ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪୦ ଡିଗ୍ରୀରୁ ତଳକୁ ଖସୁନି ପାରଦ
  • ସବୁଠୁ ଉତ୍ତପ୍ତ ଟିଟିଲାଗଡ଼
  • ଖରାରେ ସନ୍ତୁଳି ହେଉଛନ୍ତି ଲୋକେ
  • ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
  • ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶା। ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସିଝୁଛନ୍ତି ଓଡ଼ିଶାବାସୀ। ଝାଞ୍ଜି ପବନରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଲୋକେ। ପାରଦ ୪୦ ଡିଗ୍ରୀ ତଳକୁ ଖସୁ ନଥିବାରୁ ଖରାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି।

ଶୁକ୍ରବାର ୧୦ଟି ସହରର ତାପମାତ୍ରା ଥିଲା ୪୦ ଡିଗ୍ରୀ ଉପରେ। ୪୩.୫ ଡିଗ୍ରୀ ସେଲସିୟସ ଥିଲା ଟିଟିଗଲାଗଡରେ। ସେହିପରି ବଲାଙ୍ଗିର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୨.୪, ଅନୁଗୋଳରେ ୪୧.୭, ସମ୍ବଲପୁରରେ ୪୧.୮, ହୀରାକୁଦରେ ୪୧.୬, ସୋନପୁରରେ ୪୧.୮, ଭବାନିପାଟଣାରେ ୪୧, ଫୁଲବାଣୀ ଏବଂ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

ଏପ୍ରିଲ ୧୪ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ସକାଳ ୯ଟା ପରେ ଘରୁ ବାହାରିବା ସମ୍ଭବ ହେଉନି। ଖରାର ପ୍ରକୋପରେ ମୁହଁ ପୋଡ଼ିଯାଉଛି। ଘରୁ ପଦାକୁ ବାହାରିବା ପାଇଁ ଲୋକେ ରାଜି ହେଉ ନାହାନ୍ତି। ଯେଉଁମାନେ ବି ବାହାରୁଛନ୍ତି ସେମାନେ ଖରାରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଳମ୍ବନ କରୁଛନ୍ତି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁ୍ବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲା ପ୍ରତି ସତର୍କ ସୂଚନା ଜାରି କରାଯାଇଛି।

Comment