ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଫେବୃଆରୀ ୬ ସୁଦ୍ଧା ନାମାଙ୍କନ ଦାଖଲ
  • ୭ରେ ନାମାଙ୍କନ ଯାଞ୍ଚ
  • ୨୮ରେ ଭୋଟ ଗଣତି

ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ଭାରତୀୟ ନିର୍ବାଚନ କମିଶନର ମଙ୍ଗଳବାର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଫେବୃଆରୀ ୨୪ରେ ବିଜେପୁର ଭୋଟ୍ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ବିଜେପୁର ଉପ-ନିର୍ବାଚନ ପାଇଁ ଜାନୁଆରୀ ୩୦ ତାରିଖରେ ଗେଜେଟ୍ ନୋଟିଫିକେସନ୍ ବାହାରିବ। ବିଜ୍ଞପ୍ତି ଅନୁଯାୟୀ ଫେବୃଆରୀ ୬ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ୭ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ୯ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଫେବୃଆରୀ ୨୮ରେ ଭୋଟ ଗଣତି କରାଯିବା ସହ ଫଳାଫଳ ଘୋଷଣା କରାଯିବ।

ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହେବା ପରେ ବିଜେପୁର ଆସନ ଅଗଷ୍ଟ ୨୨ରୁ ଖାଲି ପଡ଼ିଛି। ୬ ମାସ ମଧ୍ୟରେ ଉପ-ନିର୍ବାଚନ ହେବ ବୋଲି ନିୟମ ରହିଛି। ହେଲେ ତାରିଖ ଘୋଷଣାରେ ବିଳମ୍ବ ହେଉଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିଥିଲେ। ବିଜେପି ଜାଣିଶୁଣି ନିର୍ବାଚନ କମିଶନ ଉପରେ ଚାପ ପକାଇ ତାରିଖ ଘୁଞ୍ଚାଇ ଚାଲିଥିବା ବିଜେଡି ଅଭିଯୋଗ କରିଥିଲା।

ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ୍ ରହିଥିଲା। ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।

Comment