ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡକ୍ଟର ହରେକୃଷ୍ଣ ମହତାବ ଓ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ପଟ୍ଟଶିଷ୍ୟ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ସାହୁ, ଦୀର୍ଘ ୫୦ ବର୍ଷ ଧରି ତଥ୍ୟ ସଂଗ୍ରହକରି ଲେଖିଛନ୍ତି ଓଡ଼ିଶାର ୫ ହଜାର ବରପୁତ୍ର ଓ ବୀରପୁତ୍ରଙ୍କ ଜୀବନୀ ‘ଆମେ ଓଡ଼ିଆ’ ଗ୍ରନ୍ଥ। ଏହା ୧୫ ଭାଗରେ ଶେଷ ହେବ। ଉତ୍କଳ ମଣ୍ଡପରେ ଏପ୍ରିଲ ପହିଲାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ‘ଓଡ଼ିଶା ଦିବସ ସମାରୋହ-୨୦୧୮’ରେ ‘ଆମେ ଓଡ଼ିଆ’ ଜୀବନୀ ଏନ୍ସାଇକ୍ଲୋପିଡିଆର ସପ୍ତମ ଭାଗ ଉନ୍ମୋଚନ ହେବ।

ପରିଣତ ବୟସରେ ଆପଣ ଓଡ଼ିଶାର ୫ ହଜାର ବରପୂତ୍ରଙ୍କ ଜୀବନୀ ଲେଖିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ?

ଏଠି ବୟସର ପ୍ରଶ୍ନ ଉଠୁନି। ଏହା ହେଉଛି ଏକ ଦୁଃସାହସିକ କାମ। ୧୯୬୩ ମସିହାରୁ ମୁଁ ଏହି ମହତ କାମରେ ଲାଗିଛି। ଦିନେ ରାତିରେ ମୋର ଜ୍ଞାନଦାତା ପିତା ବିନୋଦ୍ କାନୁନ୍‌ଗୋଙ୍କ ଘରେ ରହି ମୁଁ ଲେଖାଲେଖା କରୁଥିଲି। ସେ ମୋତେ ହଠାତ୍‌ ଆସି କହିଲେ, ତୁ କ’ଣ ଭାବୁଛୁ ୬୦ ଖଣ୍ଡ ଜ୍ଞାନମଣ୍ଡଳ ମୁଁ  ଏକା ଲେଖିବି? ଏଥିପାଇଁ ତୁମର ସହଯୋଗ ଦରକାର। ତୁମେ ସବୁ ତଥ୍ୟ ସଂଗ୍ରହ କରିବ। ଆଉ ଲେଖାଲେଖି କରିବ। ମୁଁ ସାମାନ୍ୟ ସଂଶୋଧନ କରିବି। ଏତିକି କହିବା ସହ ଆଉ ଏକ ବଡ଼ ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରିଥିଲେ। କହିଥିଲେ, ଓଡ଼ିଶାର ବିଶିଷ୍ଟ ୫୦୦ କିମ୍ବା ୧୦୦୦ ଲୋକଙ୍କର ଜୀବନୀକୁ ନେଇ ପାଞ୍ଚଟି ଜୀବନୀ ଗ୍ରନ୍ଥ ଲେଖିବୁ। ଏଥିପାଇଁ ବିନୋଦ କାନୁନ୍‌ଗୋ ମୋତେ ୧୦୦୦ ଫାଇଲ୍ ଦେଇଥିଲେ। ଜ୍ଞାନମଣ୍ଡଳ କାମ ଶେଷ ହେବା ପରେ ଆମେ ଜୀବନୀ ଗ୍ରନ୍ଥ ଲେଖିବା କାମ ଆରମ୍ଭ କରିବା। ସେବେଠାରୁ ମୁଁ ସେ କାମରେ ଲାଗିଛି।

ଜୀବନ ଗ୍ରନ୍ଥ ଲେଖିବାରେ ବିଳମ୍ବ ହୋଇଗଲା ଭାବୁଛନ୍ତି କି?

