ଅତନୁ ସବ୍ୟସାଚୀ ନାୟକ

ସବୁର ଊର୍ଦ୍ଧ୍ୱରେ ଥିଲେ ବିଜୁବାବୁ । ରାଜନୀତି କରୁଥିଲେ କିନ୍ତୁ ରାଜନୀତିର ପଙ୍କ ତାଙ୍କ ଶୁଦ୍ଧତାକୁ ସ୍ପର୍ଶ କରିପାରିନଥିଲା । କ୍ଷମତାରେ ଥିଲେ ସତ କିନ୍ତୁ କ୍ଷମତାରେ ଅନ୍ଧ ହୋଇ ନ ଥିଲେ।

ପ୍ରବାଦପୁରୁଷ ବିଜୁବାବୁଙ୍କ ମୋର ସମ୍ପର୍କର ଅୟମାରମ୍ଭ ବାପାଙ୍କ ମାଧ୍ୟମରେ । ମୋର ବାପା ସ୍ୱାଧୀନତା ସଂଗ୍ରାମୀ ରାଜକିଶୋର ନାୟକ ୧୯୬୭ ମସିହାରେ ବିଜୁବାବୁଙ୍କ ଡାକରାରେ ଶିକ୍ଷକତା ତ୍ୟାଗ କରି ରାଜନୀତିରେ ଯୋଗଦେଲେ । ରାଜନୈତିକ ଘନଘଟାରେ ୬୭ ମସିହାରେ ବିଜୁବାବୁ ଥିଲେ ପାଟକୁରାର ପ୍ରାର୍ଥୀ । ବାପା ଥିଲେ ବିଜୁବାବୁଙ୍କ ଆଗଧାଡ଼ିର ସୈନିକ । ରାଜନୀତିର ପଶାପାଲିରେ ଚଢ଼ାଉତୁରା ଭଳି ବିଜୁବାବୁ ପରାଜିତ ହେଲେ ନିର୍ବାଚନରେ । ତତ୍କାଳୀନ ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଚକ୍ରଧର ଶତପଥୀଙ୍କ ଠାରୁ ବିଜୁବାବୁ ହାରିଥିଲେ।

୧୯୭୧ରେ ନିର୍ବାଚନରେ ବାପା ଥିଲେ ବିଜୁବାବୁଙ୍କ ମନୋନୀତ ପ୍ରାର୍ଥୀ, ଆଉ ସେହି ନିର୍ବାଚନରେ ଚକ୍ରଧର ଶତପଥୀଙ୍କୁ ହରାଇ ବାପା ବିଜୁବାବୁଙ୍କ ନିକଟତର ହେଲେ । ପାଲଟିଗଲେ ବିଜୁବାବୁଙ୍କ ଅନ୍ତରର ମଣିଷ । ବାପାଙ୍କୁ ବିଜୁବାବୁ ‘ମାଷ୍ଟ୍ରେ’ ବୋଲି ସମ୍ବୋଧନ କରୁଥିଲେ । ୧୯୭୧ ମସିହାରୁ ବିଜୁବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅନେକ କଥା ଘଟିଯାଇଛି । ରାଜନୈତିକ ଉତ୍‌ଥାନ-ପତନରେ ବାପା କେତେ ସୋପାନ ଉପରକୁ ଉଠିଲେ ସେ କଥା ନିଆରା, କିନ୍ତୁ ବିଜୁବାବୁଙ୍କ ଛାତି ଭିତରେ ସେ ରହିଯାଇଥିଲେ ଗୋଟିଏ ଚିହ୍ନ ହୋଇ । କର୍କଟ ରୋଗାକ୍ରାନ୍ତ ରାଜକିଶୋର ନାୟକଙ୍କୁ ଦିଲ୍ଲୀର ୱେଲିଙ୍ଗଟନ୍ ହାସପାତାଳ ନେଇ ଚିକିତ୍ସା କରାଇବାର ସମସ୍ତ ବନ୍ଦୋବସ୍ତ ସହ ଅପରେସନ୍ ଥିଏଟର୍‌ରେ ନୀଳ ପୋଷାକ ସହ ଛଅ ଘଣ୍ଟାରୁ ଅଧିକ ସମୟ ଛିଡ଼ା ହୋଇ ରହିଥିଲେ।

