ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ଗାନ୍ଧିନଗରରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ଉତ୍କଳ ଦିବସ। ନାଚ, ଗୀତରେ ମସଗୁଲ୍ ହୋଇ ଓଡ଼ିଶାର କଳା-ସଂସ୍କୃତିକୁ ମନେପକାଇଛନ୍ତି ପ୍ରବାସୀ ଓଡ଼ିଆ।

ଏପ୍ରିଲ୍‌-୧ରେ ଓଡ଼ିଶାରେ ଉତ୍କଳ ଦିବସ ଧୁମ୍‌ଧାମରେ ପାଳନ ହୋଇଥିବା ବେଳେ ଗୁଜୁରାଟର ପ୍ରବାସୀ ଓଡ଼ିଆମାନେ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ‘ଗାନ୍ଧିନଗର ଓଡ଼ିଆ ସମାଜ’ ପକ୍ଷରୁ ଗୁଜୁରାଟ ରାଜଧାନୀ ଗାନ୍ଧିନଗରଠାରେ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ ଗୁଜୁରାଟ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

“ଓଡ଼ିଶାର କଳା, ସଂସ୍କୃତି ନିଆରା। ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଥାଏ। ଓଡ଼ିଶା ଯେପରି ତାର କଳା, ସଂସ୍କୃତିକୁ ନେଇ ସମୃଦ୍ଧ ହୋଇଛି ଗୁଜୁରାଟ ମଧ୍ୟ ତାର କଳାକୁ ନେଇ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି”, କହିଛନ୍ତି ଗୁଜୁରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲୀ।

ଗନ୍ଧିନଗର, ଅହମ୍ମଦାବାଦ ଏବଂ ଗୁଜୁରାଟର  ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ଓଡ଼ିଆମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନଭାଇ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ବୋଲି କହିଥିଲେ।

ଉତ୍ସବରେ ଗୁଜୁରାଟ ଶିଳ୍ପ ବିକାଶ ନିଗମ ଅଧ୍ୟକ୍ଷ ବଲୱନ୍ତ ସିଂହ ରାଜପୁତ, ଗୁଜୁରାଟ ଭିଜିଲାନ୍ସ କମିଶନ ଏଚ୍ କେ ଦାଶ, ଭାରତୀୟ ଷ୍ଟେଟବ୍ୟାଙ୍କ ସିଜିଏମ୍ ଦୁଃଖବନ୍ଧୁ ରଥ ଏବଂ ଗୁଜୁରାଟର ଅଫିସିଆଲ ଲିକ୍ୱିଡେଟର ଏମ୍ କେ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।

ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ଶୈକ୍ଷିକ ଏବଂ ସାଂସ୍କୃତିକ ସଂପର୍କ ସୁଦୃଢ଼ କରିବା ପାଇଁ ଓଡ଼ିଶାରେ ‘ଗୁଜରାଟ ମୈତ୍ରୀ ଭବନ’ ଏବଂ ଗୁଜରାଟରେ ‘ଓଡ଼ିଶା ଭବନ’ ପ୍ରତିଷ୍ଠା କରାଯିବା ଉଚିତ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ।

ଏହି ସମାରୋହରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଡକ୍ଟର ଏସ୍ କେ ନନ୍ଦ ସଭାପତିତ୍ତ୍ୱ କରିଥିବା ବେଳେ ଗାନ୍ଧିନଗର ଓଡ଼ିଆ ସମାଜର ସଭାପତି ଏସ୍ କେ ମିଶ୍ର ସ୍ୱାଗତ ଭାଷଣ ଏବଂ ସମ୍ପାଦକ ଡକ୍ଟର ନରୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସ୍ଥାନୀୟ ଓଡ଼ିଆ କଳାକାରଙ୍କ ସମେତ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଯାଇଥିବା ନୃତ୍ୟସୁଧା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଓଡ଼ିଆ ମହିଳାମାନେ ପ୍ରସ୍ତୁତ କରିଥିବା ପାରମ୍ପରିକ ପିଠା ଅତିଥିମାନଙ୍କୁ ଦିଆଯାଇଥିଲା। ଅତିଥିମାନେ ଓଡ଼ିଆ ପିଠାର ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମକୁ ଡକ୍ଟର ରମାକାନ୍ତ ପୃଷ୍ଟି, ବିଜୟ କୁମାର ନାୟକ, ଦୀପକ ମିଶ୍ର, ୱାଇ କେ ନନ୍ଦ, ମହେନ୍ଦ୍ର ଦାସ, ସତ୍ୟ ମିଶ୍ର, କିରଣ ଭାଇ ପଟେଲ, ବିଶ୍ୱରୂପ ମହାପାତ୍ର, ମନୋଜ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Comment