ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ମାର୍ଚ୍ଚ ୬ ତାରିଖରେ ପ୍ରଥମ ଥର ପାଇଁ ବାଲେଶ୍ୱରରେ ହେବାକୁ ଯାଉଛି ଲୋକକଳା ମହୋତ୍ସବ। ଏଥିପାଇଁ ମଙ୍ଗଳବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମ ବାଲେଶ୍ୱର ଜିଲ୍ଲା ଲୋକକଳା ମହୋତ୍ସବ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘ ଏବଂ ବିଭିନ୍ନ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତିମାନେ ବୈଠକରେ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜିଲ୍ଲାସ୍ତରରେ ପ୍ରଥମ ଥର ପାଇଁ ଏଭଳି ମହୋତ୍ସବର ଆୟୋଜନ କରାଯାଉଥିବାରୁ ଏଥିରେ ଜିଲ୍ଲାର ସମସ୍ତ ବ୍ଲକର ଲୋକକଳା ଦଳମାନେ ଅଂଶଗ୍ରହଣ କରିବେ।  ଆସନ୍ତା ମାର୍ଚ୍ଚ ୬ ଏବଂ ୭ତାରିଖରେ ‘ବାଲେଶ୍ୱର ଜିଲ୍ଲା ଲୋକକଳା ମହୋତ୍ସବ’ ଆୟୋଜନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଦୁଇଦିନ ଧରି ଏହି ମହୋତ୍ସବ ଚାଲିବ।

ସକାଳ ୧୦ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବିଭିନ୍ନ  ଦଳମାନେ ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ କରିବେ। ମହୋତ୍ସବରେ ପ୍ରତି ବ୍ଲକରୁ ୩ଟି ଲେଖାଏଁ ବ୍ଲକ କଳା ସଂସ୍କୃତି ସଂଘର  ପଞ୍ଜିକୃତ ଲୋକକଳା ଦଳମାନେ ଅଂଶଗ୍ରହଣ କରିପାରିବେ। ତେବେ ବିଡିଓ ଏବଂ ବିକେଏସ୍ଏସ୍ ଉପ-ସଭାପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ଦଳମାନଙ୍କୁ ହିଁ ଭାଗ ନେବା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ।

ପାଲା, ଦାସକାଠିଆ ସମେତ ଘୋଡାନାଚ, ଚଢେଇଆ-ଚଢେଆଣି, କେଳା-କେଳୁଣି, ରାମଲୀଳା, ସମ୍ବଲପୁରୀ, ସଂକୀର୍ତ୍ତନ, ଛଉ, ଦଧିନାଟ ଆଦିବାସୀ ନୃତ୍ୟ, ମନସା ଓ ଷଷ୍ଠି ପାଲା ପ୍ରଭୃତି କାର୍ଯ୍ୟକ୍ରମକୁ ଏଥିରେ ସାମିଲ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା।

ଉଦଘାଟନୀ ଦିବସରେ କଳାକାରମାନେ ପାରମ୍ପରିକ ପୋଷାକ ପରିଧାନ କରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବେ। ଅଂଶଗ୍ରହଣକାରୀ ଦଳମାନଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ଦଳକୁ ପୁରସ୍କୃତ କରାଯିବ।

Comment