ରବୀନ୍ଦ୍ର ନାରାୟଣ ମିଶ୍ର
“ଏଠାକୁ ପିଲାଗୁଡ଼ା ସେବା କରିବାକୁ ଆସିଛନ୍ତି। ସେଦିନ ସେମାନେ ଏଇ ବଗିଚାର ଦକ୍ଷିଣ ପାଖରେ ଥିବା ଖଜୁରି ଗଛରୁ ରସ ପିଇବାକୁ ଯାଉଥିଲେ। ମୁଁ ଦେଖିଲି ଗଛତଳେ ଗୋଟିଏ ଭୟଙ୍କର କଳା ସାପ ଅଛି। ସେ ଏତେ ରାଗି ଯେ ସମସ୍ତଙ୍କୁ ସେଦିନ କାମୁଡ଼ି ପକାଇଥାନ୍ତା। ପିଲାଗୁଡ଼ାଙ୍କୁ ସେ କଥା ଜଣାନାହିଁ। ସେଥିପାଇଁ ଅନ୍ୟ ଗୋଟିଏ ବାଟେ ଯାଇ ସାପଟାକୁ ତଡ଼ିଦେଇ ଆସିଲି ଆଉ ତାକୁ କହିଦେଲି, “ଦେଖ୍, ଆଉ କେବେ ୟା ଭିତରକୁ ଆସିବୁନି।”
୧୮୮୫ ମସିହା କଥା। ଗଳାରେ କ୍ୟାନ୍ସର୍ ରୋଗ ଭୋଗି ପରମହଂସ ରାମକୃଷ୍ଣ ଗୁରୁତର ଅସୁସ୍ଥ ହୋଇପଡ଼ିବା ଯୋଗୁଁ ଭକ୍ତ ଶିଷ୍ୟମାନେ ପ୍ରଥମେ ତାଙ୍କୁ ଦକ୍ଷିଣେଶ୍ୱର କଲିକତାନଗରୀର ଶ୍ୟାମପୁରକୁ ନେଇଆସିଲେ। ସେଠାରେ ଅଢ଼େଇ ମାସ ରହିବା ପରେ ସେମାନେ ଅନୁଭବ କଲେ ଯେ ନଗରୀର ଗହଳଚହଳ ଓ ମୁକ୍ତ ବାୟୁର ଅଭାବ ତାଙ୍କ ସ୍ୱାସ୍ଥୋନ୍ନତିରେ ସାହାଯ୍ୟ କରୁନାହିଁ। ତେଣୁ ସେମାନେ ତାଙ୍କୁ କାଶୀପୁରରେ ଥିବା ଗୋଟିଏ ଉଦ୍ୟାନବେଷ୍ଟିତ ଭଡ଼ାଘରକୁ ସେହିବର୍ଷ ଡିସେମ୍ବର ୧୧ ତାରିଖ ଦିନ ସ୍ଥାନାନ୍ତର କଲେ। ସେଠାରେ ପରମହଂସ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇପଡ଼ିଲେ। ତାଙ୍କ ସେବା କରିବାକୁ ମା’ ସାରଦାଦେବୀ ଓ ନିରଞ୍ଜନ ପ୍ରଭୃତି ଶିଷ୍ୟଗଣ ସେଠାରେ ନିଯୁକ୍ତ ଥିଲେ।
ଦିନକର କଥା। ସେଇ ଉଦ୍ୟାନର ଦକ୍ଷିଣ ଦିଗରେ ଥିବା ଖଜୁରି ଗଛରୁ ରସ ପିଇବା ପାଇଁ ନିରଞ୍ଜନ ପ୍ରଭୃତି ଯୁବକ ଶିଷ୍ୟମାନେ ସ୍ଥିର କଲେ। ସନ୍ଧ୍ୟାବେଳେ ଗଛରୁ ରସପାନ କରିବାକୁ ସବୁ ଯୁବକ ଶିଷ୍ୟ ସେଦିନ ମେଳହୋଇ ବାହାରିଲେ। ଏ କଥା ପରମହଂସଙ୍କୁ କେହି ଜଣାଇ ନ ଥିଲେ। ହଠାତ୍ ଦୋମହଲାର ପାଖ କୋଠରିରେ ରହୁଥିବା ମା’ ସାରଦା ସନ୍ଧ୍ୟାବେଳେ ଲକ୍ଷ୍ୟ କଲେ ଯେ ଠାକୁର ତୀର ବେଗରେ ସେଇ ଘରର କାଠ ଶିଡ଼ିଦେଇ ତଳକୁ ଛୁଟିଯାଉଛନ୍ତି। ଏହା ଦେଖି ମା’ ସାରଦା ଚମକି ପଡ଼ିଲେ। ଶାରୀରିକ ଅକ୍ଷମତା ଯୋଗୁଁ ଯେ ଶୋଇବାବେଳେ ନିଜ କଡ଼ ନିଜେ ଲେଉଟାଇ ପାରୁନାହାନ୍ତି, ସେ ପୁଣି କେମିତି ଉଚ୍ଚାଉଚ୍ଚା କାଠ ଶିଡ଼ିରେ ଦଉଡ଼ି ଦଉଡ଼ି ତଳକୁ ଚାଲିଗଲେ।
ମା’ ସାରଦା ଭାବିଲେ ସେ ବୋଧହୁଏ ଭୁଲ୍ ଦେଖିଛନ୍ତି। ତେଣୁ ମନକଥା ମନରେ ରଖି ରାମକୃଷ୍ଣଙ୍କ କୋଠରି ଭିତରକୁ ସେ ଯାଇ ଦେଖିଲେ ଯେ ସତକୁସତ ଠାକୁର ଶେଯରେ ନାହାନ୍ତି। ଭୟବିହ୍ୱଳିତ ହୋଇ ସେ ଏଣେତେଣେ ଚାହିଁବାରେ ଲାଗିଲେ। ଲଜ୍ଜାଶୀଳା ଥିବା ଯୋଗୁଁ ମା’ ସାରଦା ବାହାରକୁ ବାହାରି ପାରିଲେନି। ଏମିତି ବ୍ୟସ୍ତ ହୋଇ ସେ ନିଜ କୋଠରିରେ ଚିନ୍ତାଗ୍ରସ୍ତ ହୋଇ ବସିଥିବା ବେଳେ ଦେଖିଲେ ପୂର୍ବ ଭଳି ରାମକୃଷ୍ଣ ଶିଡ଼ି ଉପରଦେଇ ବିଜୁଳି ବେଗରେ ଦଉଡ଼ି ଦଉଡ଼ି ଆସି ନିଜ କୋଠରି ଭିତରେ ପଶିଗଲେ।
ନିଜର କୌତୂହଳ ସମ୍ବରଣ କରିବାକୁ ସାରଦା ମା’ କିଛିଦିନ ପରେ ଯେତେବେଳେ ପରମହଂସଙ୍କୁ ସେକଥା ପଚାରିଲେ, ସେ କହିଲେ, “ତୁମେ ଦେଖିଦେଲ କି।”
ପରେ ପରେ ସେ ମା’ଙ୍କୁ ବୁଝାଇଦେଲେ, “ଏଠାକୁ ପିଲାଗୁଡ଼ା (ସେବା କରିବାକୁ) ଆସିଛନ୍ତି। ସେଦିନ ସେମାନେ ଏଇ ବଗିଚାର ଦକ୍ଷିଣ ପାଖରେ ଥିବା ଖଜୁରି ଗଛରୁ ରସ ପିଇବାକୁ ଯାଉଥିଲେ। ମୁଁ ଦେଖିଲି ଗଛତଳେ ଗୋଟିଏ ଭୟଙ୍କର କଳା ସାପ ଅଛି। ସେ ଏତେ ରାଗି ଯେ ସମସ୍ତଙ୍କୁ ସେଦିନ କାମୁଡ଼ି ପକାଇଥାନ୍ତା। ପିଲାଗୁଡ଼ାଙ୍କୁ ସେ କଥା ଜଣାନାହିଁ। ସେଥିପାଇଁ ଅନ୍ୟ ଗୋଟିଏ ବାଟେ ଯାଇ ସାପଟାକୁ ତଡ଼ିଦେଇ ଆସିଲି ଆଉ ତାକୁ କହିଦେଲି, “ଦେଖ୍, ଆଉ କେବେ ୟା ଭିତରକୁ ଆସିବୁନି।”
ସାରଦା ମା’ ଏ କଥା ଶୁଣି ତାଜୁବ୍ ହୋଇଗଲେ। ପରମହଂସ କିନ୍ତୁ କାହା ଆଗରେ ଏ କଥା ପ୍ରକାଶ କରିବାକୁ ତାଙ୍କୁ ସେଦିନ ମନା କରିଦେଇଥିଲେ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)