ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଅନିୟମିତତା ଭିତରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଏବେ ରେଜଲ୍ଟ ଉପରେ ସମସ୍ତଙ୍କ ନଜର।

ଗୁରୁବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ପରୀକ୍ଷା ଦେଇ ପିଲା ଖୁସି ମନାଇଛନ୍ତି। ତେବେ ପରୀକ୍ଷା ଫଳ ମେ ୫ ତାରିଖରେ ପ୍ରକାଶ ପାଇବ। ଖାତା ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମାର୍ଚ୍ଚ ୨୦ରୁ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ୧୪,୭୭୦ ଶିକ୍ଷକ ଖାତା ମୂଲ୍ୟାୟନ କରିବେ। ଖାତା ମୂଲ୍ୟାୟନ ୧୦ ଦିନରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

“ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି। ମାର୍ଚ୍ଚ ୫ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ।  ପରୀକ୍ଷା ପୂର୍ବରୁ ଯଦି ବ୍ୟତିକ୍ରମ ଦେଖାଦେଇଥାନ୍ତା ତାହାଲେ ତାକୁ ଲିକ୍ ବୋଲି କୁହାଯାଇଥାନ୍ତା। ହେଲେ ଏନେଇ ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି”, କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ଚଳିତ ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ପ୍ରଥମେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ଉଭୟ ସରକାର ଏବଂ ବୋର୍ଡ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ। ଏନେଇ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଅଧିକାରୀ ବୋର୍ଡ ଅଫିସରେ ଖୋଳତାଡ଼ କରିଥିଲେ।

ଓଡ଼ିଆ ପ୍ରଶ୍ନପତ୍ର ପରେ ଇଂରାଜି ପ୍ରଶ୍ନପତ୍ର ଏବଂ ପରେ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା।

ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ରାଜ୍ୟର ୨ ହଜାର ୮୧୮ଟି କେନ୍ଦ୍ରରେ ହେବ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଥିଲା।

କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ବୋର୍ଡ ସ୍ତରରେ ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଏକ ସ୍କ୍ୱାଡ୍ ଗଠନ କରାଯାଇଥିଲା।

Comment