ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେପୁରବାସୀଙ୍କୁ ଧନ୍ୟବାଦ ଦେଲେ ଅନୁଭବ
  • ବିଜେପି ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ
  • କହିଲେ, “ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଆପଣାଉ ବିଜେପି”
  • ବିଜେପୁରରେ ଯାହା ପ୍ରତିଶ୍ରୁତି ଦିଆଯାଇଛି ତାହା ପୂରଣ କରାଯିବ: ଅନୁଭବ

“ବିଜେପି ଆତଙ୍କ ସୃଷ୍ଟି କରୁଛି। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ବିଜେପି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି। ମହାତ୍ମା ଗାନ୍ଧିଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଯେଉଁ ଦଳ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛି ସେହି ଦଳ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଆପଣାଇ ପାରି ନାହାନ୍ତି।  ୨୦୧୯ରେ ସ୍ୱଚ୍ଛ ଭାରତ ହେବ। ହେଲେ ଏହି ଅଭିଯାନରେ ସାରା ଭାରତରୁ ବିଜେପିକୁ ସଫା କରାଯିବ”, କହିଛନ୍ତି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି।

ବିଜେପୁର ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବା ପରେ ଭୁବନେଶ୍ୱସ୍ଥିତ ପାର୍ଟି ଅଫିସରେ ନେତା ଓ କର୍ମୀଙ୍କ ଭିଡ଼ ଲାଗିଥିଲା। ଏହି ଅବସରରେ ଅନୁଭବ ମହାନ୍ତି ମଧ୍ୟ ପାର୍ଟି ଅଫିସକୁ ଆସିଥିଲେ। ବିଜେଡି ବିଜୟକୁ ନେଇ ଖୁସି ବ୍ୟକ୍ତ କରିବା ସହ ବିଜେପିକୁ କଟୁ ସମାଲୋଚନା କରିଥିଲେ।

ବିଜେଡି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିବା ପାଇଁ ବିଜେଡି ଷ୍ଟାର ପ୍ରଚାରକମାନଙ୍କୁ ସାମିଲ କରିଥିଲା। ଏଥିରେ ଅଭିନେତାରୁ ନେତା ବନିଥିବା ସାଂସଦ ଅନୁଭବ ଆଗରେ ରହିଥିଲେ। ବିଜେପୁରରେ ଡେରା ପକାଇ ସେ ରିତା ସାହୁଙ୍କ ପାଇଁ ପ୍ରଚାର କରିଥିଲେ।

ରୋଡ ସୋ ଏବଂ ସଭା କରି ବିଜେଡି ସରକାରର ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ବିଜେଡିକୁ ଭୋଟ ଦେବା ପାଇଁ ଅନୁଭବ ଘର ଘର ବୁଲି ଭୋଟରଙ୍କୁ ଭେଟିଥିଲେ। ଉପ-ନିର୍ବାଚନରେ ବିଜେଡି ବାଜିମାତ କରିବା ପରେ ଅନୁଭବ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେବା ସହ ବିଜେପିକୁ ଟାର୍ଗେଟ୍ କରିଥିଲେ।

ଅନୁଭବ ଆହୁରି କହିଥିଲେ, “ବିଜେପୁରବାସୀ ବିଜେଡି ଏବଂ ସଭାପତି ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଛନ୍ତି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯିବ। ବିଜେପୁରବାସୀଙ୍କୁ ବିଜେଡି କେବେ ବି ଅସମ୍ମାନ କରିବ ନାହିଁ।”

ନିକଟରେ ବିଜେଡି ପକ୍ଷରୁ ଯୁବ-ଛାତ୍ର ସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଦକ୍ଷିଣ ଓଡ଼ିଶାରୁ ଏହି ଅଭିଯାନ ଶୁଭାରମ୍ଭ ହୋଇଥିଲା। ଅନୁଭବଙ୍କୁ ଏହି ଅଭିଯାନରେ ଆଗ ଧାଡ଼ିରେ ଦେଖିବାକୁ ମିଳିଥିଲା। କୋରାପୁଟ, ରାୟଗଡ଼ା ଗସ୍ତ କରି ଅନୁଭବ ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଉଥିଲେ।

Comment