ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିବିଆଇ ତଦନ୍ତ ଦାବି କଲେ ଅନୁସୂଚିତ ଜାତି କମିଶନ ଟିମ୍
  • ଅଭିଯୁକ୍ତ ଧରା ନପଡ଼ିବା ଦୁର୍ଭାଗ୍ୟଜନକ: ଯୋଗେନ୍ଦ୍ର ପାଶ୍ୱାନ
  • ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ ଆଗରେ ଧାରଣା ଦେଲା କଂଗ୍ରେସ
  • ପୀଡ଼ିତାଙ୍କୁ ନ୍ୟାୟ ଦାବି

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ଖୋଳତାଡ଼ ପାଇଁ ପୀଡ଼ିତାଙ୍କ ଗାଁକୁ ଯାଇଛନ୍ତି ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଟିମ୍। ଦିଲ୍ଲୀରୁ ଆସିଥିବା ୩ ଜଣିଆ ଟିମ୍ କୁନ୍ଦୁଲି ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ସମ୍ପର୍କରେ ପଚାରି ବୁଝିଛନ୍ତି।

ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ସଦସ୍ୟ ଯୋଗେନ୍ଦ୍ର ପାଶ୍ୱାନ କହିଛନ୍ତି, “କୁନ୍ଦୁଲି ଗଣଦୁଷ୍କର୍ମର ତଦନ୍ତ ଦୀର୍ଘଦିନ ହେଲା ଚାଲୁଛି। ହେଲେ ଏହି ଘଟଣାରେ ଜଣେ ବି ଅଭିଯୁକ୍ତ ଧରା ନପଡ଼ିବା ଦୁର୍ଭାଗ୍ୟଜନକ। ପରିବାର ଲୋକ ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ରାଜ୍ୟ ସରକାର କାହିଁକି ଏହି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରୁ ନାହାନ୍ତି?”

ଏପଟେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ରାଜ୍ୟ ଫୋରେନସିକ୍ ଲ୍ୟାବ ଆଗରେ ଧାରଣା ଦେଇଛି।

କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, “ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ ରାଜ୍ୟ ସରକାରଙ୍କ ସ୍ବାର୍ଥ ପାଇଁ କାମ କରୁଛି। ପୀଡ଼ିତାଙ୍କ ରିପାର୍ଟକୁ ରାଜ୍‌ୟ ଫୋରେନସିକ୍ ଲ୍ୟାବ ବିଭ୍ରାନ୍ତ କରିବା ଦୁର୍ଭାଗ୍ୟଜନକ।”

ବିଜେଡି ନେତା ରବି ନାରାୟଣ ନନ୍ଦ କହିଛନ୍ତି, “ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍‌ ଏହି ଘଟଣାର ତଦନ୍ତ କରୁଛନ୍ତି। କିଛି ବ୍ୟକ୍ତି ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଏହାକୁ ରାଜନୀତିକରଣ କରୁଛନ୍ତି।”

Comment