ବିନୋଦ କାନୁନଗୋଙ୍କ ପରେ ମୁଁ ୧୯୬୭ରେ ‘ପ୍ରଜାତନ୍ତ୍ର’ରେ ଯୋଗଦେଇଥିଲି। ସେଠାରେ କାମ କରିବ ବେଳେ ଡକ୍ଟର ହରେକୃଷ୍ଣ ମହତାବ ମୋତେ ପୁଅ ଭଳି ସ୍ନେହ କରୁଥିଲେ। ସେତେବେଳେ ବଙ୍ଗଳା ଭାଷାରେ ଯେଉଁଭଳି କାମ ହେଉଥିଲା ଓଡ଼ିଆରେ ହୋଇପାରୁ ନଥିବାରୁ ମହତାବ ଅନେକ ସମୟରେ ଦୁଃଖପ୍ରକାଶ କରୁଥିଲେ। ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସଂଗ୍ରାମ ଏବଂ ତ୍ୟାଗ ଲିପିବଦ୍ଧ କରି ରଖିବାକୁ ମହତାବ ଚାହୁଁଥିଲେ। ହେଲେ ସେ ତାହା କରିପାରିନଥିଲେ। ଏ ଦିଗରେ କାମ କରିବା ପାଇଁ ମହତାବ ମୋତେ ପ୍ରେରଣା ଦେଇଥିଲେ।

ବିଭିନ୍ନ ଜଞ୍ଜାଳ ଭିତରେ ରହି ମୁଁ ଏହି କାମକୁ ଅଳ୍ପେ ବହୁତେ ଜାରି ରଖିଥିଲି। ୧୯୯୬ ମସିହାରେ ମୁଁ ଅନୁଭବ କଲି ମୋର ବୟସ ଆସ୍ତେ ଆସ୍ତେ ଅପରାହ୍ନରେ ପହଞ୍ଚିଲାଣି। ମୁଁ ଯଦି ଶୀଘ୍ର ଏ କାମ ନ ସାରେ ତେବେ ଦୁଇ ଗୁରୁଙ୍କ ପାଖରେ ମୁଁ ଅପରାଧୀ ହୋଇଯିବି ବୋଲି ଅନୁଭବ କଲି। ଏଣୁ ମୁଁ ଉଚ୍ଚପଦସ୍ଥ କେୟାର୍ ଅଫିସର ଚାକିରି ଛାଡ଼ି ୨୧ ବର୍ଷ ହେଲା ଦିନରାତି ମୁଁ ଏଇ କାମରେ ଲାଗିଛି।

ବହିରେ ଆପଣ କେଉଁମାନଙ୍କୁ ବେଶୀ ଅଗ୍ରାଧିକାର ଦେଇଛନ୍ତି?

ଓଡ଼ିଶାରେ ବହୁତ ବୀର ଏବଂ ବରପୂତ୍ରମାନେ ଅଛନ୍ତି। ସେମାନଙ୍କ ଚିତ୍ର ମୋ ଆଖିଆଗରେ ନାଚି ଉଠୁଥିଲା। କିନ୍ତୁ ଯେବେଠୁ ମହତାବ ସ୍ୱାଧୀନତା ସଂଗ୍ରାମୀମାନଙ୍କ କଥା ଚେତାଇଦେଲେ ସେବେଠୁ ସେମାନେ ମୋ ମନ ଭିତରେ ଦୃଢ଼ ଆସ୍ଥାନ ଜମାଇଛନ୍ତି। ଏଣୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଓ ସଂଗ୍ରାମକୁ ଏହି ବହିଗୁଡ଼ିକରେ ମୁଁ ଗୁରୁତ୍ୱ ଦେଇଛି। ୨୨୦୦ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂକ୍ଷିପ୍ତ ଜୀବନୀ ସମ୍ପର୍କରେ ଅବତାରଣା କରାଯାଇଛି। ବହୁ ପାଠକ ଏହି ମହାଗ୍ରନ୍ଥଗୁଡି଼କ ପଢ଼ି ମୂଲ୍ୟବାନ ମତାମତ ମଧ୍ୟ ଦେଉଛନ୍ତି।

ଆମେ ଓଡ଼ିଆଗ୍ରନ୍ଥକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା ?

