ଭାସ୍କର ପରିଚ୍ଛା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଶେଷରେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ବୋଲି ଧରି ନେବାକୁ ହେବ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବୈଜୟନ୍ତଙ୍କ ନିଲମ୍ବନ ଆଦେଶ ରାଜ୍ୟ ରାଜନୀତିକୁ ଅବଶ୍ୟ କିଞ୍ଚିତ୍‌ ମାତ୍ରାରେ ଉଷ୍ମ କରିଛି।

ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନେକ ଦିନରୁ ଆଶା କରାଯାଉଥିଲା। ଅପେକ୍ଷା ଥିଲା କେବଳ ଉପଯୁକ୍ତ ସମୟକୁ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଯେତେବେଳେ ଓଡ଼ିଶା ଉଠୁଥିଲା ପଡ଼ୁଥିଲା ସେହି ସମୟରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରି ନବୀନଙ୍କ ମ୍ୟାନେଜରମାନେ ମାଷ୍ଟର ଷ୍ଟ୍ରୋକ୍ ମାରିଥିବା କୁହାଯାଉଛି।

ଗଣମାଧ୍ୟମର ନଜର ରହିଥିଲା କୁନ୍ଦୁଲି ଘଟଣା ଉପରେ।  ହେଲେ ବୈଜୟନ୍ତ ନିଲମ୍ବିତ ହେବା ପରେ ମିଡିଆର ଆକର୍ଷଣ ସେଇ ଆଡ଼କୁ ଚାଲିଗଲା। ଜେ ପଣ୍ଡାଙ୍କ ନିଲମ୍ବନ ପରେ ତାଙ୍କର ଆଗାମୀ ଗୋଟି ଚାଳନାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି। ନିଲମ୍ବନ ଖବର ଟିଭିରେ ପ୍ରସାରିତ ହେବା ପରେ ପରେ ସୋସିଆଲ ମିଡିଆରେ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ ୯୦ ବିଧାୟକ ଓ ୯ ସାଂସଦ ତାଙ୍କ ପଛରେ ଅଛନ୍ତି। ସେ ଯାହା ହେଉ ଜେ ପଣ୍ଡାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହେବ ତାର ଆକଳନ କରିବା କଷ୍ଟ।

ପ୍ରଥମ କଥା ହେଉଛି ସେ ଦଳରୁ କେବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ସବୁବେଳେ ଘର ବାହୁଡ଼ିବାର ସୁଯୋଗ ରଖିଥାଏ। କିନ୍ତୁ ଏହି କ୍ଷେତ୍ରରେ ନିଲମ୍ବନ ଆଦେଶ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ରହିବା ଦେଖା ଯାଉଛି। ଦ୍ବିତୀୟ କଥା ହେଉଛି ନବୀନ ପଟ୍ଟନାୟକ ନିଜ ଆଡ଼ୁ କେବେ କୌଣସି ଗଲ୍‌ତି ରଖିବେ ନାହିଁ। ଜେ ପଣ୍ଡାଙ୍କ ପାଇଁ ବର୍ତ୍ତମାନ ବିକଳ୍ପ ପନ୍ଥା ହେଉଛି ବିଜେପିକୁ ଡେଇଁବା। ଢ଼େର ସମୟ ଧରି ସେ ବିଜେପିର ଜଣେ ପରୋକ୍ଷ ସମର୍ଥକ ହୋଇସାରିଛନ୍ତି। ସେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିକୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରଶଂସା କରି ଆସିଛନ୍ତି।ଏଣୁ ଆସନ୍ତା ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ନ ମିଳିବା ଯେତିକି ବାସ୍ତବ, ବିଜେପି ତାଙ୍କୁ ଆପଣାଇ ନେବା ସେତିକି ସମ୍ଭବ। ବଡ଼ କଥା ହେଉଛି ପଣ୍ଡାଙ୍କ ନେତୃତ୍ୱରେ ଏକ ନୂଆ ରାଜନୈତିକ ସମୀକରଣ ରାଜ୍ୟରେ ସୃଷ୍ଟି ହେବ କି?

