ରବୀନ୍ଦ୍ର ନାରାୟଣ ମିଶ୍ର

 “ବ୍ରାହ୍ମଣ ରାଗିଲେ ଟେକନ୍ତି ପାଣି… କରଣ ରାଗିଲେ ଦେଖାନ୍ତି ଠାଣି… ପାଗଳ ରାଗିଲେ ପକାଏ ଟେକା… ପଠାଣ ରାଗିଲେ ପକାଏ ଡକା।”

କଥାକୁ ମଜେଇ ମଜେଇ କହି ସେଥିରେ ଢଗଢମାଳି ଖଞ୍ଜିଦେଇ ଉପସ୍ଥିତ ସମସ୍ତଙ୍କ ମନ କିଣି ନେବାରେ ଯାହାକୁ କହନ୍ତି ସେ ଥିଲେ ଜଣେ ଓସ୍ତାଦ୍। ତେଣୁ ଓସ୍ତାଦ୍‌ ଯେଉଁଠି କମିଯାଆନ୍ତି ସେଠାରେ ଭିଡ଼ ମଧ୍ୟ ଜମିଯାଏ। ସେଦିନ ସେ କ୍ରୋଧ ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରୁଥିଲେ ଗୋଟିଏ ପ୍ରମୋଦ ଉଦ୍ୟାନ (ପାର୍କ) ପରିସରରେ।

ସେ କହିଚାଲିଥିଲେ, “ଦେଖ, ନିଜେ କ୍ରୋଧଠାରୁ ଦୂରରେ ରହିବ। କ୍ରୋଧୀ ବ୍ୟକ୍ତିଠାରୁ ମଧ୍ୟ ଦୂରେଇବ। ଆଉ କ୍ରୋଧୀ ବ୍ୟକ୍ତିର ଜାତି ଓ ପ୍ରକୃତି ବୁଝିବ। କାରଣ ସେଇ ଜାଣି ଓ ପ୍ରକୃତି ବୁଝିବା ପରେ ନିଜକୁ ତା’ଠାରୁ କେତେ ଦୂରେଇବ, ସେ କଥା ଜଣାପଡ଼ିଯିବ ଓ ତଦନୁଯାୟୀ କାର୍ଯ୍ୟ କରିବ।”

ଶ୍ରୋତୃମଣ୍ଡଳୀରୁ ଜଣେ ପ୍ରଶ୍ନକଲା, “ଆଜ୍ଞା, କ୍ରୋଧୀ ବ୍ୟକ୍ତିର ଜାତି ଓ ପ୍ରକୃତି ଉପରେ କ’ଣ ତା’ଠାରୁ କେତେ ଦୂରତା ରଖିବ, ନିର୍ଭର କରେ?” ସେ କହିଲେ, “ହଁ, ଜାତି ଓ ପ୍ରକୃତି ଉପରେ ତା’ ଆଚରଣ ନିର୍ଭର କରେ।” ଏହା କହି ସେ ଢଗ ମେଲିଲେ, “ବ୍ରାହ୍ମଣ ରାଗିଲେ ଟେକନ୍ତି ପାଣି… କରଣ ରାଗିଲେ ଦେଖାନ୍ତି ଠାଣି… ପାଗଳ ରାଗିଲେ ପକାଏ ଟେକା… ପଠାଣ ରାଗିଲେ ପକାଏ ଡକା।”