ମୁଁ ଭାବିଥିଲି ୫ ଖଣ୍ଡ ଗ୍ରନ୍ଥରେ ୧୦୦୦ ଲୋକଙ୍କ ଜୀବନୀ ଲେଖି କାମ ସାରିଦେବି। କିନ୍ତୁ ପରେ ୨୨୦୦ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମନକୁ ଆସିଥିଲା। ବିଭିନ୍ନ ବର୍ଗର ବିଶିଷ୍ଟ ଲୋକମାନଙ୍କ ପାଇଁ  ଆଉ ୯ଟି ଭାଗରେ ଅବଶିଷ୍ଟ ୨୮୦୦ ଲୋକଙ୍କ ଜୀବନୀ ଲେଖିବା ପାଇଁ ମନସ୍ଥ କଲି। କାରଣ ଏହା ଜାତୀୟ ସ୍ୱାଭିମାନ ବୃଦ୍ଧି କଲା ଭଳି କାମ କରିବ।

ଏହି କାମ ପାଇଁ ଅର୍ଥ କେଉଁଠୁ ସଂଗ୍ରହ କରୁଛନ୍ତି ?

ଏଥିପାଇଁ ଗତ ୨୦ ବର୍ଷ ଭିତରେ ଲକ୍ଷ ଲକ୍ଷ ଟଙ୍କାର ବହି ଓ ପତ୍ରପତ୍ରିକା କିଣିଛି। ବିଭିନ୍ନ ସ୍ଥାନକୁ ଯାଇ ତଥ୍ୟ ଓ ଫଟୋ ସଂଗ୍ରହ କରିଛି। ତିନି ଚାରିଜଣ ସହାୟକ ଓ ସହାୟିକାଙ୍କ ସାହାଯ୍ୟ ନେଇଛି। ଟଙ୍କା ଆବଶ୍ୟକ ପଡ଼ିବାରୁ ମୋ ନିଜ ଘର, ମୋ ପତ୍ନୀଙ୍କ ନାଁରେ ଥିବା ଘର, ପିଲାମାନଙ୍କ ନାମରେ ଥିବା ଜାଗା ଏବଂ ଏପରିକି ମୋ ପତ୍ନୀ ଅବସର ନେବା ବେଳେ ଯେଉଁ ଟଙ୍କା ପାଇଥିଲେ ତାକୁ ମଧ୍ୟ ମୁଁ ଖର୍ଚ୍ଚ କରିଦେଇଛି। ଗତ ବର୍ଷ ପତ୍ନୀଙ୍କ ବିୟୋଗ ଯୋଗୁ ମୁଁ ଭାଙ୍ଗି ପଡ଼ିଥିଲି। ୨୦୧୭ ମସିହାରେ ୬ଷ୍ଠ ଭାଗ ‘ଆମେ ଓଡ଼ିଆ’ ପ୍ରକାଶ ନହେବା ଭଳି ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର କେତେକ ସହୃଦୟ ବ୍ୟକ୍ତିଙ୍କ ପ୍ରୋତ୍ସାହନ କ୍ରମେ ଏହା ପ୍ରକାଶ ପାଇଛି।

ଆପଣଙ୍କୁ ଏଥିପାଇଁ ସରକାରୀ ଅନୁଦାନ କିଛି ମିଳୁଛି କି?

