ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରେ ଆଇଟିଏଓ ପକ୍ଷରୁ ୫ମ ଆଇଟି କନକ୍ଲେଭ
  • କନକ୍ଲେଭର ଶୀର୍ଷକ ରହିଛି ‘ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍’
  • ଯୋଗ ଦେବେ ଆଇଟି କ୍ଷେତ୍ର ସହ ବହୁ ଜଡ଼ିତ ବ୍ୟକ୍ତି
  • ନୂଆ ଉତ୍ପାଦ ସମ୍ପର୍କରେ ଅବଗତ କରିବେ ନାମୀଦାମୀ ସଫ୍ଟୱେୟାର କମ୍ପାନି

ଫେବ୍ରୁଆରି ୨୦ରେ ଭୁବନେଶ୍ୱରରେ ଦ ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା (ଆଇଟିଏଓ) ପକ୍ଷରୁ ୫ମ ଆଇଟି କନକ୍ଲେଭ-୨୦୧୮ ଅନୁଷ୍ଠିତ ହେବ। ଏହି କନକ୍ଲେଭର ଶୀର୍ଷକ ରହିଛି ‘ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍’। ଆଇଟି ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଆଇଟି କ୍ଷେତ୍ର ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ଏହି ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ସେମାନେ ସେମାନଙ୍କର ଆଇଟିର ଉତ୍ପାଦ ପ୍ରଦର୍ଶିତ କରିବେ ବୋଲି ଭୁବନେଶ୍ୱରରେ ଆଇଟିଏଓ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

“ଓଡ଼ିଶାରେ ଆଇଟି କ୍ଷେତ୍ରକୁ ଏକ ନୂଆ ଦିଗ ଦେଖାଇବା ଏବଂ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ହେଉଛି ଆମର ଲକ୍ଷ୍ୟ। ଆଇଟି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଆମେ ଏକ ପ୍ଲାଟଫର୍ମ ତିଆରି କରିବାକୁ ଚାହୁଁଛୁ । ଆଇଟି ଶିଳ୍ପକୁ ଓଡ଼ିଶାରେ କିପରି ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ଏହି ପ୍ଲାଟଫର୍ମରେ ଆଲୋଚନା କରାଯିବା ସହ ଗ୍ରାହକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛୁ। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାକୁ କିପରି ସଠିକ୍ ଭାବେ ବ୍ୟବହାର କରାଯାଇ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ଆମେ ସଚେତନ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ନେଉଛୁ”, କହିଛନ୍ତି ଆଇଟିଏଓ ସଭାପତି ସୌଭାଗ୍ୟ ରାଉତରାୟ।

ଆଇଟି ଶିଳ୍ପକୁ ଓଡ଼ିଶାରେ ଆହୁରି ଆଗକୁ ନେବା ପାଇଁ ୪୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଆଇଟିଏଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଓଡ଼ିଶାରେ ହେଉଥିବା ଆଇଟି କାରବାରରେ ପ୍ରାୟ ୭୫ ପ୍ରତିଶତ ଅର୍ଥ ଆଇଟିଏଓ ସଦସ୍ୟମାନେ ଡିଲ୍ କରିଥାନ୍ତି ।

“ଆଇଟି କ୍ଷେତ୍ରକୁ ଓଡ଼ିଶାରେ ଅଧିକ ବ୍ୟାପକ କରିବା ପାଇଁ ଆଇଟିଏଓ ଉଦ୍ୟମ ଜାରି ରଖିଛି। ଲୋକଙ୍କ ମଧ୍ୟରେ ଆଇଟି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ଆଇଟିଏଓ ସମ୍ପାଦକ ଶ୍ରୀନିବାସ ତ୍ରିପାଠୀ।

ଏହି କନକ୍ଲେଭରେ ବହୁ ନାମୀଦାମୀ ସଫ୍ଟୱେୟାର କମ୍ପାନି ଯୋଗ ଦେବେ। ଆମେରିକାର ଏଡୋବ୍, ସିଏସଡିଏସ୍, ଜାପାନର ଏପ୍ସନ୍ ଏବଂ ଆମେରିକାର କ୍ୱାଡଜେନ୍ କମ୍ପାନିର ଅଧିକାରୀ ଉପସ୍ଥିତ ରହି ସେମାନଙ୍କର ନୂଆ ଉତ୍ପାଦ ସମ୍ପର୍କରେ ଅବଗତ କରିବେ।

ଓଡ଼ିଶାର ବିଭିନ୍ନ କମ୍ପାନିର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ  ଏବଂ ଆଇଟି ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀରେ ଯୋଗ ଦେବେ । ରାଜ୍ୟର ଅନେକ ଗ୍ରାହକ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ।

ଜାତୀୟ ଏବଂ ବିଶ୍ୱ ସ୍ତରରୁ ଆସୁଥିବା ଆଇଟି ବିଶେଷଜ୍ଞଙ୍କଠାରୁ ନୂଆ ଉତ୍ପାଦ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଏହି ସମ୍ମିଳନୀରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରିବା ପାଇଁ ଆଇଟିଏଓ ନିଷ୍ପତ୍ତି ନେଇଛି। ଏଥିରେ ସରକାରୀ ସଂସ୍ଥା, କର୍ପୋରେଟ୍, ପବ୍ଲିକ ସେକ୍ଟର, ଡିଷ୍ଟ୍ରିବ୍ୟୁଟର ଏବଂ ଶିଳ୍ପୋଦ୍ୟୋଗୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଆଇଟିଏଓ କୋର୍ ଗ୍ରୁପ୍ ସଦସ୍ୟ ଏବଂ ମ୍ୟାନେଜର ନିମେଶିକା ନଟରାଜନ କହିଛନ୍ତି, “କିଛି ବର୍ଷ ହେଲା ଭାରତ ଏବଂ ଓଡ଼ିଶାରେ ଆଇଟି ଶିଳ୍ପର ଚାହିଦା ବଢ଼ିଛି। ଉଭୟ ଅଭିବୃଦ୍ଧି ଏବଂ ରୋଜଗାର ସୃଷ୍ଟିରେ ଆଇଟି କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି।”

ଅନ୍ୟମାନଙ୍କ ମଧ୍ୟରେ ଆଇଟିଏଓର ଉପ-ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଏବଂ ଅନ୍ୟ କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଏହି କନକ୍ଲେଭକୁ ଓଡ଼ିଶା ସରକାରଙ୍କ ବୈଦୁ୍ୟତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍) ଏବଂ ଏସପିଆଇ ସହଯୋଗ କରୁଛନ୍ତି।

ୱାର୍ଲଡ ଟ୍ରେଡ ସେଣ୍ଟର, ଭୁବନେଶ୍ୱର ଏବଂ ସିଆଇଟିଇ କନକ୍ଲେଭର ସହ-ପ୍ରାୟୋଜକ ରହିଛି। ‘ଓଡ଼ିଶାଲାଇଭ୍’ ଡିଜିଟାଲ ମିଡିଆ ପାର୍ଟନର୍ ରହିଥିବା ବେଳେ ଭାରଇଣ୍ଡିଆ ଆଇଟି ମିଡିଆ ପାର୍ଟନର୍ ରହିଛି।

Comment