗଲରେ ଘଟିଥିଲା ଅଘଟଣ। ଜଙ୍ଗଲ ରାସ୍ତା ଦେଇ କୁନ୍ଦୁଲିର ନାବାଳିକା ଆସୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଯବାନ ପୋଷାକ ପିନ୍ଧିଥିବା ୪ ଜଣ ଯୁବକ ଏହି ଅମାନବୀୟ କାଣ୍ଡ ଘଟାଇଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଏହାକୁ ନେଇ ରାଜନୀତି ଚାଲିଲା। ହେଲେ ନ୍ୟାୟ ନ ମିଳିବାରୁ ଶେଷାରେ ପୀଡ଼ିତା ଆତ୍ମହତ୍ୟା ଭଳି ଚରମପନ୍ଥା ଆପଣାଇ ନେଇଥିଲେ।

ବିଜେପି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଘଟଣାର ନ୍ୟାୟିକ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଏହାକୁ ନେଇ ଅଯଥା ରାଜନୀତି କରାଯିବା ଠିକ୍ ନୁହେଁ।”

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, “ଏହା ଏକ ଦୁଃଖଦ ଘଟଣା। ମୁଁ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ସେମାନେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଘଟଣା ଉପରେ ଅନୁଧ୍ୟାନ କରାଯାଉଛି।”

Comment