ରବୀନ୍ଦ୍ର ନାରାୟଣ ମିଶ୍ର

ସାଇବ ମୁଣ୍ଡ ଖରାପ। ମାତ୍ର ସେତେବେଳକୁ ନେଡ଼ିଗୁଡ଼ କହୁଣୀ ଧରିଲାଣି। ସାଇବ ପୂରା ଅଫିମଖୋର ହୋଇଗଲାଣି। ତା’ ପରେ ପରେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ସାଇବ ଦରବାରମାନଙ୍କ ସହ ଅଫିମ ଖାଇବାକୁ ଲାଗିଲେ।

ଇଂରେଜ ରାଜତ୍ୱ ସମୟର କଥାଟି। ଇଂରେଜମାନଙ୍କ ନୀତି ଥିଲା – ଭାରତକୁ ଭାଗ ଭାଗ କରି ଶାସନ କରି ଚାଲିବା। ବର୍ଷକରୁ ଏକ ହଜାରରୁ କମ୍‌ ଟଙ୍କା ଆୟ କରୁଥିବା ଛୋଟ ଛୋଟ ରାଜ୍ୟମାନଙ୍କୁ ସେମାନେ ସେଥିପାଇଁ ସ୍ୱୀକୃତି ଦେଉଥିଲେ। ଗୁଜରାଟର କାଥିଆୱାଡ୍‌ରେ ଏମିତିଆ ତିରିଶଟି ଛୋଟ ରାଜ୍ୟ ଥିଲେ। ସେମାନଙ୍କୁ ଦରବାର କୁହାଯାଉଥିଲା। ଏ ଦରବାରମାନଙ୍କର ଦେୱାନୀ ବା ଫୌଜଦାରୀ ମାମଲାରେ କଣା ପଇସାର କ୍ଷମତା ନ ଥିଲା। ସେ ତିରିଶଟି ଦରବାରକୁ ଚଳାଇବାକୁ ଜଣେ ଟୋକା ଇଂରେଜ ହାକିମ ପହଞ୍ଚିଲେ।

ସେତେବେଳର ପ୍ରଥାନୁସାରେ ସେ ହାକିମକୁ ସନ୍ତୁଷ୍ଟ କରିବା ପାଇଁ ଦରବାରମାନେ ତାଙ୍କ ପାଖକୁ ନାନାଦି ଉପହାର ପଠାଇଲେ। ସେ ଯୁବକ ହାକିମ୍‌ଟି ଭାରି ସଚ୍ଚୋଟ ଥିଲା। ଦରବାରମାନେ ପଠାଇଥିବା ଫୁଲତୋଡ଼ା ବ୍ୟତୀତ ସେ ଆଉକିଛି ଗ୍ରହଣ ନ କରି ସବୁ ଦରବାରମାନଙ୍କୁ ଫେରାଇଦେଲେ। ଦରବାରମାନେ ଚିନ୍ତାରେ ପଡ଼ିଲେ କେମିତି ଏ ସାଧୁ ସଚ୍ଚୋଟ ହାକିମ୍‌କୁ କରାୟତ୍ତ କରିବେ। ସେଇ ଯୁବ ହାକିମଙ୍କର ଚା’ ପିଇବା ଛଡ଼ା ଆଉ କିଛି ନିଶା ନଥିଲା। ସେଥିପାଇଁ କ୍ଷୀର ଦରକାର ହେଉଥିଲା।