ପରିବେଶଟା ଜମି ଆସୁଥିଲା। ତା’ ସାଙ୍ଗରେ ତାଳଦେଇ ତାଙ୍କ କଥା ବି ଜମି ଆସୁଥିଲା। ସେ ଢଗଟିକୁ ବୁଝାଇ ଚାଲିଲେ, “ଦେଖ, ବ୍ରାହ୍ମଣ ଯଦି ରାଗିଯାଏ ତେବେ ଯାହା ଉପରେ ରାଗ କରେ, ତାକୁ ଅଭିଶାପ ଦେବା ପାଇଁ ତା’ କମଣ୍ଡଳୁରୁ ପାଣି ବାହାର କରି ଚଳୁରେ ଧରି ମନ୍ତ୍ରପଢ଼ି ତା’ ଉପରକୁ ପକାଇଦେଇ ଅଭିଶାପ ଦିଏ। ତେଣୁ ତା’ ଚଳୁପାଣି ଯେମିତି ଉପରେ ନ ପଡ଼େ, ସେତିକିବାଟ ଦଉଡ଼ି ପଳେଇବ। ଠିକ୍ ସେମିତି କରଣ ଯଦି ରାଗିଯାଏ, ତେବେ ଠାଣି ଦେଖାଇବାକୁ ଆରମ୍ଭ କରିଦିଏ, ଆଉ ଆଖି ଦେଖାଇ କହିଚାଲେ, “ଦେଖ, ମୁଁ କିଏ ତୁ ଜାଣିଛୁ, ମୁଁ ଅମୁକ, ଅମୁକ, ମୋର ଅମୁକ ଅମୁକ କ୍ଷମତା ଅଛି, ତୋତେ ଏୟା ଏୟା କରିଦେବି… ଜାଣିଛୁ? ତେଣୁ ସେ ଠାଣି ଦେଖାଇବା ଆଗରୁ ସେ ଜାଗାରୁ ‘ଛୁ’ କରିବ।”

କଥାରେ ଟିକେ ମୋଡ଼ ଦେଇ ସେ ପୁଣି କହିଲେ, “ଏଥର ଆସିଲା କ୍ରୋଧୀର ପ୍ରକୃତିକୁ ବିଚାର ନେଇ କାର୍ଯ୍ୟ କରିବା। ଯଦି କ୍ରୋଧୀ ଲୋକଟି ପାଗଳ ହୋଇଯାଏ, ପାଗଳ ରାଗିଲେ ପକାଏ ଟେକା… ତେଣୁ ପାଗଳ ରାଗିଲା କ୍ଷଣି ଏମିତି ଦୂରକୁ ପଳେଇଯିବ, ଯେମିତି ତା’ ପକାଇବା ଟେକା ତୁମ ଦେହରେ ବାଜିବନି। ଆଉ ଏଥର ରହିଲା – ପଠାଣ। ପଠାଣ ରାଗିଲେ ପକାଏ ଡକା। ରାଗିଗଲା କ୍ଷଣି ପଠାଣ ପାଟିକରି ଉଠେ, “ଆରେ କୌନ ହୈ? ଆରେ ଇସ୍‌ମାଇଲ୍‌… ଆରେ ଗଫୁର୍‌… ଆରେ ମନାନ୍‌…” ଏମିତି ଡାକ ପକାଇବାକ୍ଷଣି ତା’ ଲୋକମାନେ ଧାଇଁ ଆସନ୍ତି। ତେଣୁ ପଠାଣ ରାଗି ଯାଇ ଯେତେବେଳେ ଡକା ପକାଏ ସେତେବେଳେ ଯାହାକୁ ସେ ଡାକୁଥାଏ, ସେ ପହଞ୍ଚିବା ଆଗରୁ ନିଜକୁ ବଞ୍ଚାଇବା ପାଇଁ ସେ ଜାଗା ଛାଡ଼ିବ।”

ପୁଣି ସେ ମଜାକରି କହିଲେ, “ଜାଣିଛ, ଏ କଥାଟିର ମର୍ଯ୍ୟାଦା ବୁଝି ସାଧୁମାନେ ବି ଠିକ୍‌ ଏଇଆ କହନ୍ତି- ରାଗିଗଲେ ଏକ… ଦୁଇ… ତିନି ଗଣିଚାଲିବ। ତା’ ଫଳରେ ଯାହା ଉପରେ ରାଗୁଥିବ, ସେ ସେଇ ଜାଗାରୁ ଦଉଡ଼ିଯିବାକୁ ସୁଯୋଗ ପାଇବ। ଫଳରେ ସେ ଲୋକ ନଥିଲେ, କ୍ରୋଧୀ ଲୋକ କ’ଣ ସେଠି ପଡ଼ିଥିବା ଚଉକି ଟେବୁଲ୍‌ ନା ବାସନକୁସନ ଉପରେ ରାଗିବ?”

ଶ୍ରୋତୃମଣ୍ଡଳୀରେ ହସର ଜୁଆର ସୃଷ୍ଟି ହେଲା।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

LEAVE A REPLY

Please enter your comment!
Please enter your name here