ଭାସ୍କର ପରିଛା
ଓଡ଼ିଶାରେ ସାପ୍ତାହିକ ପତ୍ର ପତ୍ରିକାର ଇତିହାସ ଏତେ ମଞ୍ଜୁଳ ନୁହେଁ। ଏହାର କାରଣ ବି ଅଛି। ଏହି ଧରଣର ପ୍ରକାଶନ ପାଇଁ ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ବିଜ୍ଞାପନ ନୀତି ନାହିଁ। ବିଜ୍ଞାପନ ବିନା ପତ୍ର ପତ୍ରିକା ଚଳାଇବା ଏକ କଷ୍ଟକର ବ୍ୟାପାର ଏହା କହିବା ଅନାବଶ୍ୟକ। ଏଥିପାଇଁ ସାପ୍ତାହିକ ପତ୍ରିକାର ଭବିଷ୍ୟତ ଏଠି ଅନ୍ଧାର। ଏହାର ଅର୍ଥ ନୁହେଁ ଯେ ସାପ୍ତାହିକ ପତ୍ରିକାର ପାଠକ ନାହାନ୍ତି। ‘ପ୍ରଜାତନ୍ତ୍ର ସପ୍ତାହିକୀ’ ଗୋଟିଏ ସମୟରେ ଓଡ଼ିଶାରେ ସର୍ବାଧିକ ବିକ୍ରି ହେଉଥିବା ଲୋକପ୍ରିୟ ପତ୍ରିକା ଥିଲା। ସେହି ରେକର୍ଡ଼କୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିନାହାନ୍ତି।
ସାଧାରଣରେ ଧାରଣା ରହିଛି ଯେ କେବଳ ଦୈନିକ ଖବରକାଗଜ ହିଁ ସାପ୍ତାହିକ ପତ୍ରିକା ପ୍ରକାଶ କରିପାରିବେ। ଏହା ସତ ମଧ୍ୟ। କାରଣ ସେମାନଙ୍କର ସାଧନ ଥାଏ, ଲୋକବଳ ବି ଥାଏ। ତେବେ ସମସ୍ୟାଟି ହେଉଛି ପାଠକୀୟ ଆଗ୍ରହ। ଇଣ୍ଟରନେଟ, ଫେସବୁକ ଆସିବା ପରେ ଓ ବିଭିନ୍ନ ଡିଜିଟାଲ ମିଡ଼ିଆର ପରିପ୍ରକାଶ ପରେ ପତ୍ର ପତ୍ରିକାର କାଟତି ବେଶ୍ କମିଯାଇଛି। ଏହା ଯେ କେହି ସ୍ୱୀକାର କରିବେ।
ଦଶ ବର୍ଷ ତଳେ ସାପ୍ତାହିକ ପତ୍ର ପତ୍ରିକାର ଯେଉଁ ଆବେଦନ ଥିଲା ହୁଏତ ତାହା ଆଜି ଆଉ ନାହିଁ। ତା ସତ୍ତ୍ୱେ ପତ୍ରିକା ପ୍ରକାଶ ପାଇଁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗେଇ ଆସୁଛନ୍ତି ତାହାହିଁ ଆଶ୍ୱାସନାର ବିଷୟ। ଏହିଭଳି ଏକ ତଟକା ଉଦ୍ୟମ ହେଉଛି ଭୁବନେଶ୍ୱରର ଜନପଥରେ ଥିବା ପିଭିଏନ ଭେଞ୍ଚର୍ସଙ୍କର ଏହି ପତ୍ରିକା।
