ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର ଢେଙ୍କିକୋଟଠାରେ ଘଟିଥିବା ସଡ଼କ ଦୁର୍ଘଟଣା
  • କେନ୍ଦୁଝରରେ ସଡ଼କ ଦୁର୍ଘଟଣା, ୨ ମୃତ
  • ବାଙ୍କୀରେ ମହାନଦୀରେ ବୁଡ଼ି ଜଣେ ଯୁବକ ମୃତ
  • ବ୍ରହ୍ମପୁରରେ ସମୁଦ୍ରରେ ବୁଡ଼ିଗଲେ ଜଣେ, ୨ ନିଖୋଜ

ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୁମ୍‌ଧାମ୍‌ରେ ପାଳନ ହୋଇଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ରଙ୍ଗରେ ଭିଜିଥିବା ବେଳେ କେନ୍ଦୁଝରର ଢେଙ୍କିକୋଟ, ବ୍ରହ୍ମପୁର ଏବଂ କଟକ ଜିଲ୍ଲାର ବାଙ୍କୀରେ ଅଘଟଣ ଘଟିଛି। ଫଳରେ ୪ ଜଣଙ୍କର ପ୍ରାଣହାନି ଘଟିଛି।

ହୋଲି ଖେଳ ସାରି ଦୁଇ ଜଣ ସାଙ୍ଗ ଗାଡ଼ିରେ ଘରୁ ଫେରୁଥିଲେ। ହେଲେ ଢେଙ୍କିକୋଟ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ବାଇକ୍ ସହ କାର୍ ଧକ୍କା ହେବାରୁ ଦୁଇ ଜଣ ବାଇକ ଆରୋହୀ ତଳେ ପଡ଼ି ଯାଇଥିଲେ। ଜଣକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣାରେ ବାଇକଟି ଚୁର୍‌ମାର୍ ହୋଇଯାଇଥିବା ବେଳେ କାରରେ ଥିବା ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

କଟକ ଜିଲ୍ଲା ବାଙ୍କୀ ବ୍ଲକର କୁସୁପଙ୍ଗି ଗ୍ରାମରେ ମଧ୍ୟ ଅଘଟଣ ଘଟିଛି। ହୋଲି ଖେଳ ସାରି କୁସୁପଙ୍ଗି ଗ୍ରାମର କିଛି ଯୁବକ ମହାନଦୀର କାଳିକା ପ୍ରସାଦ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଯୁବକର ମୃତଦେହକୁ ଉଦ୍ଧାର କରିଛନ୍ତି। ମୃତ ଯୁବକ ଜଣକ ହେଲେ ରାଜେଶ ସ୍ୱାଇଁ।

ସେହିପରି ବ୍ରହ୍ମପୁର ଅଞ୍ଚଳରେ ମଧ୍ୟ ଘଟିଛି ଆଉ ଏକ ଅଘଟଣ। ସାନବଜାର ଅଞ୍ଚଳର ୧୯ ଜଣ ଯୁବକ ହୋଲି ଖେଳ ସରିବା ପରେ ଗୋପାଳପୁର ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ହେଲେ ସମୁଦ୍ରରେ ୩ ଜଣ ଯୁବକ ବୁଡ଼ି ଯାଇଥିଲେ। ଜଣକର ମୃତ୍ୟୁ ଘଟିଥିବା ଆଉ ୨ ଜଣ ନିଖୋଜ ଅଛନ୍ତି। ମୃତ ଯୁବକ ଜଣକ ହେଲେ ସାନବଜାର ଅଞ୍ଚଳର ପି ସିଦ୍ଧାନ୍ତ ପାତ୍ର।

Comment