ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣକ ପରେ ଜଣେ ଅଭିନେତା ଅଭିନେତ୍ରୀ ବିଜେପିରେ ଯୋଗ ଦେବା ପରେ ଓଲିଉଡର ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀ ଅପରାଜିତା ମହାନ୍ତି ପଦ୍ମ ଧରିବାକୁ ଯାଉଛନ୍ତି। ୧୯ ତାରିଖରେ ସେ ବିଜେପିରେ ଯୋଗ ଦେବେ।

ବିଜେପିରେ ମିଶିବେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି। ଆସନ୍ତା ୧୯ ତାରିଖରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ନିକଟରେ ଅପରାଜିତା କଂଗ୍ରେସ ଛାଡ଼ିଥିଲେ। ସେ ୨୦୧୪ ଫେବ୍ରୁଆରି ୨୦ରେ କଂଗ୍ରେସରେ ଯୋଗ ଦେଇଥିଲେ। ସେତେବେଳେ ପିସିସି ସଭାପତି ଥିଲେ ଜୟଦେବ ଜେନା।

କଂଗ୍ରେସରେ ଯୋଗ ଦେବା ପରେ ଅପରାଜିତା ୨୦୧୪ରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ପରାଜିତ ହୋଇଥିଲେ। ସେବେଠାରୁ ଅପରାଜିତାଙ୍କୁ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିଲା। ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଅପରାଜିତା ସେତେବେଳେ ଗଣମାଧ୍ୟମକୁ କହିଥିଲେ।

ଏବେ ପୁଣି ଅପରାଜିତାଙ୍କ ମନ ବଦଳିଛି। ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଅପରାଜିତାଙ୍କ ସ୍ୱାମୀ ଅଭିନେତା ଉତ୍ତମ ମହାନ୍ତି ବିଜେଡିରେ ଅଛନ୍ତି।

“କଂଗ୍ରେସ ଯେତେବେଳେ ରାଜ୍ୟରେ ଦୁର୍ବଳ ଥିଲା ମୁଁ ସେତେବେଳେ ଏହି ଦଳରେ ଯୋଗ ଦେଇଥିଲି। କଟକ ଲୋକସଭା ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲି। ହେଲେ ଦଳରେ ମୋତେ ଯେଉଁ ସହଯୋଗ ଏବଂ ଗାଇଡାନ୍ସ ମିଳିବା କଥା ତାହା ମିଳିଲା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବିକାଶ ହେଉଛି। ମୋଦିଙ୍କ ନେତୃତ୍ବ ପ୍ରତି ଆକର୍ଷିତ ହୋଇ ମୁଁ ବିଜେପିରେ ଯୋଗ ଦେବାକୁ ମନସ୍ଥ କରିଛି”, କହିଛନ୍ତି ଅପରାଜିତା ମହାନ୍ତି।

କିଛିଦିନ ତଳେ ବିଜେପିରେ ବହୁ ଓଲିଉଡ ଷ୍ଟାର ସାମିଲ ହୋଇଛନ୍ତି। ମିହିର ଦାସ, ଅନୁ ଚୌଧୁରୀ ଏବଂ ମହାଶ୍ୱେତା ରାୟ ପଦ୍ମ ଧରିଛନ୍ତି। ଏହା ପୂର୍ବରୁ ମଧ୍ୟ ପିଙ୍କି ପ୍ରଧାନ, ହରିହର ନାୟକ, ପିଣ୍ଟୁ ନନ୍ଦ, ଶ୍ରୀତମ ଦାସ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ।

Comment