ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୧୭ ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୁର୍ଦ୍ଧଷ ପାଇଲଟ୍, ଜାତୀୟ ନେତା ତଥା ଭାରତରେ ଶିଳ୍ପ ବିକାଶର ମୂଳଦୁଆ ପକାଇଥିବା ଓଡ଼ିଆ ପୁଅ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ଜୀବନୀ ଉପରେ ପ୍ରସ୍ତୁତ ପ୍ରଥମ ସ୍ଵତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ www.bijupatnaik.org ଏକ ନୂଆ ରୂପ ନେଇଛି।

ଏହି ସ୍ଵତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ୨୦୧୬ ମସିହାରେ ପ୍ରସ୍ତୁତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ କରିଥିଲେ। ଏହି ଅନଲାଇନ୍ ମିଡିଆ ଆଜି ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ତାଙ୍କର ଦୀର୍ଘ କର୍ମମୟ ଜୀବନ ସମ୍ପର୍କରେ ଏକ ରେଫରେନ୍ସ ମିଡ଼ିଆ ହୋଇପାରିଛି।

ବିଜୁବାବୁଙ୍କ ଉପରେ ପ୍ରଥମ ସ୍ଵତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ

ଏହି ଡିଜିଟାଲ୍ ପ୍ଲାଟଫର୍ମରେ ରହିଛି ବିଜୁବାବୁଙ୍କ ଜୀବନୀ ଉପରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲିଖିତ ଅନେକ ଲେଖା। ବହୁ ବିଶିଷ୍ଟ ଲେଖକ ଓ ବରିଷ୍ଠ ସାମ୍ବାଦିକ ଓଡ଼ିଶାଲାଇଭ୍ ପାଇଁ ଏହା ଲେଖିଥିବା ବେଳେ କେତେକ ପୁରୁଣା ଲେଖାକୁ ବିଭିନ୍ନ ସୂତ୍ରରୁ ସଂଗ୍ରହ କରି ଏଠାରେ ସ୍ଥାନିତ କରାଯାଇଛି। ସେହିପରି ଏହି ଡିଜିଟାଲ୍ ମିଡିଆରେ ବିଜୁବାବୁଙ୍କ ଉପରେ କେତେକ ଭିଡ଼ିଓ ରହିଛି ଯାହା ଭିତରେ ବିଜୁ ବାବୁଙ୍କ ସଂକ୍ଷିପ୍ତ ସାକ୍ଷାତକାର ଅନ୍ୟତମ।

କେମିତି ହେଲା ପ୍ଲାଟଫର୍ମ?

“ବିଜୁ ପଟ୍ଟନାୟକଙ୍କ ପାଇଁ ଆଜି ଦେଶ ବିଦେଶରେ ଥିବା ଓଡ଼ିଆମାନେ ଗର୍ବ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ସେ ଦେଇଥିଲେ ଏକ ନୂଆ ପରିଚୟ। କେବଳ ସେତିକି ନୁହେଁ ରାଜନୀତି ବାହାରେ ଦେଶରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ମଧ୍ୟ ସେ ତାଙ୍କ ସମୟଠାରୁ ଢେର ଆଗରେ ଥିଲେ। ଏଭଳି ଜଣେ ସ୍ମରଣୀୟ ବ୍ୟକ୍ତିତ୍ଵଙ୍କର ଜନ୍ମ ଶତବାର୍ଷିକୀ ବେଳେ ଓଡ଼ିଶାଲାଇଭ୍ ଦେଖିଲା ଯେ ଅନଲାଇନ୍ ମିଡ଼ିଆରେ ତାଙ୍କ ସଂସ୍ପର୍ଶରେ ଅନେକ କଥା ରଖାଯାଇପାରିନାହିଁ। ତେଣୁ ଏକ ଡିଜିଟାଲ ମିଡିଆ କମ୍ପାନି ହିସାବରେ ତାଙ୍କୁ ଅନଲାଇନ୍ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ www.bijupatnaik.org ଭଳି  ପ୍ଲାଟଫର୍ମର ପରିକଳ୍ପନା କରାଯାଇଥିଲା’’, କହିଛନ୍ତି ଓଡ଼ିଶାଲାଇଭର ପ୍ରତିଷ୍ଠାତା ତଥା ସିଇଓ ନୀଳାମ୍ବର ରଥ।

