କପିଳାସ ଭୂୟାଁ

ପାଠ ପଢ଼ିବି ଏବଂ ଅଙ୍ଗନବାଡ଼ିରେ ଚାକିରି କରିବି। ଏହା ଥିଲା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ନୂଆଗଡ଼ ଗାଁର ଗୌତମୀ ବେହେରାଙ୍କ ସ୍ୱପ୍ନ। ମାଟ୍ରିକ ଯାଏଁ ପାଠପଢ଼ି ପରିବାରର ବୋଝ ଉଠାଇବା ପାଇଁ ସେ ବାଘଲଟି ଡ୍ୟାମରେ ପଥର ବାନ୍ଧୁଥିଲେ ବି ଗୌତମୀର ସ୍ୱପ୍ନ ହାର ମାନିନି। ଅଭାବ ଅସୁବିଧା ଭିତରେ ବି ଗୌତମୀ ଆଗକୁ ଯିବା ପାଇଁ ସଂଘର୍ଷ ଜାରି ରଖିଛି।

ମାର୍ଚ୍ଚ ୮ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ଉପାନ୍ତ ବ୍ଲକ୍ ପାତ୍ରପୁରକୁ ମୁଁ ମୋର ଟିମ୍ ସହ ସୁଟିଂ କରିବାକୁ ଯାଇଥିଲି। ଅପରାହ୍ନ ପ୍ରାୟ ୨ଟା ବେଳକୁ ଆମେ ସମସ୍ତେ ଯାଇ ପହଞ୍ଚିଥିଲୁ ବାଘଲଟି ଜଳ ଭଣ୍ଡାର ପ୍ରକଳ୍ପଠାରେ। ଉଦ୍ଦେଶ୍ୟ ଥିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ଵାରା ପରିବେଷ୍ଟିତ ସ୍ଥାନର ଚିତ୍ରୋତ୍ତଳନ।

ତିନିପଟେ ପାହାଡ଼ ଘେରରେ ଆବଦ୍ଧ ହୋଇ ରହିଥିବାରୁ କେବଳ ଗୋଟିଏ ପଟେ ବନ୍ଧ ବାନ୍ଧିଦେବା ଦ୍ଵାରା ବାଘଲଟି ଜଳଭଣ୍ଡାର ସୃଷ୍ଟି ହୋଇଛି। ୧୯୮୦ ଦଶକର ଶେଷ ଭାଗରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ବି ନାନାଦି କାରଣରୁ ଏହା ପୂର୍ଣ୍ଣାଙ୍ଗ ରୂପ ପାଇପାରିନଥିଲା। ଖୁସିର କଥା ଯେ ପ୍ରାୟ ୩୦ ବର୍ଷ ପରେ ବାଘଲଟି ଜଳଭଣ୍ଡାର ବନ୍ଧର ଉଚ୍ଚତାକୁ ବୃଦ୍ଧି କରାଯାଇ ଏହାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସୁଟିଂ ଶେଷ ପରେ ବନ୍ଧର ପଶ୍ଚିମ ଉତ୍ତରକୋଣରେ ରହିଥିବା ସ୍ଲୁଇସ୍ ଗେଟ୍ ନିକଟକୁ ଆମେ ବୁଲିବାକୁ ଗଲୁ।

ସେହିଠାରେ ହିଁ ମୋର ଦେଖାହେଲା ଗୌତମୀଙ୍କ ସହ। ସେତେବେଳେ ଗୌତମୀ ତା’ର ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ପଖାଳ ଖାଇସାରି ସେମାନେ ସମସ୍ତେ ବାସନ ଧୁଆଧୋଇ କରୁଥିଲେ। ଆମମାନଙ୍କୁ ଦେଖି ସମସ୍ତେ ସନ୍ତର୍ପଣରେ କିଛି ଦୂରକୁ ଘୁଞ୍ଚିଗଲେ।

ମୁଁ କିନ୍ତୁ ସେମାନଙ୍କ ସହ କଥା ହେବାକୁ ଚାହୁଁଥିଲି। ତେଣୁ ମୁଁ ସେମାନଙ୍କ ଆଡ଼କୁ ଗଲି। ଗୌତମୀ ଓ ତା’ର ସାଙ୍ଗ ଦୁଇଜଣ ଲାଜରେ ଜଡ଼ସଡ଼ ହୋଇ ମୁହଁକୁ ଘୋଡେଇ ପକେଇଲେ। ତଥାପି ମୁଁ ପଚାରିଲି – ତୁମେ ସବୁ କେଉଁ ଗାଁର?

ସେମାନଙ୍କଠାରୁ କୌଣସି ଉତ୍ତର ମିଳିଲା ନାହିଁ। ତେଣୁ ମୁଁ ମୋ ପ୍ରଶ୍ନକୁ ଦୋହରାଇଲି। ଶେଷରେ ଗୌତମୀଠାରୁ ଉତ୍ତର ମିଳିଲା। ମନରେ ସାହସବାନ୍ଧି ସେ ଉତ୍ତର ଦେଲା – ନୂଆଗଡ଼।

