ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତୃତୀୟ ମହଲା ଅଫିସରଙ୍କୁ ପୁଣି ନିଶାନା
  • ନିଶାନା କଲେ ବିଜେଡି ନେତ୍ରୀ ହେମା ଗମାଙ୍ଗ
  • ଦଳ କଥା ବୁଝନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରି
  • ବିଜେଡି ଆପଣାଇଛି ‘ୟୁଜ୍‌ ଆଣ୍ଡ ଥ୍ରୋ’ ପଲିସି

“ବିଜେଡି ଶାସନରେ ଆଦିବାସୀଙ୍କ ସମସ୍ୟା ସମାଧାନ ହେଉନି। ଆଦିବାସୀମାନେ ଅସୁରକ୍ଷିତ ହୋଇ ଯାଇଛନ୍ତି। ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କଠାରୁ ଆରମ୍ଭ କରି କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ସେ ତାଙ୍କ ପ୍ରାଇଭେଟ୍‌ ସେକ୍ରେଟାରିଙ୍କ ପାଖକୁ ପଠାଇ ଦିଅନ୍ତି”, ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ହେମା ଗମାଙ୍ଗ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁ ନଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବି। ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଲୋଚନା କରିବି ବୋଲି ହେମା କହିଛନ୍ତି।

ହେମା ଗମାଙ୍ଗ ଏଭଳି ଅଭିଯୋଗ ଆଣିବା ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂଙ୍କ ପରେ ମୁହଁ ଖୋଲିଛନ୍ତି ହେମା ଗମାଙ୍ଗ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ହେମା ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ପାଣ୍ଡିଆନ୍‌ଙ୍କ ଉପରେ ବର୍ଷିଛନ୍ତି।

ହେମା ବିଜେଡିରେ ଅଛନ୍ତି। ବିଜେଡିରେ ଥାଇ ଦଳର ସଭାପତିଙ୍କ ବିରୋଧରେ ମୁହଁ ଖୋଲିବା ପରେ ବିଜେଡି ଶିବିରରେ ପୁଣି ହଇଚଇ ସୃଷ୍ଟି ହୋଇଛି।

“ଦଳର ସଭାପତି କିଛି ବୁଝନ୍ତି ନାହିଁ। ତାଙ୍କ ପାଖକୁ ଯାହା କିଛି ଅଭିଯୋଗ ଆସେ ସେସବୁକୁ ସେ ତାଙ୍କ ପ୍ରାଇଭେଟ୍ ସେକ୍ରେଟାରି ଭି କେ ପାଣ୍ଡିଆନଙ୍କ ପାଖକୁ ପଠାଇ ଦିଅନ୍ତି। ବିଜେଡି ‘ୟୁଜ୍ ଆଣ୍ଡ ଥ୍ରୋ’ ପଲିସି ଆପଣାଇଛି। ଯେଉଁମାନେ ଅନ୍ୟ ଦଳ ଛାଡ଼ି ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କୁ ୟୁଜ୍ କରି ଫୋପାଡ଼ି ଦିଆଯାଉଛି”, ଏମିତି ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ହେମା ଗମାଙ୍ଗ।

ଗୁଣପୁର ବାସବଭନରେ ହେମାଙ୍କ ସମର୍ଥକମାନେ ଏକାଠି ହୋଇଥିଲେ। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ପରେ ସମର୍ଥକଙ୍କ ଉପସ୍ଥିତିରେ ହେମା ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି।

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ, କୁନ୍ଦୁଲି ପୀଡ଼ିତା ଏବଂ ଭାଗିରଥି ମାଣ୍ଡାଙ୍ଗିଙ୍କୁ କି ବିଜେଡି ଶାସନରେ କି ନ୍ୟାୟ ଦିଆଗଲା ବୋଲି ଏହି ନେତ୍ରୀ ପ୍ରଶ୍ନ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେଉଛନ୍ତି ହେମା ଗମାଙ୍ଗ। ହେମା ୧୯୯୯ ଏବଂ ୨୦୦୦ରେ କଂଗ୍ରେସ ଟିକେଟରେ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୪ରେ ଏହି ନେତ୍ରୀ କଂଗ୍ରେସ ଛାଡ଼ି ବିଜେଡି ଯୋଗ ଦେଇଥିଲେ। କୋରାପୁଟ ବିଧାନସଭା ଆସନରେ ବିଜେଡି ଟିକେଟରେ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ହେମାଙ୍କ ସ୍ୱାମୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି।

୨୦୧୪ ନିର୍ବାଚନରେ ବିଜେଡିରେ ଯୋଗ ଦେଇଥିବା ହେମା ମାତ୍ର ୩ ବର୍ଷ ପରେ ବିଜେଡି ସଭାପତିଙ୍କ ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିବା ଘଟଣା ରାଜନୀତିରେ କରିଡ଼ରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନିକଟରେ ବୈଜୟନ୍ତ ପଣ୍ଡା ତୃତୀୟ ମହଲା ଅଫିସରଙ୍କୁ ନିଶାନା କରିଥିଲେ। ପରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ବୈଜୟନ୍ତଙ୍କ ପରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂ ମଧ୍ୟ ନବୀନଙ୍କୁ ଆକ୍ଷେପ କରିଥିଲେ। ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କ ଇସାରାରେ ଦଳ ପରିଚାଳିତ ହେଉଥିବା ଅଭିଯୋଗ କରିଥିଲେ।

Comment