ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାସକ ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି।

ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତିନିଧିମାନେ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ଚେକ୍ ପ୍ରଦାନ କରୁଛନ୍ତି। ଚେକ୍‌ ବାଣ୍ଟି ଶାସକ ବିଜେଡି ଆଦର୍ଶ ଆଚରଣବିଧି ଉଂଲଘନ କରୁଛି ବୋଲି ବିଜେପିର ଏକ ପ୍ରତିନିଧି ଦଳ ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ବିଜେପୁରରେ ସିଡିପିଓ ଓ ଅନ୍ୟାନ୍ୟ କର୍ମଚାରୀମାନେ ମିଶନ ଶକ୍ତି କାର୍ଯ୍ୟକ୍ରମରେ  ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ଚେକ୍‌ ପ୍ରଦାନ କରୁଛନ୍ତି। ମିଶନ ଶକ୍ତି କମିଶନର ଓ ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ କ୍ଷେତ୍ରରେ କାମ କରୁଥିବା ବିଭାଗୀୟ କର୍ମଚାରୀମାନଙ୍କୁ ନିୟୋଜନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆୟୋଗଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାଶ, ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ ଏବଂ ସାଧାରଣ ସଂପାଦକ ଏନ.ରାଜେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comment