ଆମ କଥାବାର୍ତ୍ତାକୁ ଟିକେ ସହଜ କରିବା ପାଇଁ ମୁଁ ପୁଣି ପଚାରିଲି – ଆଚ୍ଛା, ଯେଉଁ ଗାଁରେ ମା’ କୁରେଇଶୁଣିଙ୍କ ମନ୍ଦିର ଅଛି, ସେଇ ଗାଁଟି ନା? ଗୌତମୀ ‘ହଁ’ ମାରିଲା। ମୁଁ ତାକୁ ତା’ ନାଁ ପଚାରି ବୁଝିଲି। କଥାବାର୍ତ୍ତା ଭିତରେ ଜାଣିଲି ଯେ ସେ ଦୁଇବର୍ଷ ହେଲା ମାଟ୍ରିକ୍ ପାସ୍ କରିଛି କିନ୍ତୁ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଉ ଅଧିକ ପାଠ ନ ପଢ଼ିପାରି ଅନ୍ୟ ସାଙ୍ଗମାନଙ୍କ ସହ ଆସି ଡ୍ୟାମ୍ରେ ପଥର ବାନ୍ଧିବା କାମ କରୁଛି।

ଗୌତମୀର ବାପା ମିନି ବେହେରା ଜଣେ ରାଜମିସ୍ତ୍ରୀ। ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ। ଗୌତମୀ ସବୁଠୁ ବଡ଼ ଓ ପୁଅଟି ହେଉଛି ସବା ସାନ। ଗୌତମୀ ମାଟ୍ରିକ୍ ପଢ଼ିଲା ବେଳେ ଗାଁର ଅଙ୍ଗନୱାଡି କର୍ମୀ ହେବ ବୋଲି ଆଶା ବାନ୍ଧିଥିଲା। କିନ୍ତୁ ତା’ଠାରୁ ଦୁଇବର୍ଷ ବଡ଼ ଗାଁର ଜଣେ ନାନୀ ସେ ମାଟ୍ରିକ୍ ପରୀକ୍ଷା ଦେବାକୁ ୬ ମାସ ଥିବା ବେଳେ ଗାଁର ଅଙ୍ଗନୱାଡି କର୍ମୀ ରୂପେ ନିଯୁକ୍ତି ପାଇଗଲେ।

ଗୋଟିଏ ପଟେ ମାଟ୍ରିକ୍ ପାସ୍ କଲାପରେ ଗାଁ ବାହାରକୁ ଯାଇ କଲେଜରେ ପାଠ ପଢ଼ିବାକୁ ପରିବାରର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିବା ବେଳେ ସେହି ଆର୍ଥିକ ଦୁଃସ୍ଥିତି କାରଣରୁ ଗୌତମୀର ବିଭାଘର ମଧ୍ୟ ହୋଇପାରୁନାହିଁ।

ତେବେ ଗୌତମୀର ମନ କିନ୍ତୁ ଭାଙ୍ଗିଯାଇନାହିଁ। ସାଙ୍ଗମାନଙ୍କ ସହ ମିଶି ବାଘଲଟି ଡ୍ୟାମରେ ପଥର ବାନ୍ଧିବାକୁ ଦିନ ମଜୁରିଆ ରୂପେ କାମ କରୁଛି। ଯାହା ଯେମିତି ରୋଜଗାର କରି ଆର୍ଥିକ ଅନଟନରେ ଚଳୁଥିବା ପରିବାରକୁ ସାହାଯ୍ୟ କରିବାକୁ ମନସ୍ଥ କରିଛି।

ମାର୍ଚ୍ଚ ୮ ତାରିଖ ଦିନ କଟକ, ଭୁବନେଶ୍ଵର ପରି ରାଜ୍ୟର ସହରାଞ୍ଚଳ ତଥା ଦେଶର ଅନ୍ୟାନ୍ୟ ସହରରେ ବହୁ ଆଡମ୍ବରରେ ବିଶ୍ଵ ମହିଳା ଦିବସ ଉତ୍ସବ ପାଳନ କରାଯାଏ। ସାରା ବିଶ୍ଵରେ ମହିଳାମାନଙ୍କ ଅଧିକାର ସାବ୍ୟସ୍ତ କରିବା ଦିଗରେ ଏହି ଦିନଟିକୁ ପ୍ରତୀକାତ୍ମକ ଭାବେ ମହିଳା ଦିବସ ରୂପେ ପାଳନ କରାଯାଏ। ବିଶ୍ଵସ୍ତରରେ ସମଗ୍ର ମହିଳାଙ୍କ ସଶକ୍ତିକରଣ ଦିଗରେ ଏହା ଏକ ପ୍ରଗାଢ଼ ପ୍ରୟାସ।

କିନ୍ତୁ ଗୌତମୀ ପାଇଁ ଏହି ବିଶ୍ଵ ମହିଳା ଦିବସର କୌଣସି ସ୍ଵତନ୍ତ୍ରତା ନାହିଁ। ତା’ ପାଇଁ ଏହା ଅନ୍ୟାନ୍ୟ ସାଧାରଣ ଦିବସ ପରି ଆଉ ଗୋଟିଏ ଦିନ। ତେବେ ପ୍ରତ୍ୟେକଟି ଦିନର ନିଷ୍ଠୁରତାକୁ ସାମ୍ନା କରିବା ଓ କଠିନ ପରିଶ୍ରମ ଦ୍ଵାରା ଜୀବନ ବଞ୍ଚିବାର ରାହା ଖୋଜିବା କ’ଣ କୌଣସି ଉତ୍ସବ ପାଳନଠାରୁ କେଉଁ ଗୁଣରେ କମ୍?

ଉଲ୍ଲେଖ ଅନାବଶ୍ୟକ ଯେ କେବଳ ନୂଆଗଡ଼ ଗାଁର ଗୌତମୀ ନୁହେଁ ତା’ ଭଳି ଅନ୍ୟ ସମସ୍ତ ମହିଳାଙ୍କ ପାଇଁ ଜୀବନ ବଞ୍ଚିବାର ଦୃଢ଼ ମନୋବଳ ହେଉଛି ସେମାନଙ୍କ ଜୀବନର ସ୍ଵତନ୍ତ୍ରତା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment