ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୁମ୍ଭାରୀ ସଭାରେ ଉଦ୍‌ବୋଧନ ଦେଉଥିଲେ ନବୀନ
  • ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରୁଥିଲେ
  • ସଭା ମଞ୍ଚକୁ ଫିଙ୍ଗା ହୋଇଥିଲା ଦୁଇଟି ଚପଲ
  • ଗୋଟିଏ ଚପଲକୁ ଧରି ପକାଇଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ
  • ଅନ୍ୟଟି ତଳେ ପଡ଼ିଗଲା
  • ଚପଲ ମାଡ଼ କରିଥିବା ଯୁବକକୁ କାବୁ କଲା ପୋଲିସ

ବିଜେପୁରରେ ଘଟିଛି ଅଭାବନୀୟ ଘଟଣା। ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଚାର କରୁଥିବା ବେଳେ ସଭା ମଞ୍ଚକୁ ଜଣେ ଯୁବକ ଚପଲ ଫିଙ୍ଗି ଥିଲେ। ଚପଲ ଫିଙ୍ଗିଥିବା ଯୁବକଙ୍କୁ ସୁରକ୍ଷା କର୍ମୀ କାବୁ କରି ନେଇଛନ୍ତି।

ଚପଲ ଫିଙ୍ଗିଥିବା ଯୁବକର ନାଁ କାର୍ତ୍ତିକ ମେହେର। ତାଙ୍କ ଘର ପଦ୍ମପୁର ଅଞ୍ଚଳର ବୁଢ଼ାପାଲ୍ଲିରେ ବୋଲି ପୋଲିସ କହିଛି। ସଂପୃକ୍ତ ଯୁବକଙ୍କୁ ସୁରକ୍ଷା କର୍ମୀ କାବୁ କରିବା ବେଳେ ଦଳୀୟ କର୍ମୀ ମାଡ଼ ମାରିଥିଲେ।

କେମିତି ଥିଲା ଘଟଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଜେପୁର ପ୍ରଚାର ମଇଦାନରେ ମଙ୍ଗ ଧରିଛନ୍ତି। ୨୦ ଓ ୨୧ ତାରିଖରେ ସେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ପୂର୍ବାହ୍ନରେ ନବୀନ ବରପାଲ୍ଲି ବ୍ଲକର ବଡ଼ଗାଁରେ ସାଧାରଣ ସଭାରେ ଉଦବୋଧନ ଦେଇ କୁମ୍ଭାରୀ ଗାଁକୁ ଯାଇଥିଲେ। ସେଠାରେ ସେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଉଥିଲେ।

ମୁଖ୍ୟମନ୍ତ୍ରୀ ସଭା ମଞ୍ଚରେ ବସିଥିବା ବେଳେ ଅନ୍ୟ ବିଜେଡି ନେତାମାନେ ଉଦ୍‌ବୋଧନ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବାକୁ ଉଠିଥିଲେ। ମୁଖ୍ୟମନ୍ତ୍ରୀ ସ୍ୱାଭାବିକ ଢଙ୍ଗରେ ହାତ ଦେଖାଇ ଭାଷଣ ଆରମ୍ଭ କରିବା ବେଳକୁ ହଠାତ୍ ଲୋକଙ୍କ ଗହଣରୁ ଦୁଇଟି ଚପଲ ଫିଙ୍ଗା ଯାଇଥିଲା। ଚପଲଟି ମୁଖ୍ୟମନ୍ତ୍ରୀଙ୍କ ପୋଡିୟମ ପାଖକୁ ଆସୁଥିବା ଦେଖି ସୁରକ୍ଷା କର୍ମୀ ଗୋଟିଏ ଚପଲ ଧରି ପକାଇଥିଲେ। ଅନ୍ୟଟି ତଳେ ପଡ଼ି ଯାଇଥିଲା।

ଚପଲ ଫିଙ୍ଗିଥିବା ଯୁବକଙ୍କୁ ଠାବ କରି ପୋଲିସ କାବୁ କରି ନେଇଥିଲା। ହେଲେ ଉପସ୍ଥିତ କର୍ମୀମାନେ ସଂପୃକ୍ତ ଯୁବକଙ୍କୁ ମାଡ଼ ମାରିଥିବା କୁହାଯାଉଛି।

ଜାନୁଆରି ୩୧ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକର ତାଳସାରି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଜଣେ ମହିଳା ଅଣ୍ଡା ମାଡ଼ ହୋଇଥିଲା। ଅଣ୍ଡା ମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲା ବିଜେପି କର୍ମୀଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଥିଲା।

“ଚପଲ ମାଡ଼ କରିଥିବା ଯୁବକ ଜଣକ ବିଜେପି କର୍ମୀ। ସଂପୃକ୍ତ ଯୁବକ ଜଣକ ବିଜେପୁର ବ୍ଲକର। ବିଜେପି ହାରିଯିବା ଭୟରେ ଏଭଳି କାମ କରିଛି”, କହିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ।

ବିଜେଡିର ଏହି ଅଭିଯୋଗକୁ କଣ୍ଡନ କରିଛି ବିଜେପି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଚପଲ ଫିଙ୍ଗିଥିବା ଯୁବକ ବିଜେପିର ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ପ୍ରଦୀପ ପୁରୋହିତ କହିଛନ୍ତି, “ଚପଲ ଫିଙ୍ଗିଥିବା ଯୁବକ ବିଜେପିର ନୁହଁନ୍ତି। ମୁଖ୍ୟମନ୍ତ୍ରୀ ଜନ ଆକ୍ରୋଶର ଶୀକାର ହୋଇଛନ୍ତି। ବିଜେପୁରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି କରି ନଥିବାରୁ ତାହାର ଜବାବ ସ୍ଥାନୀୟ ଲୋକେ ଦେଇଛନ୍ତି।”

Comment