ପ୍ଲାଟଫର୍ମର ମୁଖ୍ୟ ଆକର୍ଷଣ

ଏହି ପ୍ଲାଟଫର୍ମରେ ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ସୂଚନା ଓ ଅନେକ ଲେଖା ସ୍ଥାନ ପାଇଛି। ତା’ଛଡ଼ା ବିଭିନ୍ନ ଭିଡିଓ ତଥା ବିଜୁବାବୁଙ୍କ ପରିବାର ଏବଂ ରାଜନୈତିକ ଜୀବନ ଉପରେ ଆଧାରିତ ପୁରୁଣା ଫଟୋଗ୍ରାଫ୍ ଏଥିରେ ରହିଛି।

ବିଜୁଙ୍କ ବିରଳ ଫଟୋଗ୍ରାଫ୍ ମଧ୍ୟରେ ରହିଛି ସେ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାରମୁହୂର୍ତ୍ତ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ରାଜନେତା ଓ ପ୍ରମୁଖ ବ୍ୟକ୍ତିତ୍ଵଙ୍କ ସହିତ ତାଙ୍କର ଫଟୋ। ପାରାଦୀପ ବନ୍ଦରର ଶିଳାନ୍ୟାସ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ସହ ହେଉ କିମ୍ବା ଇଣ୍ଡୋନେସିଆ ମାଟିରେ କଳିଙ୍ଗ ଏୟାରଲାଇନସ ବିମାନ ସହ ହେଉ ଏହି ଫଟୋଗୁଡ଼ିକ ବିଜୁବାବୁଙ୍କ ଜୀବନ କିଭଳି ଦୁଃସାହସିକ  ଥିଲା ଏବଂ  ସେ କିଭଳି ଦୂରଦୃଷ୍ଟି ସମ୍ପନ୍ନ ଥିଲେ ତା’ର ପ୍ରମାଣ ଦିଏ।


ବିଜୁଙ୍କ ଉପରେ ପ୍ରାମାଣିକ ଚିତ୍ର

ବିଜୁ ପଟ୍ଟନାୟକଙ୍କ ଜୀବନୀ ଏବଂ କାର୍ଯ୍ୟକ୍ଷେତ୍ରକୁ ଆଧାର କରି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ହୋଇଛି ପ୍ରାମାଣିକ ଚିତ୍ର। ଉଭୟ ଓଡ଼ିଆ ଏବଂ ଅଣଓଡ଼ିଆ ଦର୍ଶକମାନଙ୍କୁ ଦୃଷ୍ଟିରେ ରଖି ଓଡ଼ିଶାଲାଇଭ୍ ଏହି ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ପ୍ରାମାଣିକ ଚିତ୍ର ଉପସ୍ଥାପନ କରିଛି। ଏହି ଭିଡିଓଗୁଡ଼ିକ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ବିଜୁବାବୁଙ୍କୁ ବୁଝିବାରେ ସହାୟକ ହେବ।

ଆନନ୍ଦ ଭବନ ସମ୍ପର୍କରେ ସୂଚନା

www.bijupatnaik.org ପ୍ଲାଟଫର୍ମରେ କଟକର ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ସମ୍ପର୍କରେ ମଧ୍ୟ ସୂଚନା ରହିଛି। ବିଜୁ ବାବୁଙ୍କ ପୈତୃକ ବାସଭବନ କଟକ ତୁଳସୀପୁରସ୍ଥିତ ଆନନ୍ଦଭବନକୁ କିଛି ଦିନ ତଳେ ଓଡ଼ିଶା ସରକାର ସ୍ଵତନ୍ତ୍ର ବିଜୁ ସ୍ମାରକୀ ହିସାବରେ ଗଢ଼ି ତୋଳିଛନ୍ତି। ଏଠାରେ ବିଜୁ ପଟ୍ଟନାୟକ ଓ ତାଙ୍କ ପରିବାର ସମ୍ପର୍କରେ ସୂଚନା, ସେ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ସ୍ଥାନ ପାଇଛି। ସେହିପରି ବିଜୁଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ୧୯୩୧ ମସିହାରେ ତିଆରି କରିଥିବା ଏହି ଆନନ୍ଦ ଭବନ କୋଠାର ଉପର ମହଲାରେ ଏକ ଅଧ୍ୟୟନ କେନ୍ଦ୍ର ବା ପାଠାଗାର ଖୋଲାଯାଇଛି।

