ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେହି ପରିମାଣରେ ମାହୋଲ ଗରମ୍ ହେଉଛି। ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ବିଜେପୁର ମଇଦାନ ସର୍‌ଗରମ୍‌ ରହିଥିବା ବେଳେ ଏବେ ଟଙ୍କାକୁ ନେଇ ରାଜନୀତି ଜୋର୍ ଧରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ବିଜେପୁର ଅଞ୍ଚଳରୁ ଖାଲି ଟଙ୍କା ବିଡ଼ା ଜବତ କରୁଛି ପୋଲିସ।

ଶନିବାର ରାତିରେ ବିଜେପୁର ମହୁଲପାଲି ଛକରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ପଦ୍ମପୁର ପୋଲିସ। ଏହି ଟଙ୍କା ବିଶ୍ୱହିନ୍ଦୁ ପରିଷଦର ଜଣେ କର୍ମୀଙ୍କ ହାତରୁ ଧରା ପଡ଼ିଥିବାରୁ ବିଜେପିର ସ୍ବଚ୍ଛ ରାଜନୀତି ଉପରେ ଉଠିଥିଲା ପ୍ରଶ୍ନ। ଏହାକୁ ନେଇ ବିଜେପି ଓ ବିଜେଡି ଭିତରେ ଚାଲିଥିଲା ତୁତୁ ମେମେ।

୪୦ ଲକ୍ଷକୁ ନେଇ ରାଜନୀତି ନଥମୁଣୁ ସୋମବାର ପୁଣି ଟଙ୍କା ବିଡ଼ା ଜବତ ହୋଇଛି। ଡୁଙ୍ଗୁରିପାଲି ପେଟ୍ରୋଲ କମ୍ପ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହାସହ ବ୍ୟାଙ୍କ ଡିପୋଜିଟ ଫର୍ମ ମଧ୍ୟ ଜବତ କରାଯାଇଛି। ଡୁଙ୍ଗୁରିପାଲ୍ଲିରେ ବ୍ୟାଙ୍କ ବନ୍ଦ ଥିବାରୁ ଓଲଟପୁର ବ୍ୟାଙ୍କକୁ ଟଙ୍କା ଯାଉଥିଲା ଡିପୋଜିଟ ହେବା ପାଇଁ। ତେବେ ଏତେଗୁଡ଼ାଏ ଟଙ୍କା ଯାଉଥିବାରୁ ସନ୍ଦେହ ବଢ଼ିଛି। ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି।

୪୦ ଲକ୍ଷ ଟଙ୍କା ଜବତ ଘଟଣାକୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଟଙ୍କା ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କର ଯଦି ସାହସ ଅଛି ତାହାଲେ ସେ ଇଡି ଏବଂ ଇନ୍‌କମ୍ ଟ୍ୟାକ୍ସ ଲଗାଇ ତଦନ୍ତ କରନ୍ତୁ।

ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟାର ଜବାବ ଦେଇଛି ବିଜେଡି। ବିଜେପି ତୁଚ୍ଛା ରାଜନୀତି କରୁଛି ବୋଲି ବିଜେଡି କହିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଇଡି ଏବଂ ଇନ୍‌କମ୍‌ ଟ୍ୟାକ୍ସ ରହିଛି କେନ୍ଦ୍ର ସରକାରଙ୍କ ହାତରେ। ତୁରନ୍ତ ସେ ଏ ଘଟଣାର ତଦନ୍ତ କରନ୍ତୁ।”

Comment