ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରହିଟ୍‌ ଫିଲ୍ମ ବାହୁବଳୀ ଫେମ୍ କଟ୍ଟପା ଗୋଟିଏ ଛାତ ତଳେ ଏକାଠି ରହିବାକୁ ଯାଉଛନ୍ତି। ପ୍ରଭାସଙ୍କ ପରେ କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛନ୍ତି।

ବାହୁବଳୀର ଅନ୍ୟତମ ଲୋକପ୍ରିୟ ଚରିତ୍ର କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ। ଚଳଚ୍ଚିତ୍ରରେ ଏହି ଚରିତ୍ରରେ ବରିଷ୍ଠ ଅଭିନେତା ସତ୍ୟାରାଜ କଟ୍ଟପା ଭୂମିକାରେ ଅଭିନୟ କରିଥିଲେ। ପୂର୍ବରୁ ବାହୁବଳୀ ଅର୍ଥାତ୍ ପ୍ରଭାସଙ୍କ ମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇସାରିଛି ।

ଏ ସମ୍ପର୍କରେ ସତ୍ୟାରାଜଙ୍କ ପୁଅ ତଥା ଅଭିନେତା ଶିବିରାଜ୍ ନିଜ ଟୁଇଟର ପେଜରେ ସୂଚନା ଦେଇଛନ୍ତି। ରଜନିକାନ୍ତ ଓ କମଲ ହାସନଙ୍କ ପରି ସୁପରଷ୍ଟାର ଥିବା ସତ୍ତ୍ୱେ ସତ୍ୟାରାଜଙ୍କ ମୂର୍ତ୍ତି ଏହି ମ୍ୟୁଜିୟମରେ ସ୍ଥାନ ପାଇବାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ତାଙ୍କ ପୁଅ ଶିବିରାଜ।

ଗତବର୍ଷ ବାହୁବଳୀ ଓରଫ ପ୍ରଭାସଙ୍କ ପ୍ରତିମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ଉନ୍ମୋଚନ ହୋଇଥିଲା। ଏହି ମ୍ୟୁଜିୟମରେ ସ୍ଥାନ ପାଇବାରେ ପ୍ରଭାସ ହେଉଛନ୍ତି ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତା।

ଏବେ କଟ୍ଟପା ଓରଫ ସତ୍ୟାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବା ପରେ ସେ ହେବେ ଦ୍ୱିତୀୟ ଦକ୍ଷିଣ ଭାରତୀୟ ଅଭିନେତା ଓ ପ୍ରଥମ ତାମିଲ ଅଭିନେତା।

ତୁଷାଦ ମ୍ୟୁଜିୟମରେ ପୂର୍ବରୁ ବଲିଉଡ ଷ୍ଟାର ସ୍ଥାନ ପାଇଛନ୍ତି। ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ, ରିତ୍ରିକ ରୋଶନ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ମୂର୍ତ୍ତି ଏବେ ତୁଷାଦ ମ୍ୟୁଜିୟମର ଶୋଭା ବଢ଼ାଉଛି।

୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ବାହୁବଳୀ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। ଏହି ଚଳଚ୍ଚିତ୍ରର ନାୟକ ବାହୁବଳୀ ସାରା ଦେଶରେ ଲୋକପ୍ରିୟ ହୋଇପାରିଥିଲେ। ଏହି ଖବର ବ୍ୟାପିବା ପରେ ସାରା ତାମିଲ ଇଣ୍ଡଷ୍ଟ୍ରିରେ ଆନନ୍ଦ ଖେଳିଯାଇଛି ।

Comment