ସମୀର ହଂସଙ୍କ ଦ୍ୱାରା ପ୍ରକାଶିତ ‘ମୋ ସହର ସମ୍ପର୍କ’ ସାପ୍ତାହିକ ପତ୍ରିକାଟି ଏବେ ଏବେ ବଜାରକୁ ଆସିଛି। ସନ୍ଦୀପ ମିଶ୍ର ଏହାର ସମୂହ ସମ୍ପାଦକ, ବିନୟ ଝା ପରାମର୍ଶ ସମ୍ପାଦକ, ସତ୍ୟବ୍ରତ ରଥ ସମ୍ପାଦକ ଓ ସରୋଜ ବଳ କାର୍ଯ୍ୟନିର୍ବାହୀ ସମ୍ପାଦକ। ଏକ ସାପ୍ତାହିକ ନ୍ୟୁଜ୍-ଫିଚର ପତ୍ରିକାରେ ଏତେ ଜଣ ସମ୍ପାଦକ ରହିବା କୋଚିତ ଦେଖାଯାଏ। କିନ୍ତୁ ରହିଲେ ବି କ୍ଷତି କଣ ଯଦି ସଂସ୍ଥା ସମ୍ଭାଳିପାରୁଛି!! ‘ମୋ ସହର ସମ୍ପର୍କ’ ଏହି ମିଡିଆ ହାଉସରୁ ପ୍ରକାଶ ପାଉଥିବା ମାଇ ସିଟି ଲିଙ୍କ୍ର ଓଡ଼ିଆ ଭଉଣୀ। କଣ୍ଟେଣ୍ଟ ଅବଶ୍ୟ ପୂରା ଅଲଗା। ଦାମ କିନ୍ତୁ ମାତ୍ର ଦଶ ଟଙ୍କା। ମୋ ସହର ସମ୍ପର୍କର ଦୁଇଟି ସଂଖ୍ୟା (ପ୍ରେରଣ ସୌଜନ୍ୟ: ସନ୍ଦୀପ ମିଶ୍ର)କୁ ଦେଖିବା ପରେ ହୃଦବୋଧ ହେବା ସ୍ୱାଭାବିକ ଯେ ଏହାର ପ୍ରକାଶନ ପଛରେ ଢେର କସରତ ହୋଇଛି।
ଅଶୀ ପୃଷ୍ଠାର ପତ୍ରିକା ଭିତରେ ସମ୍ପାଦକମାନେ ଯେତେ ବିଷୟକୁ ଖୁନ୍ଦିଛନ୍ତି ତାହା ପ୍ରଶଂସନୀୟ। ବିଭାଗିକରଣ, ବିଷୟ ପ୍ରବେଶ ଅତି ଚମତ୍କାର। କିଛି ନୂଆ ସ୍ୱାଦ ମଧ୍ୟ ବାରି ହୋଇଯାଉଛି ଏହି ନୂଆ ପତ୍ରିକାରେ। ପ୍ରଥମ ସଂଖ୍ୟାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୨ ବର୍ଷ ପୂରଣ ଅବସରରେ ୮୨ଟି ବ୍ୟକ୍ତିତ୍ୱକୁ ନେଇ ଯେଉଁ କଭର ଷ୍ଟୋରୀ କରିଛନ୍ତି ତାହା ଅତ୍ୟନ୍ତ ଉପାଦେୟ ହୋଇପାରିଛି। ଏଥି ସହିତ ପଞ୍ଚାନନ କାନୁନଗୋ, ଜଗଦାନନ୍ଦ ଓ ଦାସ ବେନହୁର ସେହି ପ୍ରସଙ୍ଗ ଉପରେ ତିନୋଟି ସ୍ୱତନ୍ତ୍ର ଲେଖା ଲେଖିଛନ୍ତି।
