ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହୋଇପାରିନାହିଁ। ବିରୋଧୀଙ୍କ ହୋ-ହଲ୍ଲା ଭିତରେ ସଂସଦକୁ ଆସନ୍ତାକଲି ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି।

ସୋମବାର ଦିନ ଲୋକସଭାରେ ଟିଡିପି, ଓ୍ଵାଇଏସ୍‌ଆସିପି ଏବଂ ଟିଆର୍‌ଏସ୍‌ର ସାଂସଦମାନେ ପ୍ରତିବାଦ କରିବାରୁ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖାଯାଇଛି।

ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଥିବା ବଜେଟ୍‌ ଅଧିବେଶନରେ କ୍ରମାଗତ ମୁଲତବୀ ଚାଲିଛି। ଆଜିକୁ ମିଶାଇ କ୍ରମାନ୍ଵୟରେ ୧୧ ଥର ଲୋକସଭା ମୁଲତବି ରଖାଗଲାଣି।

ସୋମବାର ପୂର୍ବାହ୍ନରେ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଏବଂ ଟିଡିପି ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଯିବାବେଳେ ବିରୋଧୀମାନେ ହୋହଲ୍ଲା କରିବାରୁ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଲୋକସଭାକୁ ମୁଲତବି ରଖିଥିଲେ।

“ଅନାସ୍ଥା ପ୍ରସ୍ତାବ ମାମଲା ଉପରେ ଆଲୋଚନା ଚାହୁଁଛୁ। କିନ୍ତୁ ବିରୋଧୀ ସାଂସଦମାନେ ଲୋକସଭାରେ ବିଶୃଙ୍ଖଳ ଆଚରଣ ଆରମ୍ଭ କରିବାରୁ ବାଚସ୍ପତି ମଙ୍ଗଳବାର ଯାଏଁ ଲୋକସଭା ମୁଲତବି ରଖିବାକୁ ଘୋଷଣା କରିଛନ୍ତି,” କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ପାଟିତୁଣ୍ଡ ଯୋଗୁଁ ରାଜ୍ୟସଭାକୁ ମଧ୍ୟ ମୁଲତବି ରଖାଯାଇଛି।

ଆଗତ ହେବାକୁ ଯାଉଥିବା ଅନାସ୍ଥା ପ୍ରସ୍ତାବକୁ ସିପିଆଇ(ଏମ୍‌) ସମର୍ଥନ କରିବାକୁ ଯାଉଥିବା ବେଳେ ମହାରାଷ୍ଟ୍ରର ବିଜେପି ମେଣ୍ଟ ଭୋଟ୍‌ ଦାନରୁ ବିରତ ରହିବାକୁ ସ୍ଥିର କରିଛି।

Comment