ରବୀନ୍ଦ୍ର ନାରାୟଣ ମିଶ୍ର

ନିଦ ଭାଙ୍ଗିବା ପରେ ନିଜ ହାତ, ବେକ, ବାହୁ ଦେଖି ପାଞ୍ଚ ବର୍ଷର ସାରଦା କାନ୍ଦି ଉଠିଲେ। “ମୋର ଏଠି ଯେଉଁ ଅଳଙ୍କାର ଥିଲା, କୁଆଡ଼େ ଗଲା?”

ପରମହଂସ ରାମକୃଷ୍ଣ ଓ ସାରଦାଦେବୀଙ୍କ ବିବାହ ବେଶ କୌତୁକପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ଥିଲା ୧୮୬୦ ମସିହାର କଥା। ରାମକୃଷ୍ଣଙ୍କୁ ସେତେବେଳେ ଚବିଶବର୍ଷ ଓ ମା’ ସାରଦାଙ୍କୁ ପାଞ୍ଚବର୍ଷ।

ମା’ ସାରଦା ଥିଲେ ଜୟରାମବାଟୀର ରାମଚନ୍ଦ୍ର ମୁଖୋପାଧ୍ୟାୟ ଓ ଶ୍ୟାମାସୁନ୍ଦରୀଙ୍କ ଜ୍ୟେଷ୍ଠା କନ୍ୟା। ରାମକୃଷ୍ଣ ଥିଲେ କାମାରପୁକୁରର କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ଚନ୍ଦ୍ରମଣି ଦେବୀଙ୍କର ଚତୁର୍ଥ ସନ୍ତାନ। ଅବତାର ପୁରୁଷ ରାମକୃଷ୍ଣ ଓ ମା’ ସାରଦାଙ୍କ ବିବାହ ଥିଲା ବିଧିନିର୍ଦ୍ଦିଷ୍ଟ।

ଦକ୍ଷିଣେଶ୍ୱରସ୍ଥ ରାସମଣି ଦେବୀଙ୍କ ପ୍ରତିଷ୍ଠିତ କାଳୀ ମନ୍ଦିରରେ ରାମକୃଷ୍ଣ ପୂଜକ ଭାବେ ନିଯୁକ୍ତ ଥିଲାବେଳେ ନିଜ ସାଧନା ଅବ୍ୟାହତ ରଖି ମା’ଙ୍କ ଦର୍ଶନ ପାଇବା ଯୋଗୁଁ ସବୁବେଳେ ଅପ୍ରକୃତିସ୍ଥ ଅବସ୍ଥାରେ ରହୁଥିଲେ। ଲୋକମାନେ କହିଲେ ଯେ ଗଦାଧର (ରାମକୃଷ୍ଣଙ୍କ ସଂସାର ନାଁ) ଯଦି ଘରସଂସାର କରିଦେବେ, ତେବେ ଆଉ ବୈରାଗ୍ୟ ଆଡ଼କୁ ମନ ଦେବେନି।

ତା’ ପରେ ଝିଅ ଖୋଜା ଚାଲିଲା। ମା’ଙ୍କୁ ବ୍ୟସ୍ତ ହେବାର ଦେଖି ଗଦାଧର କହିଲେ, “ଜୟରାମବାଟୀର ରାମଚନ୍ଦ୍ର ମୁଖାର୍ଜୀର ଘର ଦେଖନା, ବିବାହ ପାଇଁ ସେଠି କନ୍ୟା ଆଗରୁ ପ୍ରସ୍ତୁତ ହୋଇରହିଛି।”

ତଦନୁଯାୟୀ ବଡ଼ ଭାଇ ରାମେଶ୍ୱର ଜୟରାମବାଟୀରେ ପହଞ୍ଚି ପାଞ୍ଚବର୍ଷ ବୟସର କୁନିଝିଅ ସାରଦାଙ୍କୁ ଆଣି କାମାରପୁକୁରରେ ହାଜର ହେଲେ। ରାମଚନ୍ଦ୍ର ମୁଖାର୍ଜୀ ଥିଲେ ଅତି ଗରିବ। ସେତେବେଳେ ପ୍ରଥାନୁସାରେ କନ୍ୟାପକ୍ଷକୁ ବରପକ୍ଷ ତିନି ଶତ ଟଙ୍କା ଦେଇଥିଲେ। ମା’ ସାରଦା ଯେତେବେଳେ ଆସି ଶ୍ୱଶୁର ଘରେ ପହଞ୍ଚିଲେ ବାହାଘର ହେଲା, ଭୋଜି ହେଲା। ମାତ୍ର ମା’ଙ୍କ ଦେହରେ ଟିକେ ବି ଅଳଙ୍କାର ନାହିଁ।