କାଥିଆୱାଡ଼ର ଲୋକମାନେ ଗୋସେବା ପାଇଁ ଘରେ ଘରେ ଗାଈ ରଖିଥିଲେ ବି ସେମାନଙ୍କ ପାଇଁ କ୍ଷୀର ବିକିବା ଗୋଟାଏ ନୀଚକର୍ମ ଥିଲା। ଯେତେବେଳେ ଦରବାରମାନେ ଜାଣିଲେ ଯେ ସାଇବ କ୍ଷୀର ଚାହୁଁଛନ୍ତି, ବଡ଼ ବଡ଼ ପାତ୍ରରେ ସେମାନେ ତାଙ୍କ ପାଖକୁ କ୍ଷୀର ପଠାଇଲେ। ମାତ୍ର ସଚ୍ଚୋଟ ହାକିମ୍‌ ସେସବୁ ଫେରାଇଦେଇ ଜିଦ୍‌ କଲା ଯେ କେବଳ ପଇସା ଦେଇ କ୍ଷୀର କିଣିବ। ଦରବାରମାନେ ଶେଷରେ ରାଜି ହେଲେ ପଇସା ଦେଇ କ୍ଷୀର ଆଣିଦେଲା। ଦି’ ଦିନ ପରେ ଦରବାରମାନେ କ୍ଷୀରରେ ଅଫିମ ମିଶାଇଦେଲେ। ଅଫିମ କ୍ଷୀରରେ ଚା’ ପଇ ସାଇବ ହାକିମ୍‌ ବେଶ୍ ଫୂର୍ତ୍ତି, କାର୍ଯ୍ୟଦକ୍ଷ, ସତେଜ ହୋଇଉଠିଲା।

ଚାକରଠାରୁ ଦରବାରମାନେ ଏ କଥା ଜାଣିଗଲେ। ସେମାନେ କ୍ଷୀରରେ ଅଫିମର ମାତ୍ରା ଧୀରେ ଧୀରେ ବଢ଼ାଇବାରେ ଲାଗିଲେ।  ସାତ ଦିନ ପରେ ଦରବାରମାନେ କ୍ଷୀର ଦେଲେ ନାହିଁ, ଆଉ କାରଣ ଦେଖାଇଲେ ଯେ ସେମାନଙ୍କ ଗାଈ ପଡ଼ିଆ ହୋଇଗଲେଣି। ସାଇବଙ୍କ ଚାକର ଅନ୍ୟ ଯେଉଁଠୁ କ୍ଷୀର ଆଣିଲେ ବି ପୂର୍ବ କ୍ଷୀର ଭଳି ସେ କ୍ଷୀରରେ ତିଆରି ଚା’ ସାଇବଙ୍କୁ ତେଜୀୟାନ୍ କଲାନି।

ସାଇବ ବେମାର ହୋଇଗଲେ। ଯେତେ ଯାହା ଔଷଧ ଖାଇଲେ ବି ପୂର୍ବ ତେଜ ଫେରି ଆସିଲାନି। ଶେଷକୁ ଦରବାରମାନେ କହିଲେ – ଆମେ ଭଲ କରିଦେବୁ।

ସାଇବ ରାଜି ହେଲେ। ସେମାନେ ସାଇବକୁ ପୁଣି ଅଫିମ ଦେଲେ। ସାଇବର ତେଜ ପୁଣି ଫେରି ଆସିଲା। ସେ ପୂର୍ବ ଭଳି ଚଳଚଞ୍ଚଳ ଓ କର୍ମତତ୍ପର ହୋଇଉଠିଲେ। ସେ ଔଷଧ କୋଉଠି କିଣିବାକୁ ମିଳୁଛି ବୋଲି ସାଇବ ଯେତେ ପଚାରିଲେ ବି ଦରବାରମାନେ କହିଲେ ଏହା ବଜାରରେ ମିଳିବନି। ଶେଷକୁ ସେମାନେ ସତ କଥାଟି କହିଦେଲେ।

ସାଇବ ମୁଣ୍ଡ ଖରାପ। ମାତ୍ର ସେତେବେଳକୁ ନେଡ଼ିଗୁଡ଼ କହୁଣୀ ଧରିଲାଣି। ସାଇବ ପୂରା ଅଫିମଖୋର ହୋଇଗଲାଣି। ତା’ ପରେ ପରେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ସାଇବ ଦରବାରମାନଙ୍କ ସହ ଅଫିମ ଖାଇବାକୁ ଲାଗିଲେ। ଦରବାରମାନେ ଦେଖିଲେ ସାଇବ ପୂରା ସେମାନଙ୍କ କାବୁରେ ରହିଲେଣି। ତେଣିକି ସେମାନଙ୍କର ସବୁ ନ୍ୟାୟ ଅନ୍ୟାୟ କାମ ଅତି ସହଜରେ ସାଇବ ହାକିମ ଦ୍ୱାରା କରାଇନେଲେ। ବେଟା ଏଥର ସେମାନଙ୍କ ହାତମୁଠାକୁ ଆସିଗଲା।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment