ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୂର୍ବତନ ନେପାଳ ରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
  • ଗୋ-ବିଶ୍ୱଶାନ୍ତି ମହାଯଜ୍ଞରେ ନେପାଳ ରାଜା ପୂର୍ଣ୍ଣାହୂତି ଦେଲେ
  • ଗୋବିନ୍ଦ ଗୋମାତା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ
  • ୩.୫ ଏକର ଜମିରେ ନିର୍ମିତ ଗୋଶାଳାର ଉଦ୍‌ଘାଟନ

“ଏପରି ଭବ୍ୟ ସ୍ୱାଗତ ମୋତେ ଆନନ୍ଦ ଦେଇଛି। ଶ୍ରୀ ମାର୍ଗ ପକ୍ଷରୁ ଗୋ-ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜନ କରାଯାଇଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ପୂର୍ବତନ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ।

ଜଟଣୀ ନିକଟସ୍ଥ ଗଡ଼ରଥିପୁରରେ ବୁଧବାର ଗୋ-ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜନ କରାଯାଇଥିଲା। ସାମାଜିକ ଅନୁଷ୍ଠାନ ‘ଶ୍ରୀ ମାର୍ଗ’ ପକ୍ଷରୁ ୩ ଫେବ୍ରୁଆରିରୁ ଚାଲିଥିବା ଗୋ ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ଏହାସହିତ ସେ ପାରମ୍ପରିକ ରୀତିରେ ଗୋ-ବନ୍ଦନା କରିବା ସହ ଗୋବିନ୍ଦ ଗୋମାତା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ।

“ବର୍ତ୍ତମାନ ଲୋକେ ମାନବ ସମାଜ ପ୍ରତି ଗୋମାତାଙ୍କର ଗୁରୁତ୍ୱ ଓ ଅବଦାନକୁ ଭୁଲିଯାଉଛନ୍ତି। ଶ୍ରୀ ମାର୍ଗ ପକ୍ଷରୁ ଯେଉଁ ଉଦ୍ୟମ କରାଯାଉଛି ତାହା ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ମୁଁ ଆଶା କରୁଛି”, କହିଛନ୍ତି ନେପାଳ ରାଜା।

ଆଜି ଅପରାହ୍ଣରେ ନେପାଳ ରାଜା ଗଡ଼ରଥିପୁରଠାରେ ପହଞ୍ଚିବା ବେଳେ ଆୟୋଜକ ତଥା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଶଙ୍ଖ, ମୃଦଙ୍ଗ ଧ୍ୱନି ସହ ପାରମ୍ପରିକ ଘୋଡ଼ା ନାଚ ଓ ପାଇକ ଆଖଡ଼ା ପ୍ରଦର୍ଶନ କରି ରାଜାଙ୍କୁ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ବାସିନ୍ଦା। ଗଡ଼ରଥିପୁରରେ ଆୟୋଜିତ ଏକ ଭବ୍ୟ ସମାବେଶରେ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବଙ୍କୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଆପୋଲୋ ହସ୍ପିଟାଲ୍ସର ଓଡ଼ିଶା ଓ ଛତିଶଗଡ଼ ପାଇଁ ଥିବା ସିଇଓ ସୁଧିର ଏମ୍ ଡିଜିଗର୍, ଟିସିଏସ୍ ଓଡ଼ିଶା ମୁଖ୍ୟ ସନ୍ତୋଷ ପଣ୍ଡା, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଲେଖକ ଦେବଦାସ ଛୋଟରାୟ ଏବଂ ରାଜନୀତିକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଶଙ୍କର ପରିଡ଼ା ଏବଂ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ରାଜାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀ ମାର୍ଗର ସମ୍ପାଦକ ଶିବାଶିଷ ଶତପଥୀ କହିଛନ୍ତି, “ନେପାଳ ରାଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋବିନ୍ଦ ଗୋମାତା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ହେଉଛି ଗୋମାତାଙ୍କ ପ୍ରତି ସମର୍ପିତ ପ୍ରଥମ ମନ୍ଦିର। ଏହାସହ ରଥିପୁରରେ ବିଶେଷକରି ଭାରତୀୟ ଦେଶୀ ଗାଈମାନଙ୍କ ପାଇଁ ୩.୫ ଏକର ପରିମିତ ଜମିରେ ଏକ ଗୋଶାଳା ଉଦଘାଟନ କରାଯାଇଛି। ଏହା ଶ୍ରୀ ମାର୍ଗର ପ୍ରତିଷ୍ଠାତା ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ମାର୍ଥାଙ୍କ ଏକ ଅଭିନବ ପ୍ରୟାସ।”

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନେପାଳର ପୂର୍ବତନ ରାଜା ମଙ୍ଗଳବାର ସକାଳେ ଆସି ପହଞ୍ଚିଥିଲେ। ପରେ ଅପରାହ୍ଣରେ ସେ ଗଡ଼ରଥିପୁର ଯିବା ରାସ୍ତାରେ ସୁନ୍ଦରପଦା, ପ୍ରଧାନ ସାହି ଛକ, ଜାମୁକୋଳିଆ ଛକରେ ସ୍ଥାନୀୟ ବାସିନ୍ଦା ରାଜାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ପରେ ସନ୍ଧ୍ୟାରେ ଶ୍ରୀ ମାର୍ଗର ପ୍ରତିଷ୍ଠାତା ଦୀପ୍ତି ରଞ୍ଜନ ମାର୍ଥାଙ୍କ ଲିଖିତ ‘ଊର୍ମି ଅଧିରା ରୂପସୀ ଚିଲିକା’ ପୁସ୍ତକ ନେପାଳ ରାଜାଙ୍କ ହାତରେ ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇଥିଲା।

Comment