ଗଦାଧରଙ୍କ ମା’ ଚନ୍ଦ୍ରଦେବୀଙ୍କ ମୁହଁ ଶୁଖିଗଲା। ସମସ୍ତଙ୍କ ଦେଖିବା ପାଇଁ ସେଠାକାର ଜମିଦାର ଧର୍ମଦାସ ଲାହାଙ୍କଠାରୁ ସୁନାର ଚୁଡ଼ି, ବାଲା, ଗୋଠ ପ୍ରଭୃତି ଆଣି ସେ ବୋହୂ ସାରଦାଙ୍କୁ ପିନ୍ଧାଇ ଦେଲେ। ସାରଦାଙ୍କ ମନରେ ନାହିଁ ନଥିବା ଖୁସି। କି ବଢ଼ିଆ ବଢ଼ିଆ ଅଳଙ୍କାର ପିନ୍ଧିଛନ୍ତି।

ବାହାଘର, ଭୋଜିଭାତ ସରିଗଲା। ଚନ୍ଦ୍ରାଦେବୀ ତା’ ଆରଦିନ ମୁହଁ ଶୁଖାଇ ରହିଲେ। ବୋହୂ ଦେହରୁ କେମିତି ଅଳଙ୍କାର ବାହାର କରି ଜମିଦାର ଧର୍ମଦାସଙ୍କୁ ଫେରାଇବେ। ତାଙ୍କୁ ଚିନ୍ତାରେ ପଡ଼ିଥିବାର ଦେଖି ଗଦାଧର (ରାମକୃଷ୍ଣ) କହିଲେ, “ଏଥିପାଇଁ ଏତେ ଚିନ୍ତା କାହିଁକି। ସେ ଶୋଇପଡ଼ିଲା ବେଳେ ତା’ ଦେହରୁ ଅଳଙ୍କାର କାଢ଼ିନେଇ ଧର୍ମଦାସଙ୍କୁ ଫେରାଇ ଦେବା।”

ସେଇଆ ହେଲା। ଖୁବ୍ କୌଶଳର ସହିତ ରାମକୃଷ୍ଣ ମା’ ସାରଦାଙ୍କ ଦେହରୁ ଅଳଙ୍କାର କାଢ଼ିନେଇ ମା’ଙ୍କ ହାତକୁ ବଢ଼େଇଦେଲେ। ନିଦ ଭାଙ୍ଗିବା ପରେ ନିଜ ହାତ, ବେକ, ବାହୁ ଦେଖି ପାଞ୍ଚ ବର୍ଷର ସାରଦା କାନ୍ଦି ଉଠିଲେ। “ମୋର ଏଠି ଯେଉଁ ଅଳଙ୍କାର ଥିଲା, କୁଆଡ଼େ ଗଲା?”

ନିଜ ଆଖିରୁ ଲୁହ ପୋଛୁ ପୋଛୁ ଚନ୍ଦ୍ରାଦେବୀ କହିଲେ, “ମା’, ଗଦାଇ ତତେ ୟାଠାରୁ ଭଲ ଭଲ ଅଳଙ୍କାର ପରେ ଆଣିଦେବ।”

ପ୍ରକୃତରେ ପରମହଂସ ରାମକୃଷ୍ଣ ସାରଦାଙ୍କୁ ପରବର୍ତ୍ତୀ ସମୟରେ ଯେଉଁ ଅଳଙ୍କାର ଦେଇଥିଲେ, ତାହା କିଏ ବା ଦେଇପାରିଥାନ୍ତା ତାଙ୍କୁ?

ପରମହଂସ ରାମକୃଷ୍ଣ ଓ ମା’ ସାରଦାଙ୍କୁ ଲେଖକର କୋଟି କୋଟି ପ୍ରଣାମ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment