ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରୁ ମୁକୁଳିଲେ ବଲିଉଡ ଷ୍ଟାର ସଲମାନ୍‌ ଖାନ୍। ଜେଲ୍‌ରୁ ବାହାରିବା ପରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସଲମାନ୍‌ ସିଧା ଏୟାରପୋର୍ଟ ଯାଇଥିଲେ। ଯୋଧପୁର ଏୟାରପୋର୍ଟରୁ ସେ ମୁମ୍ବାଇ ଆସିବେ।

ସଲମାନ ଜେଲ୍‌ରୁ ମୁକୁଳିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସଲ୍‌ମାନ୍‌ଙ୍କୁ ସୁରକ୍ଷିତ ଭାବେ ଯୋଧପୁର ଏୟାରପୋର୍ଟରେ ପହଞ୍ଚାଇବା ପାଇଁ ଜେଲ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଯୋଧପୁର ଏୟାରପୋର୍ଟରେ ସଲମାନ୍‌ଙ୍କ ଦୁଇ ଭଉଣୀ ଅଲବିରା ଏବଂ ଅର୍ପିତା ମଧ୍ୟ ଉପସ୍ଥିତ ଥିଲେ। ଛୋଟ ବେଳେ ସଲମାନ୍‌ଙ୍କୁ କାଖେଇ କୋଳେଇ ବଡ଼ କରିଥିବା ଜେଜେମା ମଧ୍ୟ ଇନ୍ଦୋରରୁ ଯୋଧପୁରରେ ଆସି ପହଞ୍ଚିଥିଲେ।

ଯୋଧପୁର ସେସନ୍ସ କୋର୍ଟ ରବୀନ୍ଦ୍ର କୁମାର ଯୋଶୀ ସଲମାନ୍‌ଙ୍କୁ ଜାମିନ୍ ମଞ୍ଜୁର କରିଥିଲେ। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ତାଙ୍କୁ ଜାମିନ୍ ଦେଇଛନ୍ତି। କୋର୍ଟରୁ ଜାମିନ୍ ସମ୍ପର୍କୀତ କାଗଜ ଜେଲ୍‌ରେ ପହଞ୍ଚିବା ପରେ ସଲମାନ୍‌ଙ୍କୁ ଛଡ଼ା ଯାଇଥିଲା। ସଲ୍‌ମାନଙ୍କୁ ଆଣିବା ପାଇଁ ତାଙ୍କ ପରିବାରବର୍ଗ ଯୋଧପୁର ଜେଲକୁ ଯାଇଥିଲେ।

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍‌ଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଦୁଇ ରାତି ସେ ଯୋଧପୁର ଜେଲ୍‌ରେ କାଟିଛନ୍ତି। ତାଙ୍କୁ ଆଜି ଜାମିନ୍ ମିଳିଛି।

ଅଧିକ ଖବର ପଢ଼ନ୍ତୁ: ସଲମାନଙ୍କ ପାଇଁ ଜେଲ୍ ବାହାରେ ଗୋଲାପ ଫୁଲ ବିଛାଇଲେ ପ୍ରଶଂସକ

Comment