ଏହି ବିଜୁ ସଂଗ୍ରହାଳୟ ସମ୍ପର୍କରେ ତଥା ଆନନ୍ଦ ଭବନରେ ବିଜୁବାବୁଙ୍କ ଜୀବନକୁ ଆଧାର କରି ବିଭିନ୍ନ ଲେଖକ ଓ ସାମ୍ବାଦିକ ପ୍ରସ୍ତୁତ କରିଥିବା ଲେଖା ଓ ରିପୋର୍ଟ ଏହି ଡିଜିଟାଲ୍ ପ୍ଲାଟଫର୍ମରେ ଉପସ୍ଥାପନ କରାଯାଇଛି।

ସଂକ୍ଷେପରେ ବିଜୁ ପଟ୍ଟନାୟକ

୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ ବିଜୁ ପଟ୍ଟନାୟକ କଟକର ଆନନ୍ଦ ଭବନରେ ଜନ୍ମଗ୍ରହଣ କରିଥିଲେ। କଟକର ମିଶନ ସ୍କୁଲ୍, କଲିଜିଏଟ୍ ସ୍କୁଲ୍ ଏବଂ ରେଭେନ୍ସାରେ ପାଠ ପଢ଼ିଥିଲେ। ରେଭେନ୍ସାରେ ପଢ଼ିଲା ବେଳେ ତାଙ୍କର ଦୁଃସାହସିକ କଟକରୁ ପେଶୱାର୍ ସାଇକେଲ୍ ଅଭିଯାନ ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା।

ରେଭେନ୍ସା କଲେଜ ଛାଡ଼ି ବିଜୁ ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବ ଯାଇ ପାଇଲଟ୍ ହେବାର ସ୍ଵପ୍ନକୁ ସାକାର କରିଥିଲେ। ଇଣ୍ଡିଆନ୍ ନ୍ୟାସନାଲ ଏୟାର ୱେଜର ପାଇଲଟ୍ ଭାବେ ଚାକିରି ଆରମ୍ଭ କରିଥିବା ବିଜୁ ପଟ୍ଟନାୟକ ଦେଶ ବିଦେଶରେ ଜଣେ ଦୁଃସାହସିକ ବୈମାନିକ ଭାବେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ।

ବିମାନ ଚାଳନାରୁ ସ୍ଵାଧୀନତା ସଂଗ୍ରାମୀ ଜୀବନ, ପରେ ପରେ ଶିଳ୍ପ ପ୍ରତିଷ୍ଠା ଓ ରାଜନୀତିରେ ପ୍ରବେଶ, ଓଡ଼ିଶା ତଥା ଜାତୀୟ ରାଜନୀତିର ତୁଙ୍ଗ ନେତୃତ୍ଵ, ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଦୁଇଥର କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ଏବଂ ବହୁ ଜାତୀୟ ତଥା ବହିର୍ଦେଶୀୟ ମାମଲାରେ  ମଙ୍ଗୁଆଳ ଭୂମିକା – ବିଜୁଙ୍କ ଜୀବନର ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ।

୧୯୯୭ ଏପ୍ରିଲ୍ ୧୭ ତାରିଖରେ ଆଖି ବୁଜି ଦେଇଥିଲେ ଏହି ମହାନାୟକ। ସେତେବେଳେ କଟକର ଆନନ୍ଦ ଭବନରୁ ପୁରୀର ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ଯେଉଁ ଜନସମୁଦ୍ର ରାସ୍ତାଧାରରେ ଠିଆ ହୋଇ ଆଖିରୁ ଲୁହ ଗଡାଇଥିଲେ ତାହା ଥିଲା ତାଙ୍କ ବିରାଟ ବ୍ୟକ୍ତିତ୍ଵ ଏବଂ ବଡ ପଣର ବଡ଼ ପ୍ରମାଣ!

ଅଧିକ ଜାଣନ୍ତୁ: ବିଜୁବାବୁଙ୍କ ଜୀବନ ସମ୍ପର୍କରେ ସ୍ୱତନ୍ତ୍ର ଡିଜିଟାଲ ପ୍ଲାଟଫର୍ମ

Comment