ରବୀନ୍ଦ୍ର ନାରାୟଣ ମିଶ୍ର
ମନେ ମନେ ଭାବିଲି। ଆଉ କୋଉ ଦିଗ ରହିଲା? ପୂର୍ବ, ଉତ୍ତର, ଦକ୍ଷିଣ, ପଶ୍ଚିମ ସବୁ ତ ସରିଗଲାଣି। ଏଥିରେ ହଜାର ହଜାର ଖର୍ଚ୍ଚ ସରିଲାଣି। କିନ୍ତୁ କହିପାରିଲିନି। ଶେଷ ଫଳ ହେଲା ହାକିମ ତାଙ୍କ ପୂର୍ବ ହାକିମଙ୍କ ଭଳି ପୂର୍ବକୁ ମୁହଁ କରି ବସିଲେ।
ନିଜର ପ୍ରାସାଦୋପମ ଗୃହଟିରେ ବସି ଖାଲି ଦୀର୍ଘ ନିଃଶ୍ୱାସଟିମାନ ପକାଇ ବାରମ୍ବାର କହୁଛନ୍ତି, “ଓଃ, କୁଆଡ଼େ ସେଦିନ (ତାଙ୍କ ଚାକିରିକାଳ) ଗଲା? ଆଉ କ’ଣ ଫେରିବନି?”
ଏ ମହାଶୟଙ୍କ ତଳେ ଚାକିରି କରିବାର ସୌଭାଗ୍ୟ (ଦୁର୍ଭାଗ୍ୟ) ଏ ଲେଖକକୁ କିଛିଦିନ ମିଳିଥିଲା। ସଚିବାଳୟରେ ପ୍ରଥମ ଦିନ ଯୋଗ ଦେବା ମାତ୍ରେ ତାଙ୍କ ପୂର୍ବତନ ହାକିମ ବସିଥିବା ଆସନର ଦିଗ ବଦଳାଇବାକୁ ନିର୍ଦ୍ଦେଶ ମିଳିଲା। କାରଣ କିଛି ନାହିଁ। ତାଙ୍କ ପୂର୍ବତନଙ୍କର ସବୁ ଖରାପ; କାର୍ଯ୍ୟଶୈଳୀ, ବିଚାରଧାରା, ପ୍ରଶାସନ, କଥାବାର୍ତ୍ତା, ବେଶଭୂଷା ଇତ୍ୟାଦି ଇତ୍ୟାଦି। ପୂର୍ବତନ ପୂର୍ବକୁ ମୁହଁ କରି ବସୁଥିଲେ। ସେ କହିଲେ, “ବଦଳାଅ- ଉତ୍ତରକୁ ମୁହଁ କରି ବସିବି।” ତାଙ୍କ କୋଠରିର ଚୌକି, ଟେବୁଲ, ଟିଭି, ଆଲମିରା, ଆଲୋକ ବ୍ୟବସ୍ଥା ସବୁ ବଦଳିଲା।
ଦିନଟିଏ ଯାଇଛି କି ନାହିଁ, ତାଙ୍କ ପାଖରେ ଆସି ପହଞ୍ଚିଗଲେ ଜଣେ ତୋଷାମଦିଆ ଜ୍ୟୋତିଷ। ହାକିମଙ୍କ ପ୍ରକୋଷ୍ଠକୁ ପଶୁପଶୁ ଜିଭ କାମୁଡ଼ି ପକେଇ କହିଲେ, “ମହାଶୟ ଉତ୍ତରକୁ ମୁହଁ କରି ବସିଛନ୍ତି! ଉତ୍ତର ଦିଗ ଆଦୌ ଶୁଭ ନୁହଁ। ଉତ୍ତରକୁ ମୁଣ୍ଡ କରି ଶୁଅନ୍ତିନି। ଉତ୍ତର ଦିଗରେ କଲିକତାର ମା’ କାଳୀ ବିଜେ କରିଛନ୍ତି। ରକ୍ତଶୋଷୀ ମା’ ସବୁ ଖାଇଯିବ। କିଛି ମଙ୍ଗଳ ହେବନି।”
ହାକିମ ବି ରାଜି ହୋଇ ତାଙ୍କ କଥାରେ ସମ୍ମତି ଜଣାଇ ଭଣିଲେ, “ଆପଣ ଯାହା କହୁଛନ୍ତି ପୂରା ସତ। ଦେଖୁନାହାନ୍ତି ଏଇ ଦିଗକୁ ଚାହିଁ ବସି ଯେଉଁ ନଥିରେ ସୁନ୍ଦର ପ୍ରସ୍ତାବଟିଏ ଦେଇ ପଠେଇଥିଲି, ମୁଖ୍ୟ ଶାସନ ସଚିବଙ୍କ ପାଖରୁ ପ୍ରସ୍ତାବଟି କେବଳ ନାକଚ ହୋଇ ଫେରିଲାନି, ସାଙ୍ଗରେ ମନ୍ତବ୍ୟ ନେଇ ଫେରିଲା- ନଥି ପ୍ରେରଣ କରିବା ଆଗରୁ, ଟିକେ ଭଲ ଭାବେ ଅନୁଧ୍ୟାନ କରିବା ଉଚିତ୍।” ବାସ୍, ପରେ ପରେ ପୁଣି ନିର୍ଦ୍ଦେଶ ଜାରି- ବଦଳାଅ, ଏ ଦିଗ। ଦକ୍ଷିଣକୁ ମୁହଁ କରାଯାଉ। ଦକ୍ଷିଣରେ ସର୍ବମଙ୍ଗଳ ଜଗନ୍ନାଥ।