ମୋ ମତରେ, ବାପାଙ୍କୁ ବିଜୁବାବୁ କେବଳ ରାଜନୈତିକ ଜୀବନ୍ନ୍ୟାସ ନୁହେଁ, ବରଂ ଦ୍ୱିତୀୟ ଜୀବନ ଦାନ କରିବାରେ ପ୍ରଧାନ ମାଧ୍ୟମ ଥିଲେ ପ୍ରବାଦ ପୁରୁଷ ବିଜୁବାବୁ । ଏମିତି ଦୃଢ଼ ହୋଇ ରହିଥିଲା ବିଜୁବାବୁଙ୍କ ସହିତ ସମ୍ପର୍କର ସେତୁ । ବୟସ ବଢ଼ିବା ସହିତ କେତେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ପାଲଟିଛି । ପ୍ରବାଦପୁରୁଷ ବିଜୁବାବୁଙ୍କ ମଣିଷପଣିଆର ତୁଂଗିମାକୁ ପରଖିଛି । ଏକାଧିକ ବାର ଭେଟିଛି, ମିଶିଛି।

୧୯୯୭ ମସିହାରେ ବାରିପଦାରେ ଗୋଟିଏ ଧାର୍ମିକ ସମାବେଶ ଚାଲିଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଲା । ଦାରୁଣ ଦୁର୍ଘଟଣାରେ ଦଗ୍ଧ ହୋଇଥିଲେ ଶତାଧିକ । ପ୍ରଧାନମନ୍ତ୍ରୀଙ୍କୁ ଧରି ବିଜୁବାବୁ ସେଠାରେ ଓହ୍ଲାଇଥିଲେ । ଏସ୍‌ପିଜି କର୍ଡନ ଭିତରକୁ ଭିଡ଼ି ନେଇଥିଲେ ମୋତେ । ଏପରି ଭୟାବହ ଘଟଣାରେ ମୁଁ ଏକରକମ ନିଷ୍ପ୍ରଭ ହୋଇଯାଇଥାଏ । ପ୍ରଧାନମନ୍ତ୍ରୀ କିଛି କହିବା ପୂର୍ବରୁ ରାଜ୍ୟ ସରକାର ଯେଉଁ ମାତ୍ରାରେ ସାହାଯ୍ୟ ଦେବେ, ଦିଲ୍ଲୀ ତା’ର ଦୁଇଗୁଣ ଦେବ ବୋଲି ସାମ୍ବାଦିକମାନଙ୍କ ଆଗରେ ଉତ୍ତର ରଖିଥିଲେ ବିଜୁବାବୁ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଦେବଗୌଡ଼ା କହିଥିଲେ- ବିଜୁବାବୁ ଯାହା କହିଛନ୍ତି ତାହା ହିଁ କରାଯିବ।

ପରବର୍ତ୍ତୀ ସମୟରେ ଏହି ସହାୟତା ଅର୍ଥ ମିଳିବାରେ ବିଳମ୍ବ ହେବା ଯୋଗୁଁ ଧାର୍ମିକ ଅନୁଷ୍ଠାନ ତରଫରୁ ମୁଁ ଦିଲ୍ଲୀରେ ପହଞ୍ଚି ବିଜୁବାବୁଙ୍କୁ ଭେଟିଥିଲି। ମୋତେ ଦେଖି ଗର୍ଜି ଉଠିଥିଲେ । “ପଇସା ବେଶୀ ହୋଇଗଲାଣି ନା? କ’ଣ କାମ ଅଛି?” ମୁଁ ଉତ୍ତର ଦେଲି- “ଆପଣ ଓଡ଼ିଶାରେ କହି ଆସିଥିଲେ। ମୃତାହତ ପରିବାରଗୁଡ଼ିକୁ ସହାୟତା ବାବଦରେ । ରାଜ୍ୟ ସରକାର ଦେଇ ସାରିଲେଣି । ଦିଲ୍ଲୀରୁ ଏ ପର୍ଯ୍ୟନ୍ତ କିଛି ମିଳି ନାହିଁ । ଆପଣ କ’ଣ ହେଲେ କରନ୍ତୁ ।”

ପୁଣି ଖୁବ୍ ଜୋର୍‌ରେ ମୋତେ କହିଲେ- “ଗୋ, ଏଣ୍ଡ୍ ଟେଲ୍ ଇୟୋର ପିଏମ୍।”

ମୁଁ ସେମିତି ତଳକୁ ମୁହଁ ପୋତି ଛିଡ଼ା ହେଲି, ସାମାନ୍ୟ ହସି।

ବିଜୁବାବୁ କହିଲେ- What? you are young. Young boy and afraid of meeting your P.M.?

