ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ୍‌ ମ୍ୟାନ୍‌’ ଉନ୍ମୋଚିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉନ୍ମୋଚିତ କରିଛନ୍ତି।

ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘The Tall Man Biju Patnaik’ ଉନ୍ମୋଚିତ ହୋଇଛି। ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ପୁସ୍ତକ ଉନ୍ମୋଚନ ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା, ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନି, ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ଉନ୍ମୋଚନ ଉତ୍ସବରେ ବିଜୁ ଲିଗାସୀ ନେତାମାନେ ଏକାଠି ହୋଇଥିଲେ।

ପୁସ୍ତକ ଉନ୍ମୋଚନ ପରେ ନବୀନ ପଟ୍ଟନାୟକ ବିଶିଷ୍ଟ ଆମନ୍ତ୍ରିତ ଅତିଥିମାନଙ୍କୁ ଶିଳ୍ପୀ ସୁଦର୍ଶନ ସାହୁ ତିଆରି କରିଥିବା ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଦେଇ ସମ୍ମାନିତ କରିଥିଲେ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି, “ପୁସ୍ତକ ଉନ୍ମୋଚନ କରିବା ପାଇଁ ଯେତେବେଳେ ମୋତେ ଆମନ୍ତ୍ରଣ କରାଗଲା ସେତେବେଳେ ମୁଁ ଗର୍ବ ଅନୁଭବ କରିଥିଲି। ଆଜି ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ଉନ୍ମୋଚନ କରି ମୁଁ ଆନନ୍ଦିତ।”

ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ପଞ୍ଚାନନ କାନୁନଗୋ, ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ସାହିତ୍ୟିକ, ବରିଷ୍ଠ ନେତା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Comment