ଅରୁଣା ମହାନ୍ତି ଓଡ଼ିଶୀ ନୃତ୍ୟ ଏବଂ ସମ୍ବିତ ମହାପାତ୍ର ଖେଳ ଉପରେ ସ୍ମୃତିଚାରଣ କରିଛନ୍ତି। ଦ୍ୱିତୀୟ ସଂଖ୍ୟରେ ରତ୍ନଭଣ୍ଡାର ଉପରେ ମୁଖ୍ୟ ବିଷୟର କଳ୍ପନା କରାଯାଇଛି। ନ୍ୟୁଜ୍ ପତ୍ରିକା ସମସାମୟିକ ଘଟଣାକୁ ଧରିବା ନିହାତି ଆବଶ୍ୟକ। ଦ୍ୱିତୀୟ ସଂଖ୍ୟାରେ ତାହା ହିଁ ହୋଇଛି। ସମ୍ପାଦକୀୟ, ତିଥି ବାର ବେଳା, ଏଇ ପୃଥିବୀରେ, ଏଇ ଭାରତରେ ଓ ଏଇ ଓଡ଼ିଶାରେ ଶୀର୍ଷକ ସ୍ତମ୍ଭରେ ଛୋଟ ଛୋଟ ଖବର ଓ ଚୁଟୁକୁଳି ସ୍ଥାନ ପାଇଛି। ପଲି-ଟ୍ରିକ୍ସ, ହାଟ ବଜାର, ଦେହପା, ରୂପଭେକ, ଚାଲ ବୁଲିବା, ଯୋଗ, ଘଟେ-ଘଟୁଛି-ଘଟିପାରେ, ଆଇନ କାନୁନ, ରୋଷେଇ ବାସ, ଛାଇ ଆଲୁଅ, ଗପସପ ଆଦି ବହୁ ସ୍ତମ୍ଭରେ ଭରା ‘ମୋ ସହର ସମ୍ପର୍କ’ ଆପଣଙ୍କୁ ପୁଳାଏ ସ୍ଵଛ ପବନ ଭଳି ଲାଗିବ।
ଆବଶ୍ୟକତା ଓ ବ୍ୟକ୍ତି ବିଶେଷଙ୍କୁ ଧ୍ୟାନରେ ରଖି ସମ୍ପାଦକମାନେ ତିନିଟି ନିୟମିତ ସ୍ତମ୍ଭ ଖୋଲିଛନ୍ତି। ଜ୍ୟୋତି ନନ୍ଦ ‘ଏକଦା ଏକଦିନ’ ଶୀର୍ଷକ ସ୍ତମ୍ଭ ଲେଖୁଥିବା ବେଳେ ପତ୍ରିକାର ଶେଷ ପୃଷ୍ଠାଟି ରଖାଯାଇଛି ସୃଜନ ସମ୍ପର୍କ ପାଇଁ। ଜଣେ ସାହିତ୍ୟିକଙ୍କ ଜୀବନ ଓ ସୃଷ୍ଟିକୁ ନେଇ ଏହି ସ୍ତମ୍ଭ। ପପୁ ପମ୍ପମ୍ ତାଙ୍କ ‘ହସି ହସାଉଥାଏ ମୁହିଁ’ ସ୍ତମ୍ଭରେ ପାଠକଙ୍କ ବିଭିନ୍ନ ମଜାଳିଆ ପ୍ରଶ୍ନର ଉତ୍ତର ଦେଉଛନ୍ତି।
ପ୍ରଥମ ସଂଖ୍ୟାରେ କାର୍ଯ୍ୟନିର୍ବାହୀ ସମ୍ପାଦକ ପତ୍ରିକାର ଆଭିମୁଖ୍ୟ ସମ୍ପର୍କରେ ଏକ ବାର୍ତ୍ତା ଦେଇଛନ୍ତି।ସେଥିରେ ସେ ଲେଖିଛନ୍ତି ଯଦି ପାଠକ ତାଙ୍କ ସହିତ ସମ୍ପର୍କ ରଖିବେ, ସେହି ବିଶ୍ୱାସକୁ ସେ ଭାଙ୍ଗିବେ ନାହିଁ। ଏହି ବାର୍ତ୍ତାରେ ଯଦି ପତ୍ରିକାର ଦୀର୍ଘସ୍ଥାୟୀତ୍ୱ କଥା ସେ କହିଛନ୍ତି ତାହା ନିଶ୍ଚିତରେ ଭଲ କଥା। ପତ୍ରିକା ଦୀର୍ଘସ୍ଥାୟୀ ହେଲେ ଯାଇ ପ୍ରକାଶକଙ୍କ ଲାଭ, ପାଠକଙ୍କ ଲାଭ ଓ ସମ୍ପାଦକମାନେ ମଧ୍ୟ ଭଲରେ ରହିବେ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)