ବାସ୍, ଏତିକି କହି ବିଜୁବାବୁ ଟେଲିଫୋନ୍ ଲଗାଇଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ । ମୋ’ ହାତରେ କିଛି ଟଙ୍କା ଧରାଇ ଦେଇ କହିଲେ- ଯା’, ଭୁବନେଶ୍ୱର ଫେରିଯା’ ।

ଟ୍ରେନ୍‌ରେ ଫେରି ଓଡ଼ିଶାରେ ତିନିଦିନ ପରେ ପହଞ୍ଚିଲା ବେଳକୁ ହିଁ ଖବର ପାଇଲି ସବୁ ମୃତାହତଙ୍କ ପାଇଁ ଦିଲ୍ଲୀରୁ ସହାୟତା ଆସିଯାଇଛି।

ଏମିତି ଥିଲେ ବିଜୁବାବୁ।

ଆଉ ଦିନକର କଥା । ନବୀନ ନିବାସରୁ ଶାରଦା ବାବୁ ଟେଲିଫୋନ୍ କଲେ । ‘ବିଜୁବାବୁ ଚାହୁଁଛନ୍ତି ଆପଣଙ୍କ ପୁତୁରା ଗୁଡୁକୁ ଧରି ନବୀନ ନିବାସରେ ପହଞ୍ଚନ୍ତୁ । ଗୁଡୁ ଥିଲା କେଉଁଝରରେ ରହୁଥିବା ମୋର ଜଣେ ମାଉସୀଙ୍କ ପୁଅ । ଅଷ୍ଟମ ଶ୍ରେଣୀରେ ପଢୁଥିଲା । କିନ୍ତୁ ସେ ଥିଲା ବିଜୁବାବୁଙ୍କର ଫୋନ୍-ଫ୍ରେଣ୍ଡ।

ସେହିପରି ବର୍ତ୍ତମାନ ପ୍ରତିରକ୍ଷା ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ଭାବରେ କାର୍ଯ୍ୟରତ ଶୀଳବ । ସେତେବେଳେ ୬ଷ୍ଠ ଶ୍ରେଣୀର ଛାତ୍ର । ମୁଁ ଉଭୟ ଗୁଡୁ ଓ ଶୀଳବଙ୍କୁ ଧରି ନବୀନ ନିବାସରେ ପହଞ୍ଚିଲି । ଉପର ମହଲାରେ ବିଜୁବାବୁଙ୍କ ସହିତ ଏହି ଦୁଇଜଣ ଯେମିତି ଭାବରେ କଥାଭାଷା ଆଲୋଚନା କଲେ ମୁଁ ବିଶ୍ୱାସ କରିପାରିଲିନି । ଏ ସେହି ବିଜୁବାବୁ! ନେହରୁଙ୍କ ପରାମର୍ଶଦାତା, ଦୁର୍ଦ୍ଧର୍ଷ ସଂଗ୍ରାମୀ!! ଓଡ଼ିଶାର କୋଟି ମାନସର ପ୍ରତୀକ । ସେମାନଙ୍କର ଆଲୋଚନାର ବିଷୟ ଥିଲା ରାଜନୀତିଠୁଁ ଆରମ୍ଭ କରି ପାଠପଢ଼ା ପର୍ଯ୍ୟନ୍ତ । ଆଲୋଚନା ମଝିରେ ଟେଲିଫୋନ୍ ବାଜିଉଠିଲା। ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଫୋନ୍।

ବାର୍ତ୍ତାଳାପରୁ ଏତିକି ବୁଝିପାରିଲି ଦୁଇଜଣ ବିଦ୍ୱାନ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇବା ନିମନ୍ତେ ବିଜୁବାବୁଙ୍କର ସୁପାରିଶ ଦରକାର । ମୋତେ ଦେଖି କହିଲେ- “ତୁମ ଇଲାକାର, ସେହି ଯେଉଁ ଲୋକ ଜଣକ ବଡ଼ ଅଫିସର୍ । ଭଲ ଲେଖାଲେଖି କରେ, ତା’ର ନାଁ କ’ଣ?”

