ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସାଲେପୁରରେ ଜଘନ୍ୟ କାଣ୍ଡ
  • ଚକୋଲେଟ୍ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ
  • ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ପୀଡ଼ିତା
  • ପୀଡ଼ିତାଙ୍କୁ ଚିକିତ୍ସା କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଟିମ୍

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ରାଷ୍ଟ୍ରପତି ଆଜି ଏହି ଅଧ୍ୟାଦେଶ ଉପରେ ମୋହର ମାରିଥିବା ବେଳେ ଓଡ଼ିଶାରେ ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ନାବାଳିକା କଟକ ବଡ଼ ମେଡିକାଲର ଶିଶୁ ବିଭାଗରେ ଚିକିତ୍ସିତ ହେଉଛନ୍ତି।

ଶନିବାର ଦିନର ଘଟଣା। ନାବାଳିକା ଚକୋଲେଟ୍ ପାଇଁ ଯାଇଥିଲେ ଦୋକାନକୁ। ରାତି ବଢ଼ିଥିଲା ହେଲେ ଘରକୁ ଫେରି ନଥିଲେ ନାବାଳିକା। ଘର ଲୋକେ ଖୋଜାଖୋଜି କରି ସ୍କୁଲ ନିକଟକୁ ଆସିଥିଲେ। ଆଉ ସ୍କୁଲ ପିଣ୍ଡାରେ ଚେତାଶୂନ୍ୟ ହୋଇ ପଡ଼ିରହିଥିଲେ ନାବାଳିକା। ପାଖରେ ପଡ଼ିଥିଲା ଚକୋଲେଟ୍ ଏବଂ ରକ୍ତ ଦାଗ। ଘଟଣାଟି ଚାରିଆଡ଼େ ବିଜୁଳି ବେଗରେ ପ୍ରଚାର ହୋଇଗଲା। ହେଲେ କିଏ ଏହି ପାଶବିକ କାମ କରିଛି ତାର କିଛି ଟେର୍ ପାଇ ନଥିଲେ ପରିବାର ଲୋକ।

ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ପରେ ସେହି ଗାଁର ଜଣେ ଯୁବକକୁ ଗିରଫ କରିଛି। ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲର ଶିଶୁବିଭାଗ ଟ୍ରମା କେୟାରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୀଡ଼ିତାଙ୍କୁ ଚିକିତ୍ସା କରିବା ପାଇଁ ୧୩ ଜଣିଆ ଡାକ୍ତରୀ ଟିମ୍ ଗଠନ ହୋଇଛି।

ସାଲେପୁର ପରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଘଟିଛି ଆଉ ଏକ ଲୋମହର୍ଷଣକାରୀ ଘଟଣା। ଗତ ଶୁକ୍ରବାର ରାତିରେ ଜଣେ ୪ ବର୍ଷର ଝିଅକୁ ଜଣେ ୧୪ ବର୍ଷର ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣିରେ ବି ଘଟିଛି ଏଭଳି ଏକ ବର୍ବର କାଣ୍ଡ। ଏସବୁ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ତେବେ ସବୁଠୁ ଜଘନ୍ୟ କାଣ୍ଡ ଘଟିଛି ସାଲେପୁରରେ। ପୀଡ଼ିତାର ସ୍ୱାସ୍ଥ୍ୟ ଭଲ ନଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

“ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଫୋରେନସିକ୍‌ ଲାବୋରଟୋରୀ ରିପୋର୍ଟ, ଏଫ୍‌ଏମ୍‌ଟି ରିପୋର୍ଟ ଆସିବା ପରେ ପୀଡ଼ିତାର କ’ଣ ହୋଇଛି ସ୍ପଷ୍ଟ ଜଣାପଡ଼ିବ। ପୀଡ଼ିତାଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ଗଠନ କରାଯାଇଛି”, କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

କେନ୍ଦ୍ରାପଡ଼ା ଏବଂ ସାଲେପୁରରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ନାବାଳିକାଙ୍କ ସହ ହୋଇଥିବା ଦୁଷ୍କର୍ମ ତାଙ୍କୁ ବ୍ୟଥିତ କରିଛି ବୋଲି ସାଂସଦ ଟୁଇଟ୍‌ କରିଛନ୍ତି।

କିଛିଦିନ ତଳେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମଧ୍ୟ ନାବାଳିକାଙ୍କ ସହ ଘଟିଥିଲା ଏଭଳି ଜଘନ୍ୟ କାଣ୍ଡ। ଜଣକ ପରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Comment