ସରକାରୀ ଅନୁଦାନ କଥା ନକହିବା ଭଲ। ପ୍ରତିବର୍ଷ ଜାନୁୟାରୀ ୨ ତାରିଖରେ ଓଡ଼ିଶାରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ‘ନିଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ’ ମହୋତ୍ସବ ପାଳନ କରାଯାଏ। ୨୦୧୦ ମସିହା ଉତ୍ସବରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ମୋତେ ଡାକି କହିଲେ- ‘‘ଜହୁରି ଭାଇ, ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ କହୁଛନ୍ତି, ଓଡ଼ିଶାର ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତି ରକ୍ଷା ପାଇଁ ସେମାନଙ୍କ ଜୀବନୀ ସଂକଳନ ହେବା ଦରକାର। ଏ ଦିଗରେ କ’ଣ କିଛି କାମ ହୋଇପାରିବ ନାହିଁ?’’ ହେଲେ ଏଥିରେ ମୁଁ ସମ୍ମତି ଜଣାଇଥିଲି। ତାଙ୍କୁ କହିଥିଲି ଆପଣମାନେ ଶାସନରେ ଅଛନ୍ତି, ଆପଣ ଚେଷ୍ଟା କଲେ ସବୁ ସମ୍ଭବ। ମନ୍ତ୍ରୀ କହିଲେ- ଏବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ‘ପ୍ଲାଟିନମ୍ ଜୟନ୍ତୀ’ ପାଳନ ହେବ। ସେ ଉପଲକ୍ଷେ ଯେଉଁମାନଙ୍କର ଅବଦାନ ଅଛି, ସେ ଉପରେ ବହିଟିଏ ଲେଖନ୍ତୁ।  ମୁଁ ଏ ଦିଗରେ କାମ ଆରମ୍ଭ କଲି। କିନ୍ତୁ ମୋର ଦୁର୍ଭାଗ୍ୟ, ମୋର କାର୍ଯ୍ୟ ସରିବା ବେଳକୁ ତତ୍କାଳୀନ ମନ୍ତ୍ରୀ ନିଜ ପଦରୁ ଅବ୍ୟାହତି ନେଇସାରିଥିଲେ।

ମୋର ପ୍ରଥମ ବହି କଟକର ତତ୍କାଳୀନ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ସମସ୍ତେ ଭାବିଲେ ମନ୍ତ୍ରୀ ଓ ମୋର ଘନିଷ୍ଠ। ତେଣୁ ଏହି କାମରେ ଆଗକୁ ନିଶ୍ଚୟ ସାହାଯ୍ୟ କରିବେ। କିନ୍ତୁ ସେମିତି କିଛି ହେଲା ନାହିଁ। ଗଲା ତିନିବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଭାଗ ‘ଆମେ ଓଡ଼ିଆ ଗ୍ରନ୍ଥ’ ‘ଓଡ଼ିଶା ଦିବସ’ରେ ଲୋକାର୍ପଣ କରିଛନ୍ତି। ତାଙ୍କ ସହ ବାଚସ୍ପତି, ସଂସ୍କୃତି ମନ୍ତ୍ରୀ, ଲୋକସମ୍ପର୍କ ବିଭାଗ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। କିନ୍ତୁ ସହାୟତା ପାଇଁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଦୀର୍ଘ ୫୦ ବର୍ଷ ଧରି ଏହିଭଳି ଏକ ଜାତୀୟ କାର୍ଯ୍ୟ ପାଇଁ ମୁଁ ପଢ଼ାପଢ଼ି କରି ନିଜକୁ ପ୍ରସ୍ତୁତ କରିଛି। ନିଜକୁ ସର୍ବସ୍ୱାନ୍ତ କରିଛି, ମୋର ସ୍ୱାସ୍ଥ୍ୟ ମଧ୍ୟ ନଷ୍ଟ ହୋଇଯାଇଛି। ତେଣୁ ଆଗକୁ କ’ଣ ହେବ କହିପାରୁନାହିଁ। ଭାବୁଛି କିଛି ସରକାରୀ ପ୍ରୋତ୍ସାହନ ନପାଇଲେ ଏଭଳି ଏକ ଜାତୀୟ କାର୍ଯ୍ୟକୁ ଆଗେଇ ନେବା ଆଉ ହୁଏତ ମୋ ପକ୍ଷେ ସମ୍ଭବ ହୋଇନପାରେ।

(ସାକ୍ଷାତକାର: ଧନଶ୍ରୀ ମିଶ୍ର)

Comment