ଦକ୍ଷିଣକୁ ମୁହଁ କରିବାକୁ ସବୁ ପଦକ୍ଷେପ ନିଆଗଲା। କୋଠରିର ବ୍ୟବସ୍ଥା ପୁଣି ରାତାରାତି ବଦଳିଲା। ଠିକ୍ ବଦଳିବା ଦିନ ପହଞ୍ଚିଗଲେ ଆଉ ଜଣେ ଜ୍ୟୋତିଷ ସମ୍ରାଟ୍। କହିଉଠିଲେ, ଏ ହେ। ଆପଣ କ’ଣ କଲେ? ଦକ୍ଷିଣକୁ ମୁହଁ କରି ବସିଗଲେ? ଦକ୍ଷିଣମୁହାଁ ହୋଇ ଖାଇ ବସନ୍ତିନି। ପନିକି, କୋରଣା ପ୍ରଭୃତିକୁ ଦକ୍ଷିଣମୁହାଁ କରାଯାଏନି। ହାକିମ ପୂରା ରାଜି ହେଲେ ଓ ନିର୍ଦ୍ଦେଶ ଦେଲେ “ବଦଳାଅ, ବଦଳାଅ, ପୂରା ପଶ୍ଚିମକୁ ମୁହଁ ନ କରି ଟିକେ କଣେଇ କରି ପଶ୍ଚିମମୁଖାରେ ବସିବି।”
ତାହା ହିଁ ହେଲା। କୋଠରି ବ୍ୟବସ୍ଥା ପୁଣି ପରିବର୍ତ୍ତିତ ହେଲା। ଦୁର୍ଭାଗ୍ୟକୁ ସେଦିନ ମହାଶୟ ପଠାଇଥିବା ସମସ୍ତ ନଥି ଉପର, ତା’ ଉପର ଓ ସର୍ବୋଚ୍ଚ ଉପରରୁ ନାକଚ ହୋଇ ଫେରିଲା। ଆଉ ଜଣେ ଜ୍ୟୋତିଷ ବିଶାରଦ ମନ୍ତବ୍ୟ ଦେଲେ, ପଶ୍ଚିମ ଦିଗ। ଅସ୍ତସୂର୍ଯ୍ୟର କିରଣ ପ୍ରାୟ ପାଞ୍ଚଘଣ୍ଟା ଉପରେ ପଡ଼ିବ। କେବେ ମଙ୍ଗଳ ହେବନି ଜାଣିଥା’ନ୍ତୁ। ତା’ ପରେ ଦେଖ ହାକିମଙ୍କ ଗର୍ଜନ, “କେହି ଏଠି କିଛି ମୁଣ୍ଡ ଖେଳାଉନାହାନ୍ତି କୌଣସି ବିଷୟରେ। ଏକା ମୁଁ କାମ କରି କରି ମରୁଛି।”
ଲେଖକକୁ ଡକରା ପଡ଼ିଲା ଓ ଶୁଣିବାକୁ ମିଳିଲା, “ଆପଣ ଜାଣିବାଶୁଣିବା ଲୋକ ହୋଇ ଠିକ୍ ପରାମର୍ଶ ଦେଉନାହାନ୍ତି। ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ବହୁତ ଖରାପ। ୟା ଭିତରେ ସେଥିପାଇଁ କେତେ ନା କେତେ କ୍ଷତି ମୋର ହୋଇଗଲାଣି। ବ୍ୟକ୍ତିଗତ ଜୀବନରେ ଆଉ ଅଫିସ୍ କାର୍ଯ୍ୟରେ।”
ମନେ ମନେ ଭାବିଲି। ଆଉ କୋଉ ଦିଗ ରହିଲା? ପୂର୍ବ, ଉତ୍ତର, ଦକ୍ଷିଣ, ପଶ୍ଚିମ ସବୁ ତ ସରିଗଲାଣି। ଏଥିରେ ହଜାର ହଜାର ଖର୍ଚ୍ଚ ସରିଲାଣି। କିନ୍ତୁ କହିପାରିଲିନି। ଶେଷ ଫଳ ହେଲା ହାକିମ ତାଙ୍କ ପୂର୍ବ ହାକିମଙ୍କ ଭଳି ପୂର୍ବକୁ ମୁହଁ କରି ବସିଲେ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)