ଦିଲ୍ଲୀ କ୍ଷମତା ଅଳିନ୍ଦରେ ପଣ୍ଡାଙ୍କ ଉପସ୍ଥିତି, ତାଙ୍କ ରାଜନୈତିକ ପ୍ରତିଷ୍ଠା, ମିଡିଆ ପ୍ରିୟତା, ଅର୍ଥବଳ ଓ ଜାତୀୟ ସ୍ତରରେ ତାଙ୍କର ପରିଚୟ ଏସବୁ ନିଜ ପାଇଁ ଏକ ବଡ଼ ସମ୍ପତ୍ତି। କିନ୍ତୁ ଏହାକୁ ଉପଯୋଗ କରି ନବୀନ ପଟ୍ଟନାୟକଙ୍କୁ ଚାଲେଞ୍ଜ ଦେବା ଭଳି ସ୍ଥିତି ଯେ ଅଛି ତାହା କୁହାଯାଇ ପାରିବ ନାହିଁ। ବୈଜୟନ୍ତ ପଣ୍ଡାଙ୍କ ରାଜନୀତି ଅନେକ ମାତ୍ରାରେ ନିଜ ସଂସଦୀୟ କ୍ଷେତ୍ରରେ ହିଁ ସୀମିତ। ଏଣୁ ନିଜ ଆସନଟିକୁ ସୁରକ୍ଷିତ ରଖିବା ତାଙ୍କ ପାଇଁ ପ୍ରଥମ କାମ। ନିଲମ୍ବନ ଆଦେଶର ଯେଉଁ ଜବାବ ପଣ୍ଡା ଦେଇଛନ୍ତି ସେଥିରେ ଏତେ ତୀବ୍ରତା ନାହିଁ। ଜଗିରଖି ସେ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି।ଏହା ଏକ ଜଣାଶୁଣା କଥା ଯେ ଉଭୟ ଜୟ ପଣ୍ଡା ଓ ନବୀନ ପଟ୍ଟନାୟକଙ୍କ ଭିତରେ ପାରିବାରିକ ସମ୍ପର୍କ ରହି ଆସିଛି। ଏଣୁ ତାଙ୍କୁ ଦଳରୁ ବହିଷ୍କାର କରିବା ପୂର୍ବରୁ ନବୀନ ମଧ୍ୟ ଦୁଇ ଥର ଚିନ୍ତା କରିବେ।

ବୈଜୟନ୍ତଙ୍କ ନିଲମ୍ବନ ଓଡ଼ିଶା ରାଜନୀତିକୁ କିଭଳି ପ୍ରଭାବିତ କରିବ ତାହା ଦେଖିବା କଥା। ଗୋଟିଏ କଥା ସତ ଯେ ଏହି ଘଟଣା ପରେ ବିଜେପିର ଓଜନ ବଢ଼ିବ। ଅବଶ୍ୟ ଦଳ କେତେଦୂର ତା ନିର୍ବାଚନୀ ରଣନୀତିରେ ସଫଳ ହେବ ତାହା ବର୍ତ୍ତମାନଠାରୁ କହିବା କଷ୍ଟ। ନବୀନ ପଟ୍ଟନାୟକଙ୍କ ରାଜନୈତିକ କୌଶଳ ଆଗାମୀ ଦିନରେ କ’ଣ ହେବ ତାହାର ଅନୁମାନ ମଧ୍ୟ କଷ୍ଟସାଧ୍ୟ।

ଏହି ପରିସ୍ଥିତିରେ ବୈଜୟନ୍ତଙ୍କ ନିଲମ୍ବନ ଆଦେଶ ବିଜେଡିରେ ସେଭଳି କିଛି ରାଜନୈତିକ ସୁନାମି ସୃଷ୍ଟି କରିବ ତାହା ଦେଖା ଯାଉନାହିଁ। କିନ୍ତୁ ଏହା ନିଶ୍ଚିତ ଜୟ ପଣ୍ଡା ଏତେଶୀଘ୍ର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ତ୍ରୁଟି କରି ବସିବେ ନାହିଁ। ବିଜେପିକୁ ଡେଇଁବା ପୂର୍ବରୁ ତାଙ୍କୁ ବହୁବାର ଚିନ୍ତା କରିବା ପାଇଁ ହେବ। ଯାହା ଆଲୋଚନା ହେଉଛି ବିଜେଡି ସାଂସଦ ପଦରୁ ଇସ୍ତଫା ଦେଇ ଉପ-ନିର୍ବାଚନ ଲଢ଼ିବା ଏକ ଅଲୌକିକ ଘଟଣା ଭଳି ଲାଗୁଛି।

ମୋଟାମୋଟି ଯେହେତୁ ୨୦୧୯ ନିର୍ବାଚନ ପାଖେଇ ଆସୁଛି କେହି କାହା ସ୍ଥିତିକୁ ବିଗାଡ଼ିବାକୁ ଦେବେ ନାହିଁ। ବୈଜୟନ୍ତ ନିଲମ୍ବନ ଆଦେଶକୁ ନେଇ ମିଡିଆରେ ଯେଉଁଭଳି ଚର୍ଚ୍ଚା ହେଉଛି ତାହା ସେତେ ଗୁରୁତ୍ବପୂର୍ଣ ନୁହେଁ। ଏହା ଆଉ ଏକ ରାଜନୈତିକ ଖବର ଛଡ଼ା ଅଧିକ କିଛି ହୋଇ ନପାରେ।

(ଏହା ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଏହା ସହିତ ଓଡ଼ିଶାଲାଇଭ୍‍ ସମ୍ପାଦନାମଣ୍ଡଳୀ ବା ପଲିସି କୌଣସି ଭାବେ ଜଡ଼ିତ ନୁହେଁ।)

Comment