ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଟିଭି ନିରପେକ୍ଷତା ଉପରେ ବିଜେଡି ଉଠାଇଲା ପ୍ରଶ୍ନ
  • ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ବିଜେପୁର ଉପ-ନିର୍ବାଚନରେ ନିରପେକ୍ଷତା ରହୁନି: ବିଜେଡି
  • ଓଟିଭି ରଖିଲା ସ୍ପଷ୍ଟୀକରଣ

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନେଇ ରାଜନୀତିରେ ଝଡ଼। ମୁହାଁମୁହିଁ ହୋଇଛନ୍ତି ଓଟିଭି ଏବଂ ଶାସକ ବିଜେଡି। ବିଜେପୁର ଉପ-ନିର୍ବାଚନରେ ଓଟିଭିର ନିରପେକ୍ଷତା ଉପରେ ଅଭିଯୋଗ କରିଛି ବିଜେଡି। ବିଜେପିକୁ ସୁହାଇବା ଭଳି ଖବର ପ୍ରସାରଣ କରୁଥିବା ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଏକ ପିଟିସନ ମଧ୍ୟ ଦାଖଲ କରିଛି ବିଜେଡି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରୁ ଫେରିବା ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା। ଏଥିରେ ସୂର୍ଯ୍ୟ ନାରାୟଣ ପାତ୍ର ଓଟିଭି ନାଁ ନେଇ ସିଧାସଳଖ ଟାର୍ଗେଟ୍ କରିଥିଲେ।

ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, “ଓଟିଭି ଖବର ସଂଗ୍ରହ ନାଁରେ ବିଜେଡି ବିରୋଧୀ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କାର୍ଯ୍ୟକ୍ରମ ମଧ୍ୟରେ ଡିବେଟ୍ କରିବା, ଫଟୋଗ୍ରାଫ୍ ସୋ କରିବା ଆଦି ରହିଛି। ଏହା ପେଡ଼୍ ନ୍ୟୁଜ୍ ଚ୍ୟାନେଲ ଭଳି ଜଣାପଡ଼ୁଛି। ବିଜେପୁର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ଖବର ପ୍ରସାରଣ କରାଯାଉଛି। ଏଭଳି ପେଡ୍ ନ୍ୟୁଜ୍‌ର ଖର୍ଚ୍ଚ ପ୍ରାର୍ଥୀଙ୍କ ହିସାବରେ ଯୋଡ଼ାଯାଉ।”

ବିଜେଡିର ଏହି ଟାର୍ଗେଟ୍ ପରେ ଓଟିଭି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଓଟିଭି କର୍ତ୍ତୃପକ୍ଷ କହିଛନ୍ତି, “ଦୀର୍ଘ ଦୁଇ ଦଶନ୍ଧି ହେଲା ଓଟିଭି ନିରପେକ୍ଷ ଖବର ପ୍ରସାରଣ କରି ଆସୁଥିବାରୁ ଦର୍ଶକମାନେ ଏହି ଚ୍ୟାନେଲକୁ ଆଦର  କରୁଛନ୍ତି। ବିଜେଡି ପକ୍ଷରୁ କରାଯାଇଥିବା ଅଭିଯୋଗର କୌଣସି ଆଧାର ନାହିଁ। ବିଜେପୁର ଉପ-ନିର୍ବାଚନରେ ଓଟିଭି ନିରପେକ୍ଷତା ଅବଲମ୍ବନ କରୁଛି। ସବୁ ଦଳର ଟିକିନିଖି ଖବର ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଟିଭି ପ୍ରୟାସ କରି ଆସୁଛି। ଓଟିଭି କଦାପି ପେଡ଼୍ ନ୍ୟୁଜ୍ ପରିବେଷଣ କରେ ନାହିଁ। ଓଟିଭିକୁ ବଦନାମ କରିବା ପାଇଁ ଏହା ଏକ ପ୍ରୟାସ। ମୁକ୍ତ, ଅବାଧ ଖବର ପରିବେଷଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଦିଆଯାଇଥିବା ଅଭିଯୋଗପତ୍ରରେ ବିଜେଡି ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ଜାଗିମଙ୍ଗତ ପଣ୍ଡାଙ୍କୁ ଟାର୍ଗେଟ୍ କରିଛି।

ଅଭିଯୋଗରେ ଦର୍ଶା ଯାଇଛି ଯେ “ଇମ୍ଫାର ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡା ଅରଟେଲ୍ କମ୍ୟୁନିକେସନର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅରଟେଲ୍ କମ୍ୟୁନିକେସନ ଅଧିନରେ ଓଟିଭି ପରିଚାଳିତ ହେଉଛି। ବୈଜୟନ୍ତଙ୍କ ସ୍ତ୍ରୀ ଜାଗିମଙ୍ଗତ ପଣ୍ଡା ଓଡ଼ିଶା ଟେଲିଭିଜନ ଲିମିଟେଡର ଡିରେକ୍ଟର ରହିଥିବା ବେଳେ ଅରଟେଲ କମ୍ୟୁନିକେସନର ପରିଚାଳନା ନିର୍ଦ୍ଦେଶିକା ମଧ୍ୟ ଅଛନ୍ତି। ଅରଟେଲ୍ କମ୍ୟୁନିକେସନରେ ବୈଜୟନ୍ତ ପଣ୍ଡାଙ୍କ ସେୟାର୍ ୧.୯୧୦ ପ୍ରତିଶତ ସେୟାର ରହିଛି। ଉଭୟ ପତି ପତ୍ନୀଙ୍କର ସେୟାର ହେଉଛି ୨.୮୦୧ ପ୍ରତିଶତ।

ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାକଲ କରିବା ଏବଂ ଦଳ ବିରୋଧୀ କାର୍ଯ କରିବା ଅଭିଯୋଗରେ ବୈଜୟନ୍ତଙ୍କୁ ବିଜେଡି ନିକଟରେ ନିଲମ୍ବିତ କରାଯାଇଛି। ଏଣୁ ବୈଜୟନ୍ତ ଏବଂ ତାଙ୍କ ସ୍ତ୍ରୀ ବିଜେଡି ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ବିଜେପୁ ଉପ-ନିର୍ବାଚନ ସଂକ୍ରାନ୍ତରେ ଓଟିଭି ବିଜେପିକୁ ସୁହାଇବା ଭଳି ଏକ ତରଫା ଖବର ପ୍ରସାରଣ କରୁଥିବା ବିଜେଡି ଅଭିଯୋଗପତ୍ରରେ ଦର୍ଶାଇଛି।

କିଏ କ’ଣ କହିଛନ୍ତି:

ଟିଭି ଚ୍ୟାନେଲ ଓ ବିଜେଡିର ଟଣାଓଟରା ଭିତରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, “ଆଜି ବି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଉକ୍ତିର ଯଥାର୍ଥତା ରହିଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର କ୍ଷମତା ବହୁତ। କିନ୍ତୁ ଏହି କ୍ଷମତାର ଦୂରୁପଯୋଗ ଅପରାଧ।”

“ବିଜୁବାବୁ ତାଙ୍କ ଦୀର୍ଘ ରାଜନୀତିକ ଜୀବନରେ ଗଣମାଧ୍ୟମଠାରୁ ବହୁ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏହାପରେ ବି ସେ ଓଡ଼ିଶା ବିଧାନସଭାରେ ୧୯୬୨ ପ୍ରେସ୍ ବିଲ୍ ପାସ୍ କରିଥିଲେ। ଏହି ଆଇନ୍ ଅନୁସାରେ କୌଣସି ସାମ୍ବାଦିକଙ୍କୁ  ଗିରଫ କରାଯାଇ ପାରିବ ନାହିଁ ବୋଲି ବିଜୁବାବୁ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନବୀନ ବାବୁ ତାଙ୍କ ବାପାଙ୍କଠାରୁ କିଛି ଶିଖି ପାରିଲେ ନାହିଁ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଓଟିଭି ପରିଚାଳନା ମଣ୍ଡଳୀ ସହ ମୋର କୌଣସି ସମ୍ପର୍କ ନାହିଁ। ଓଟିଭି ସହିତ ମୋତେ ଜବରଦସ୍ତ ଟଣା ଯାଉଛି। ଏହା ଶସ୍ତା ରାଜନୀତି। ମୋ ବିରୋଧରେ ଆସିଥିବା ସମସ୍ତ ଖବରକୁ ବି ଓଟିଭି ପ୍ରସାରଣ କରିଛି। ପେଷାଦାରୀ ଭାବେ ଓଟିଭି ଲିଖିତ ଚାର୍ଟର ଦ୍ବାରା ପରିଚାଳିତ”, କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

“ଓଟିଭି ବିରୋଧରେ ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ପେଡ୍‌ ନ୍ୟୁଜ୍‌ର ସଂଜ୍ଞା କ’ଣ ବିଜେଡି ଜାଣିନାହିଁ। ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି”, କହିଛନ୍ତି ଅଶୋକ ପାଣିଗ୍ରାହୀ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ତୃତୀୟ ମହଲା ଚାପରେ ଏଭଳି ଅଭିଯୋଗ କରାଯାଇଛି। “ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଏଭଳି ଅଭିଯୋଗ ଆଣିଥିବା ବିଜେଢି ନେତା ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କରେ ଜାଣି ନାହାନ୍ତି। ଏଣୁ ସେମାନେ ଚାପର ବଶବର୍ତ୍ତି ହୋଇ ଏହି ଅଭିଯୋଗ କରିଛନ୍ତି।”

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରିବା ଶୋଭନୀୟ ନୁହେଁ। ଏଭଳି କାମ କରି ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି।”

କାହିଁକି ଏ ବିବାଦ?

କୌଣସି ଏକ ଗଣମାଧ୍ୟମକୁ ରାଜନୈତିକ ଦଳ ଟାର୍ଗେଟ୍ କରିବା ଆଗରୁ କେବେ ଦେଖିବାକୁ ମିଳି ନଥିଲା। ଓଟିଭି ଏବଂ ବିଜେଡି ବିବାଦ ଓଡ଼ିଶା ରାଜନୀତିରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନକୁ ଗୋବର ମାଡ଼ ପ୍ରସଙ୍ଗରେ ବିଜେଡି ଏହି ଟିଭି ଚ୍ୟାନେଲକୁ ଟାର୍ଗେଟ୍ କରିଥିଲା। ଘଟଣା ଘଟିବା ପୂର୍ବରୁ ଓଟିଭି ପ୍ରତିନିଧି କେମିତି ପାଣ୍ଡିଆନଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଲେ ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଥିଲା।

Comment