ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ସମେତ ୭ଟି ଦଳ ଯେଉଁ ମହାଭିଯୋଗ ନୋଟିସ ଦେଇଛନ୍ତି ସେଥିରେ ତର୍କ ଅପେକ୍ଷା ରାଜନୀତି ବେଶୀ ଥିବା କଥା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ସମେତ ୭ଟି ଦଳ ଯେଉଁ ମହାଭିଯୋଗ ନୋଟିସ ଦେଇଛନ୍ତି ସେଥିରେ ତର୍କ ଅପେକ୍ଷା ରାଜନୀତି ବେଶୀ ଥିବା କଥା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।

ମହାଭିଯୋଗର ଜଟିଳ ପ୍ରକ୍ରିୟା ଡେଇଁ ଏହି ପ୍ରସ୍ତାବ କେବେ ବି ସଫଳ ହେବ ନାହିଁ ଏ କଥା ଯେଉଁମାନେ ନୋଟିସ ଦେଇଛନ୍ତି ସେମାନେ ବି ଭଲଭାବେ ଜାଣିଛନ୍ତି।

ଏହି ନୋଟିସ ପାଇବା ପରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କଣ ପଦକ୍ଷେପ ନେବେ ତାହାର ଅନୁମାନ କରିବା କଷ୍ଟ। ହେଲେ ଏହି ନୋଟିସ ଯେଉଁଭଳି ତର୍କ ଓ ପ୍ରମାଣ ଉପରେ ଆଧାରିତ ହେବା କଥା ତାହା ହୋଇନଥିବା କଥା କୁହାଯାଉଛି। ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଯେଉଁ ୩ଟି ଅଭିଯୋଗ ଆସିଛି ତାହା ‘ଏୟା ସେୟା’ ଉପରେ ଆଧାରିତ।

ନୋଟିସରେ ଯେଉଁ ଭଳି ଭାଷାର ବ୍ୟବହାର ହୋଇଛି ସେଥିରେ ଆଦୌ ଦମ ନାହିଁ। ‘ଏମିତି ହୋଇଥିବ,ଏହା ହୋଇପାରିଥାନ୍ତା, ଏମିତି ଲାଗୁଚି’ ଏହିଭଳି ଶବ୍ଦର ପ୍ରୟୋଗ ବ୍ୟତୀତ ପ୍ରକୃତ ଅଭିଯୋଗଟି କଣ ତାହାର ସିଧା ସଳଖ ଉଲ୍ଲେଖ ନାହିଁ। ମହାଭିଯୋଗ ନୋଟିସରେ ନିର୍ଦ୍ଦିଷ୍ଟ ଅଭିଯୋଗ ନଥିଲେ ତାହା ଗ୍ରହଣୀୟ ହେବାର ସମ୍ଭାବନା କମ।

୧୯୬୮ ଜଜ୍ ମହାଭିଯୋଗ ତଦନ୍ତ ଆଇନ ଅନୁଯାୟୀ ଯେଉଁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ଆସିବ ତା ପଛରେ ଠୋସ କାରଣ ଓ ପ୍ରମାଣ ଥିବା ଦରକାର।ତେବେ ଯାଇ ତଦନ୍ତ ଆଗେଇବ।

ମେଡ଼ିକାଲ ଘୋଟାଲା ଓ କେସ୍ ସ୍ଥାନାନ୍ତରଣ

ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ଆସିଥିବା ପ୍ରଥମ ଅଭିଯୋଗ ହେଉଛି ପ୍ରସାଦ ମେଡ଼ିକାଲ ଆଡମିସନ ସମ୍ପର୍କିତ ରାୟ।ଏହି ରାୟରେ ପ୍ରଧାନ ବିଚାରପତି ପକ୍ଷପାତିତା କରିଛନ୍ତି ଓ ସେହି ଶିକ୍ଷାନୁଷ୍ଠାନ ପ୍ରତି କୋହଳ ମନୋଭାବପୋଷଣ କରିଥିବା ଅଭିଯୋଗ ହୋଇଛି।