ମୁଁ ତତ୍‍କ୍ଷଣାତ ନାଁଟି କହିଲି । ବିଜୁବାବୁ ମଧ୍ୟ ତାଙ୍କର ନାଁଟି ସୁପାରିଶ କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ପଠାଇଦେଲେ। ତିନି ଚାରିଦିନ ପରେ ଖବରକାଗଜରେ ପ୍ରକାଶ ପାଇଲା ସେହି ବ୍ୟକ୍ତିଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ କରାଯାଇଛି।

ବିଜୁବାବୁଙ୍କ ମୃତ୍ୟୁର କିଛି ଦିନ ପରେ ସେହି ବ୍ୟକ୍ତିଙ୍କୁ ମୁଁ ଘଟଣାଟି ସମ୍ପର୍କରେ ସମ୍ପୂର୍ଣ୍ଣ ବର୍ଣ୍ଣନା କଲି । ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ- ମୁଁ ଖୋଜି ହେଉଥିଲି, କିଏ ମୋ ନାଁ ସୁପାରିଶ କଲେ ଆପଣ ଯଦି ମୋତେ ଆଗରୁ ଏ କଥା କହିଥାନ୍ତେ, ତେବେ ମୁଁ ଅନ୍ତତଃ ବ୍ୟକ୍ତିଗତ ଭାବରେ ବିଜୁବାବୁଙ୍କୁ କୃତଜ୍ଞତା ଜଣାଇଥାଆନ୍ତି।

ଏମିତି ଥିଲେ ବିଜୁବାବୁ।

ସୁମନି ଝୋଡ଼ିଆଠୁଁ ଆରମ୍ଭ କରି କାହିଁ କେତେ ଲୋକଙ୍କୁ କେଉଁଠି ନା କେଉଁଠି ଅବସ୍ଥାପିତ କରିଛନ୍ତି । ସବୁର ଊର୍ଦ୍ଧ୍ୱରେ ଥିଲେ ବିଜୁବାବୁ । ରାଜନୀତି କରୁଥିଲେ କିନ୍ତୁ ରାଜନୀତିର ପଙ୍କ ତାଙ୍କ ଶୁଦ୍ଧତାକୁ ସ୍ପର୍ଶ କରି ପାରି ନ ଥିଲା । କ୍ଷମତାରେ ଥିଲେ ସତ କିନ୍ତୁ କ୍ଷମତାରେ ଅନ୍ଧ ହୋଇ ନ ଥିଲେ।

ସୁମନି ଝୋଡ଼ିଆଠୁଁ ଆରମ୍ଭ କରି କାହିଁ କେତେ ଲୋକଙ୍କୁ କେଉଁଠି ନା କେଉଁଠି ଅବସ୍ଥାପିତ କରିଛନ୍ତି । ସବୁର ଊର୍ଦ୍ଧ୍ୱରେ ଥିଲେ ସେ । ରାଜନୀତି କରୁଥିଲେ କିନ୍ତୁ ରାଜନୀତିର ପଙ୍କ ତାଙ୍କ ଶୁଦ୍ଧତାକୁ ସ୍ପର୍ଶ କରି ପାରି ନ ଥିଲା । କ୍ଷମତାରେ ଥିଲେ ସତ କିନ୍ତୁ କ୍ଷମତାରେ ଅନ୍ଧ ହୋଇ ନ ଥିଲେ । ସଂଭ୍ରାନ୍ତପଣର ଶୀର୍ଷରେ ଥିଲେ କିନ୍ତୁ ସର୍ବାଧିକ ସରଳ ଥିଲା ତାଙ୍କର ମନ । ସେଥିପାଇଁ କୋଟି କୋଟି ସାଧାରଣ ମଣିଷ ତାଙ୍କୁ ନିଜର ପରି ଭଲ ପାଉଥିଲେ।

ସେଦିନ ବିଜୁବାବୁ ସେହି କିଶୋର ଦି’ଜଣ ଓ ମୋ ସହ ଫଟୋ ଉଠାଇବାର ପୋଜ୍ ଦେଇଥିଲେ । ସେହି ଫଟୋଟି ଏବେ ବିଜୁବାବୁଙ୍କ ଅବର୍ତ୍ତମାନରେ ମୋର ଶେଷ ସନ୍ତକ । ସତେ ଯେପରି ସେହି ଫଟୋଟିକୁ ଚାହିଁ ମୁଁ ସବୁବେଳେ ସଚେତନ ଯେ ବିଜୁବାବୁଙ୍କ ଚେହେରା ଚିର ଅମ୍ଳାନ ଓ ତାଙ୍କର ସ୍ମୃତି ଭାସ୍ୱର । ସେ ଚିରଦିନ ଅମର।

(ସୌଜନ୍ୟ – ଓଡ଼ିଶାଲାଇଭ ଦ୍ୱାରା ପ୍ରକାଶିତ ‘ଶତାବ୍ଦୀର ଦୂରଦ୍ରଷ୍ଟା’)

Comment