ଓଡ଼ିଶାଲାଇଭ୍ ବ୍ୟୁରୋ

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। ଭୁବନେଶ୍ୱର ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନିକଟରେ ନବୀନ ଏହି ଦାବିକୁ ପୁନର୍ବାର ଉତ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ସାକ୍ଷାତ ବେଳେ ଆହୁରି ଅନେକ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। କୋଇଲା ରୟାଲଟି ବୃଦ୍ଧି, କେବିକେ ଜିଲ୍ଲାମାନଙ୍କ ପାଇଁ କେନ୍ଦ୍ରୀୟ ସହାୟତା ପୁଣି ଚାଲୁ କରିବା,ସମନ୍ୱିତ ଆକ୍ସନ ପ୍ଲାନ ଓ ବ୍ୟାକ୍ୱାର୍ଡ ରେଜିଓନ୍ସ ଗ୍ରାଣ୍ଟ ଫଣ୍ଡ ଆଦି ଦାବି ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି।

ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ଏହି ସାକ୍ଷାତ ବେଳେ ଉଠିଥିଲା। ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରିୟ ସହାୟତା ୭୫ରୁ ୯୦ ପ୍ରତିଶତକୁ ବୃଦ୍ଧି କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ କେନ୍ଦ୍ରିୟ ଯୋଜନା ପାଇଁ ଯେତେ ଅର୍ଥ ମିଳିବ ସେନେଇ ଆଗୁଆ ସୂଚନା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ଯୋଜନା ଗୁଡ଼ିକରେ କୌଣସି ପ୍ରକାର କାଣ୍ଟଛାଣ୍ଟ ନକରିବା ପାଇଁ ନବୀନ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ବ୍ୟାଙ୍କ ନଥିବା ୪୩୭୬ ଗାଁରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ ଓ ଇଣ୍ଟରନେଟ ସୁବିଧାକୁ ବ୍ୟାପକ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଓଡ଼ିଶାରେ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ମରାମତି, ରେଳ ପ୍ରକଳ୍ପ ଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା, ଅମୃତସର-ଦିଲ୍ଲୀ-କଲିକତା-ବିଶାଖାପାଟଣା ଶିଳ୍ପ କରିଡ଼ରରେ ଓଡିଶାକୁ ସାମିଲ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଆକାଂକ୍ଷିତ ଜିଲ୍ଲା(ଅସ୍ପିରେସ୍ନାଲ ଡିଷ୍ଟ୍ରିକ୍ଟ)ଉପରେ ମଧ୍ୟ ନବୀନ ଓ ରାଜୀବ କୁମାରଙ୍କ ମଧ୍ୟରେ ବିଶେଷ କଥାବାର୍ତ୍ତା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପରେ ଓଡ଼ିଶାର ବିକାଶ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଗଣମାଧ୍ୟମକୁ କହିଛନ୍ତି।

Comment