ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରଙ୍ଗରେ ଭିଜିଲେ ସମସ୍ତେ
  • ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ
  • ଡିଜେ ସାଉଣ୍ଡ, ପାରମ୍ପରିକ ବାଜାରେ ନାଚିଲେ ଯୁବପିଢ଼ି
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

ରଙ୍ଗର ପର୍ବ ହୋଲିରେ ରଙ୍ଗିନ୍ ହୋଇଛି ସାରା ପରିବେଶ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ରଙ୍ଗରେ ଭିଜିଛନ୍ତି। ପରସ୍ପର ମଧ୍ୟରେ ଖୁସି ବାଣ୍ଟି ଏହି ଭାଇଚାରା ଓ ସଦ୍‌ଭାବନାର ପର୍ବକୁ ପାଳନ କରିଛି ସାରା ଦେଶ। ନେତା, ଅଭିନେତା, ଜନତା ସମସ୍ତେ ହୋଲି ପର୍ବରେ ମସଗୁଲ୍ ହୋଇଯାଇଛନ୍ତି। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ଓଡ଼ିଶାର ପୁର ପଲ୍ଲିରେ ହୋଲି ପର୍ବ ବେଶ୍ ଧୁମ୍‌ଧାମରେ ପାଳନ ହୋଇଛି। ରାଜଧାନୀ ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର, ବଲାଙ୍ଗିର, ବ୍ରହ୍ମପୁର ଏବଂ ରାଉରକେଲା ସହରରେ ଉତ୍ସାହ ଉଦ୍ଦିପନାର ସହ ରଙ୍ଗ ଖେଳିଛନ୍ତି ସମସ୍ତେ।

କେଉଁଠି ଡିଜେ ସାଉଣ୍ଡର ତାଳେ ତାଳେ ଯୁବପିଢ଼ି ରଙ୍ଗ ଖେଳିଛନ୍ତି ତ ଆଉ କେଉଁଠି ପାରମ୍ପରିକ ବାଜା ବଜାଇ ଭାଇଚାରା ପର୍ବକୁ ପାଳନ କରାଯାଇଛି। ଦୋଳ ବିମାନରେ ରାଧା-କୃଷ୍ଣ ଦୁଆର ଦୁଆର ବୁଲି ଭୋଗ ଖାଇବାର ଦୃଶ୍ୟ ଗ୍ରାମ୍ୟ ପରିବେଶକୁ ଆହୁରି ରଙ୍ଗିନ କରି ଦେଇଛି।

ଭୁବନେଶ୍ବରର ବିଭିନ୍ନ ଘରୋଇ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ହୋଲି ଖେଳିଥିବା ବେଳେ ବିଭିନ୍ନ କଲୋନିରେ ଲୋକେ ଏକାଠି ହୋଇ ରଙ୍ଗ ଖେଳି ଭାଇଚାରାର ବାର୍ତ୍ତା ଦେଇଛନ୍ତି। ହାଜାରେ ବର୍ଷର ସହର କଟକରେ ବି ନିଆରା ଢଙ୍ଗରେ ପାଳନ ହୋଇଛି ହୋଲି। ବିଭିନ୍ନ ସାହି ବସ୍ତିରେ ଲୋକେ ରଙ୍ଗ ଖେଳି ଖୁସି ମନାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ପର୍ବ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ କରି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ହୋଲି ୱିସ୍ କରିଛନ୍ତି।

“ଭାଇଚାରା ଏବଂ ସଦ୍‌ଭାବନାର ପର୍ବ ହୋଲି ଅବସରରେ ଦେଶବାସୀଙ୍କୁ ଅନେକ ଶୁଭେଚ୍ଛ ଏବଂ ଶୁଭକାମନା”, ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ। ଆନନ୍ଦର ସହ ସମସ୍ତେ ଉତ୍ସବ ମନାନ୍ତୁ। ସୁରକ୍ଷିତ ହୋଇ ହୋଲି ଖେଳନ୍ତୁ। ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିର ରଙ୍ଗରେ ଭରି ଯାଉ”, ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହୋଲି ଅବସରରେ ବହୁ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।

 

Comment