ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇରେ ମିଳିବ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ୍। ଏଥିପାଇଁ ‘ପୂର୍ଣ୍ଣ ଭୋଜ’ ନାମକ ଏକ ସଂସ୍ଥା ତରଫରୁ ଏହି ଉଦ୍ୟମ ଆରମ୍ଭ ହୋଇଛି।

ମୁମ୍ବାଇ ଓ ଦେଶର ଅନ୍ୟ ମେଟ୍ରୋ ସହରରେ ଯେଉଁ ଓଡ଼ିଆମାନେ ରହୁଛନ୍ତି ସେମାନଙ୍କ ମନ ଊଣା ହେବାର ଗୋଟିଏ ବଡ଼ କାରଣ ସେମାନଙ୍କୁ ସେମାନଙ୍କ ପ୍ରିୟ ଓଡ଼ିଆ ଖାଦ୍ୟ ମିଳେନାହିଁ।

ସୋସିଆଲ ମିଡିଆରେ ମଧ୍ୟ ଏ ସମ୍ପର୍କରେ ତଥ୍ୟ ଓ ସୂଚନା ଖୋଜାଯାଇଥାଏ। ଏବେ କିନ୍ତୁ ସେହି ଅଭାବ ଦୂର ହେବା ଆରମ୍ଭ ହୋଇଛି। ପ୍ରଥମେ ମୁମ୍ବାଇରେ ରହୁଥିବା ଓଡ଼ିଆଙ୍କୁ ଓଡ଼ିଶାର ଖାଦ୍ୟ ମିଳିବା ପାଇଁ ବ୍ୟବସ୍ଥା ହୋଇଛି।

ଆସନ୍ତା ଏପ୍ରିଲ ପହିଲାରୁ ମୁମ୍ବାଇରେ ଓଡ଼ିଶା ପ୍ରସିଦ୍ଧ ଦହିବରା-ଆଳୁଦମ ମିଳିବ। ‘ପୂର୍ଣ୍ଣ ଭୋଜ’ ନାମକ ଏକ ସଂସ୍ଥା ତରଫରୁ ଏହି ଉଦ୍ୟମ ଆରମ୍ଭ ହୋଇଛି। ପାଲାବା ସିଟି ଅଞ୍ଚଳରେ ଏହି ଖାଦ୍ୟ ଘରେ ପହଞ୍ଚାଇଦିଆଯିବ। ସକାଳ ଜଳଖିଆ ପାଇଁ ଘରେ ବସି ଆପଣ ଅର୍ଡର କରିପାରିବେ।

ପୂର୍ଣ୍ଣ ଭୋଜର ପ୍ରତିଷ୍ଠାତା ନିଳିମା ପଣ୍ଡା କହିଛନ୍ତି, “ପ୍ରତି ପ୍ଲେଟ ଦହିବରା-ଆଳୁଦମର ଦାମ ୮୦ ଟଙ୍କା ରଖାଯାଇଛି। କଟକ-ଭୁବନେଶ୍ୱରରେ ଯେଉଁଭଳି ଆଳୁଦମ ଦହିବରା ଉପରେ  ଘୁଗୁନି ଓ ସେଉ ପକାଯାଏ ମୁମ୍ବାଇରେ ମଧ୍ୟ ସମାନ ଭାବେ ଏହା ଯୋଗାଇଦିଆଯିବ। ଓଡ଼ିଶାର ସ୍ଵାଦ ମଧ୍ୟ ମୁମ୍ବାଇରେ ବଜାୟ ରଖିବାକୁ ଚେଷ୍ଟା କରୁଛୁ।”

ଲଞ୍ଚ୍ ପାଇଁ ଏହି ସଂସ୍ଥା ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ଘରର ଖାଦ୍ୟ ମୁମ୍ବାଇରେ ମିଳିବା ପାଇଁ ବ୍ୟବସ୍ଥା କରାଯାଇଛି। ଲଞ୍ଚ୍‌ରେ ମାଂସ ଝୋଳ ଓ ଡାଲମା ଖାଇବାକୁ ମିଳିବ।

ତାଛଡା ଯେଉଁମାନେ ଭେଜ୍‌ ଖାଇବେ ସେମାନଙ୍କ ପାଇଁ ଭାତ, ଡାଲି, ରୁଟି, ଭଜା, ସାଲାଡ଼ ଭଳି ଖାଦ୍ୟ ପ୍ରସ୍ତୁତ କରାଯିବ।

Comment