ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଓଡ଼ିଶା ରାଜନୀତି ଦେଖିବ କଡ଼ା ଟକ୍କର। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପଶ୍ଚିମ ଓଡ଼ିଶା ମିଶନରେ ଆସୁଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାଉଛନ୍ତି ଦକ୍ଷିଣ ଓଡ଼ିଶା ମିଶନରେ।

୨୦୧୯ ପାଇଁ ପାଗ ଭିଡ଼ିଲେଣି ନେତା। ଓଡ଼ିଶାରେ କିଏ ସରକାର ଗଢ଼ିବ ତାକୁ ନେଇ ଏବେଠୁ ଚାଲିଲାଣି ଛକାପଞ୍ଝା। ଏହି କ୍ରମରେ ମିଶନ-୧୨୦ ପ୍ଲସ୍‌ର ଟାର୍ଗେଟ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆସୁଛନ୍ତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ। ଏପ୍ରିଲ ୪ ତାରିଖରେ ଭବାନିପାଟଣାରେ ଶାହା ଜନସମାବେଶକୁ ସମ୍ବୋଧିତ କରିବେ। ଏହାସହ ଦଳୀୟ କର୍ମକର୍ତ୍ତାଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବେ।

ସେହିପରି ୫ ତାରିଖରେ ଶାହା ଯିବେ ବଲାଙ୍ଗିର। ସେଠାରେ ବିଶାଳ ଯୁବ ସମାବେଶରେ ୧୨୦ ମିଶନର ମନ୍ତ୍ର ଫୁଙ୍କିବେ। ଏହାକୁ ନେଇ ରାଜ୍ୟ ରାଜନୀତି ହୋଇ ଉଠିଛି ଚଳଚଞ୍ଚଳ। ୨୦୧୯ରେ କିପରି ଓଡ଼ିଶା ଦଖଲ କରିବ ବିଜେପି ସେନେଇ ବିସ୍ତାରକମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହା।

ସବୁଠୁ ବଡ଼ କଥା ହେଉଛି ୨୦୧୭ ସେପ୍ଟେମ୍ବର ମାସରେ ଅମିତ ଶାହା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କର୍ମକର୍ତ୍ତାମାନଙ୍କର ରୁଦ୍ଧଦ୍ୱାର ବୈଠକ କରିଥିଲେ। ୧୨୦ ମିଶନ ପ୍ଲସ ଲକ୍ଷ୍ୟ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ। ସଙ୍ଗଠନ କିପରି ମଜଭୁତ ହେବ ସେନେଇ ବି ଆଲୋଚନା କରିଥିଲେ। ସେପ୍ଟେମ୍ବର ମାସରେ ଦେଇଥିବା ଟାସ୍କ କେତେବାଟ ଆଗେଇଛି ତା’ ଉପରେ ତର୍ଜମା କରିବେ ଶାହା।

“ଓଡ଼ିଶାରେ ସଙ୍ଗଠନ କିପରି ମଜଭୁତ ହେବ ସେଥିପାଇଁ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଆସୁଛନ୍ତି। ,ଠାରେ ସେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ଏବଂ ଦୁଇଟି ସମାବେଶରେ ଯୋଗ ଦେବେ। ଓଡ଼ିଶାରେ ବିଜେପି ସଙ୍ଗଠନ କିପରି ସୁଦୃଢ଼ ହେବ ସେନେଇ ପରାମର୍ଶ ଦେବେ”, କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ଅମିତ ଶାହାଙ୍କ ଗସ୍ତକୁ କାଉଣ୍ଟର କରି ବିଜେଡି ଦକ୍ଷିଣ ଓଡ଼ିଶା ମିଶନରେ ବାହାରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି। ଶାହାଙ୍କ ଭବାନିପାଟଣା ସମାବେଶକୁ କାଉଣ୍ଟର କରିବା ପାଇଁ ନବୀନ ଖଲ୍ଲିକୋଟ ଷ୍ଟାଡିୟମରେ ଆୟୋଜିତ ମହା ମିଶ୍ରଣ ପର୍ବରେ ଯୋଗ ଦେବେ। ଏହି ମିଶ୍ରଣ ପର୍ବରେ କଂଗ୍ରେସ ଛାଡ଼ିଥିବା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଏବଂ ଭଗବାନ ଗନ୍ତାୟତଙ୍କ ସମେତ ବହୁ ନେତା ବିଜେଡିରେ ସାମିଲ ହେବେ।

ବୁଧବାର ସମାବେଶକୁ ନେଇ ବିଜେଡି ଓ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଆକ୍ଷେପ ପ୍ରତ୍ୟାକ୍ଷେପ କିଛି କମ୍ ହୋଇନି। ଅମିତ ଶାହାଙ୍କ ଗସ୍ତ କିଛି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି କହିଛି।

ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ କହିଛନ୍ତି, “ବିଜେପି ସରକାର ଯୁବକମାନଙ୍କୁ ଠକିଛି। ପ୍ରତିବର୍ଷ ୨ କୋଟି କର୍ମ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ବିଜେପି ସରକାର କହିଥିଲେ ମଧ୍ୟ ତାହା ଧୂଆଁବାଣରେ ପରିଣତ ହୋଇଛି। ଅମିତ ଶାହା ନୂଆ ଓଡ଼ିଶା ଗସ୍ତରେ ଆସୁ ନାହାନ୍ତି। ଏହା ପୂର୍ବରୁ ସେ ଅନେକବାର ଓଡ଼ିଶା ଆସିଛନ୍ତି। ହେଲେ ତାଙ୍କର କୌଣସି ପ୍ରଭାବ ପଡ଼ିନି। ବିଜେଡି ଅଧିକ ସୁଦୃଢ଼ ହେଉଛି।”

ବିଜେଡିର ଏହି ପ୍ରତିକ୍ରିୟାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, “ଅମିତ ଶାହାଙ୍କର ଯଦି କୌଣସି ପ୍ରଭାବ ନାହିଁ ତାହାଲେ ବିଜେଡି ଅଧିକ ଖୁସି ହେବା କଥା। ହେଲେ ଶାହାଙ୍କ ଗସ୍ତକୁ  ନେଇ ବିଜେଡି ଯେଉଁ ପ୍ରତିକ୍ରିୟ ଦେଉଛି ସେଥିରୁ ଭୟଭୀତ ହୋଇଯାଇଥିବା ପରି ମନେ ହେଉଛି।”

Comment