ସେହିଭଳି ଏକ ନିର୍ଦ୍ଦିଷ୍ଟ ମାମଲା ଦୁଇ ଜଣ ବିଚାରପତିଙ୍କ ଖଣ୍ଡପୀଠରେ ବିଚାର ପାଇଁ ସ୍ଥିର ହୋଇଥିବା ବେଳେ ପ୍ରଧାନ ବିଚାରପତି ତାହାକୁ ଏକ ସାମ୍ବିଧାନିକ ବେଞ୍ଚକୁ ପଠାଇ ଦେଇଥିଲେ।

ମହାଭିଯୋଗରେ କୁହାଯାଇଛି ଯେ ପ୍ରଧାନ ବିଚାରପତି ଏହି କେସ୍କୁ ଯେଉଁଭଳି ଡିଲ କଲେ ସେଥିରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ପ୍ରତିଫଳିତ ହେଉଛି। ଧୋକାବାଜି କରିଛନ୍ତି ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆସିଥିବା ଚତୁର୍ଥ ଅଭିଯୋଗ ହେଉଛି ଯେ ୬ ନଭେମ୍ବର ୨୦୧୭ରେ ପ୍ରକାଶିତ ଏକ ପ୍ରଶାସନିକ ବିଜ୍ଞପ୍ତିର ତାରିଖକୁ ସେ ବଦଳାଇ ଦେଇଥିଲେ।ଏହାକୁ ଧୋକାବାଜି ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ।

ମଜା କଥା ହେଲା,’ଏମିତି ପ୍ରତୀୟମାନ ହେଉଛି’ ଭଳି ଶବ୍ଦରେ ଆରମ୍ଭ କରି ଏହାକୁ ଏକ ସାଙ୍ଘାତିକ ଘଟଣା ବୋଲି ମହାଭିଯୋଗ ନୋଟିସରେ କୁହାଯାଇଛି।

ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆସିଥିବା ଅନ୍ୟ ଏକ ଅଭିଯୋଗ ହେଉଛି ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି କରିଥିବା ସାମ୍ବାଦିକ ସମ୍ମିଳନୀ ଓ ସେଥିରେ ଅଣାଯାଇଥିବା ଅଭିଯୋଗ। ୪ ଜଣ ବିଚାରପତି ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ନିଜର ପ୍ରଶାସନିକ କ୍ଷମତା ବଳରେ ପ୍ରଧାନ ବିଚାରପତି ବିଭିନ୍ନ ମାମଲାକୁ ଜଜଙ୍କ ଭିତରେ ବାଣ୍ଟିବା ବେଳେ ମନମାନି କରୁଛନ୍ତି ଓ କିଛି ନିର୍ଦିଷ୍ଟ କେସକୁ ନିଜ ପସନ୍ଦର ଖଣ୍ଡପୀଠକୁ ଦେଉଛନ୍ତି। ଶେଷ ଅଭିଯୋଗଟି ହେଉଛି ଯେ ଏକ ଜମି ମାମଲା।

ଜଷ୍ଟିସ ମିଶ୍ର କଟକରେ କିଣିଥିବା ଏହି ଜମି ପାଇଁ ଜଣେ ଓକିଲ ମିଛ ଆଫିଡେଭିଟ ଦେଇଥିଲେ ଓ ସୁପ୍ରିମକୋର୍ଟ ବିଚାରପତି ହେବାପରେ ପିଛିଲା ତାରିଖରେ ସେହି ଜମିକୁ ସରେଣ୍ଡର କରି ଦିଆଯାଇଥିଲା। ମହାଭିଯୋଗ ନୋଟିସର ଶେଷରେ କୁହାଯାଇଛି ଯେ, ‘ଏହି ସବୁ ଅଭିଯୋଗ ଓ ପ୍ରମାଣରୁ ଆମକୁ ଲାଗୁଛି ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଯାହା କୁହାଯାଇଛି ତାହା ବିଚାରସାପେକ୍ଷ।ସେ ନ୍ୟାୟ ପାଳିକାର ଭାବମୂର୍ତ୍ତି ଖରାପ କରୁଥିବା କାରଣରୁ ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ପ୍ରସ୍ତାବ ଉଚିତ ଓ ଗ୍ରହଣଯୋଗ୍ୟ।’

Comment